କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଅନାଥ, ବିଧବାଙ୍କୁ ୧୫ ଦିନରେ ମଧୁବାବୁ ପେନ୍‌ସନ୍‌ ଦିଅ: ନବୀନ

୩ ମାସର ଭତ୍ତା ଆଗୁଆ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: କୋଭିଡରେ ଆକ୍ରାନ୍ତ ହୋଇ ବାପା ଓ ମା’ ଙ୍କୁ ହରାଉଥିବା ଅନାଥ ପିଲାମାନଙ୍କୁ ଶୀଘ୍ର ଚିହ୍ନଟ କର। ସେମାନଙ୍କୁ ୧୫ ଦିନ ଭିତରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କର। ସେହିପରି କୋଭିଡ୍‌ରେ ନିଜର ସ୍ବାମୀ ହରାଉଥିବା ବିଧବା ମହିଳାଙ୍କୁ ବି ଦୁଇ ସପ୍ତାହ ଭିତରେ ମଧୁବାବୁ ପେନ୍‌ସନ୍‌ ଯୋଜନା ହିତାଧିକାରୀ ତାଲିକାରେ ସାମିଲ କର। ଆଜି ସନ୍ଧ୍ୟାରେ କୋଭିଡ ମହାମାରୀ ସ୍ଥିତି ସମୀକ୍ଷା କରିବା ଅବସରରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାମାଜିକ ନିରାପତ୍ତା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀମାନଙ୍କୁ ୩ ମାସର ଆଗୁଆ ଭତ୍ତା ପ୍ରଦାନ କରାଯିବ। ଏହି ଟଙ୍କାକୁ ନଗଦ ଆକାରରେ ହିତାଧିକାରୀମାନଙ୍କ ଗାଁରେ ବଣ୍ଟନ କରାଯିବ।

ଏହାସହିତ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ତାଲିମପ୍ରାପ୍ତ ଡାକ୍ତର ଓ ମେଡିସିନ୍‌ ମହଜୁଦ ରଖିବା ସହିତ ମେଡିକାଲ କଲେଜ ଓ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଓ ଅଣ-କୋଭିଡ ବ୍ଲାକ୍‌ ଫଙ୍ଗସ ରୋଗୀଙ୍କୁ ଚିହ୍ନଟ କରି ଅଲଗା ଅଲଗା ୱାର୍ଡରେ ରଖି ଚିକିତ୍ସା କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ତୃତୀୟ ଲହରରେ ଅଧିକ ସଂଖ୍ୟାରେ ଏହି ରୋଗରେ ପିଲାମାନେ ଶିକାର ହେବା ସମ୍ଭାବନା ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ଉନ୍ନତ କରିବାକୁ ପଡ଼ିବ। ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ସହିତ କୋଭିଡ ହସ୍ପିଟାଲଗୁଡ଼ିକର ଆଇସିୟୁ ଓ ଏଚ୍‌ଡିୟୁରେ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ଆସନ୍ତା ସପ୍ତାହରେ ରାଜ୍ୟରେ ମହାମାରୀ ସ୍ଥିତିରେ ଆହୁରି ସୁଧାର ଆସିଥିବା ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ପଜିଟିଭିଟି ରେଟ୍‌ ୧୫ ପ୍ରତିଶତରୁ କମ୍‌ ରହିଛି। ଗତମାସ ୨୪ ତାରିଖରୁ ଘରକୁ ଘର ବୁଲି କରୋନା ଯାଞ୍ଚ ଅଭିଯାନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ସମସ୍ତ ବାଧାବିଘ୍ନ ସତ୍ତ୍ବେ ରାଜ୍ୟରେ ଟିକା ଯୋଗାଣ ବୃଦ୍ଧି ପାଇଁ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଆଗାମୀ ମାସରେ ଟିକା ଯୋଗାଣରେ ଉନ୍ନତି ପରିଲକ୍ଷିତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ୟୁନାଇଟେଡ୍‌ ନେସନ୍‌ ଅଫିସ୍‌ ଫର୍‌ ଡିଜାଷ୍ଟର ରିସ୍କ୍‌ ରିଡକ୍‌ସନ୍‌ ପକ୍ଷରୁ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମକୁ ସ୍ବୀକୃତି ପ୍ରଦାନ କରାଯାଇଛି। ରାଜ୍ୟବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଯୋଗୁ ଏହା ହାସଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଲକ୍‌ଡାଉନ ନିୟମ ତଥା କୋଭିଡ ନିୟମାବଳୀ କଡାକଡି ପାଳନ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ, ରାଜ୍ୟରେ ମହାମାରୀ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଲାଣି। ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟି ୦.୩ ପ୍ରତିଶତ ରହିଛି। ଯାହାକି ସାରା ଦେଶରେ ସର୍ବନିମ୍ନ। ବ୍ଲାକ୍‌ ଫଙ୍ଗସ ଚିକିତ୍ସା ପାଇଁ ଆମ୍ଫୋଟେରିସିନ୍‌-ବି ଇଞ୍ଜେକ୍‌ସନ୍‌ କେନ୍ଦ୍ରକୁ ମଗାଯାଇଛି।

ସମୀକ୍ଷା ବୈଠକକୁ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ପରିଚାଳନା କରିବା ସହିତ ପୁଲିସ ଡିଜି ଶ୍ରୀ ଅଭୟ ଓ ଅଗ୍ନିଶମ ସେବା ଡିଜି ଏମ୍‌. ଅକ୍ଷୟ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା ଓ କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ବି.ଏମ୍‌.ସି ଓ ସି.ଏମ୍‌.ସି କମିଶନର ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ ପରିଚାଳନା ସଂପର୍କରେ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର