ଭୁବନେଶ୍ବର: ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଠିକଣା ବଦଳିଛି। ଲୋୟର ପିଏମ୍ଜିର ୟୁନିଟ୍-୨ ସ୍ଥିତ କ୍ବାର୍ଟର୍ସ ନଂ- ଟାଇପ୍ ବି-୧କୁ ଛାଡ଼ି ୟୁନିଟ୍-୫ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟସ୍ଥ ଭିଆଇଆଇଆଇ ଡିଏସ୍-୧ କ୍ବାର୍ଟର୍ସକୁ ମୁଖ୍ୟମନ୍ତ୍ରୀ ସ୍ଥାନାନ୍ତର ହୋଇଛନ୍ତି। ଆଜି ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ସପରିବାର ସହ ପୂର୍ବାହ୍ଣ ୧୦ଟା ୪୭ରେ ଗୃହ ପ୍ରବେଶ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କ୍ବାର୍ଟର୍ସରେ ୨୬ବର୍ଷ ପରେ ମୁଖ୍ୟମନ୍ତ୍ରୀ ରହିବାକୁ ଯାଉଛନ୍ତି।
୨୬ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କ୍ବାର୍ଟର୍ସରେ ରହିବେ ମୋହନ
ପୂର୍ବାହ୍ଣରେ ସପରିବାର ଗୃହ ପ୍ରବେଶ କଲେ
ଗୋମାତାଙ୍କ ପ୍ରବେଶରୁ ହେଲା ଗୃହ ପ୍ରବେଶ
ମୁଖ୍ୟମନ୍ତ୍ରୀଙ୍କ ଗୃହ ପୂଜା କରିବାକୁ ଆସିଥିବା ପୂଜକ ଦିଲ୍ଲୀପ ପଣ୍ଡା କହିଛନ୍ତି ଯେ ଆଜି ସକାଳୁ ପୁରୀରୁ ଆସିଥିବା ୧୧ଜଣ ପୁରୋହିତ ଗୃହ ପୂଜା କରିଥିଲେ। ଶୁଭ ମୁହୂର୍ତ୍ତ ୧୦ଟା ୪୭ରେ ଦୁଇଟି ଛୋଟ ବାଛୁରୀଙ୍କୁ ପୂଜାର୍ଚ୍ଚନା କରି ଗୃହ ପ୍ରବେଶ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପତ୍ନୀ ଓ ଦୁଇ ପୁଅଙ୍କ ସହ ଗୃହ ପ୍ରବେଶ କରିଥିଲେ। ଆଜି ଦିନ ତମାମ୍ ପୂଜାର୍ଚ୍ଚନା ଚାଲିଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନର ନବୀକରଣ କାର୍ଯ୍ୟ ୫ମାସ ଧରି ଚାଲିଥିବା ବେଳେ ଏବେ ଶୁଭ ମୁହୂର୍ତ୍ତ ଦେଖି ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କ୍ବାର୍ଟର୍ସରେ ଗୋଟେ ବଡ଼ ଲନ୍ କରାଯାଇଛି। କ୍ବାର୍ଟର୍ସ ପରିସରରେ ଥିବା ଖୋଲା ଅଞ୍ଚଳରେ ବାହାରୁ ଗଛ ଆଣି ଲଗାଯାଇଛି। ମୁଖ୍ୟମନ୍ତ୍ରୀ ଘରେ ଯେପରି କୌଣସି ଜରୁରି ବୈଠକ କରିପାରିବେ ସେଥିପାଇଁ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ମଧ୍ୟ କରାଯାଇଛି। କ୍ବାର୍ଟର୍ସରେ ନୂଆ ପୋର୍ଟିକୋ, ଗ୍ଲାସ୍ କ୍ୟାନୋପି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏକ ୱାଚ୍ଟାୱାର ମଧ୍ୟ ନିର୍ମାଣ କରାଯାଇଛି। ଏଥିରେ ୨୪ଘଣ୍ଟା ସୁରକ୍ଷାକର୍ମୀ ମୁତୟନ ରହିବେ। ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଉଥିବାରୁ ସେହି ଅନୁଯାୟୀ କ୍ବାର୍ଟର୍ସ ବାହାରେ ସୁରକ୍ଷାକର୍ମୀ ମୁତୟନ ହେବା ବ୍ୟବସ୍ଥା କରାଯାଇଛି।
ପୂର୍ବରୁ ଏହି କ୍ବାର୍ଟର୍ସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ବି ପଟ୍ଟନାୟକ ଏବଂ ଗିରିଧର ଗମାଙ୍ଗ ରହୁଥିଲେ। ଏହାପରେ ହେମାନନ୍ଦ ବିଶ୍ବାଳ କିଛି ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଏଠାରେ ରହି ନଥିଲେ। ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ଦିନ ଠାରୁ ନବୀନ ନିବାସରେ ରହୁଥିଲେ। ତେଣୁ ଏହି କ୍ବାର୍ଟର୍ସ ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଏହି କ୍ବାର୍ଟର୍ସର ନବୀକରଣ ଆବଶ୍ୟକ ଥିବାରୁ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ବି ତାଙ୍କୁ ପୂର୍ବରୁ ଲୋୟର ପିଏମ୍ଜିରେ ମିଳିଥିବା କ୍ବାର୍ଟର୍ସ ନଂ- ଟାଇପ୍ ବି-୧ରେ ରହି ଆସୁଥିଲେ। ଏବେ ନବୀକରଣ କାର୍ଯ୍ୟ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠିକଣା ବଦଳିଛି। ଅପରପକ୍ଷେ ରାଜଭବନରୁ ଏଜି ଛକ ମଧ୍ୟରେ ଥିବା କ୍ବାର୍ଟର୍ସକୁ ମୁଖ୍ୟମନ୍ତ୍ରୀ ସ୍ଥାନାନ୍ତର ହେବା ପରେ ଏହା ଏବେ ପାୱାର କରିଡର୍ ହୋଇଯାଇଛି। ଏହି ରାସ୍ତାରେ ଥିବା କ୍ବାର୍ଟର୍ସରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ରହୁଛନ୍ତି।