ଭୁବନେଶ୍ୱର: କେନ୍ଦୁଝର ମା’ ତାରିଣୀ ମନ୍ଦିରର ବିକାଶ ସହ ଚାରିପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ହେବ। ଏଥିପାଇଁ ୨୧୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବ୍ୟତୀତ ବଡବିଲ୍ ପାଇଁ ଏକ ରିଙ୍ଗ୍ ରୋଡ୍ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିବା ପରେ ଏଭଳି ଘୋଷଣା କରିବା ସହ ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରି ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଚାରିପାର୍ଶ୍ୱକୁ ଏକ ଗ୍ରାଣ୍ଡ ରିଙ୍ଗ୍ ରୋଡ୍ ମାଧ୍ୟମରେ ଯୋଡିବା ପାଇଁ ଯେଉଁ ଲକ୍ଷ୍ୟ ରଖା ଯାଇଛି, ତାହାର ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ୨୮୭ କିଲୋମିଟର ଏକ ସଡ଼କ ନିର୍ମାଣ କରାଯିବ। ଏଥିରେ ୪ଟି ଟନେଲ୍ ରହିବ।
ଖର୍ଚ୍ଚ ହେବ ୨୧୪ କୋଟି
ଭୁବନେଶ୍ବରରେ ଟ୍ରାଫିକ୍ ଭିଡ଼ ହ୍ରାସ ପାଇଁ ୭୦୦୦ କୋଟି ବ୍ୟୟ ଯୋଜନା
ଭୁବନେଶ୍ବରର ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ବଡ଼ ଯୋଜନା ହୋଇଛି। ସମନ୍ୱିତ ବିକାଶ ଯୋଜନାରେ ଟ୍ରାଫିକ୍ ଭିଡ ହ୍ରାସ କରିବା ପାଇଁ ସରକାର ୭୦୦୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ ହେବ। କଳ୍ପନା ଛକ, ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଓଭର୍ ନିର୍ମାଣ ହେବ। ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏହା ସହିତ ଏକ ‘ଇନର୍ ରିଙ୍ଗ୍ ରୋଡ୍’ ମଧ୍ୟ ନିର୍ମାଣ କରାଯିବ। ଭୁବନେଶ୍ୱର ପାଇଁ ୬୪ କିଲୋମିଟର ବିଶିଷ୍ଟ ଏକ ଇନର୍ ରିଙ୍ଗ୍ ରୋଡ୍ କରାଯିବ। ଏଥିରେ ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରସ୍ତୁତ ହେବ। ଭୁବନେଶ୍ୱରର ସଂପ୍ରସାରଣ ପାଇଁ ଏକ ଆଉଟର୍ ରିଙ୍ଗ୍ ରୋଡ୍ର ଯୋଜନା କରାଯାଇଛି। ୧୪୮ କିଲୋମିଟର ଲମ୍ବାର ଏହି ରିଙ୍ଗ୍ ରୋଡ୍, ୬ ଲେନ୍ ବିଶିଷ୍ଟ ହେବ। ଏଥିରେ ୨ଟି ସର୍ଭିସ୍ ରୋଡ୍ ରହିବ। ଏଥିପାଇଁ ସମୁଦାୟ ୬,୧୫୨ କୋଟି ଟଙ୍କା ବିନିଯୋଗ କରାଯିବ। ଟ୍ରାଫିକ୍ ସମସ୍ୟା ସମାଧାନ ସହ ଅର୍ଥନୈତିକ ଅଭିବୃଦ୍ଧି ଓ ପର୍ଯ୍ୟଟନ ବୃଦ୍ଧି ହେବ। ଭୁବନେଶ୍ୱର ୟୁନିଟ୍-୨ ଅଞ୍ଚଳର ମଧ୍ୟ ବିକାଶ ହେବ।
ସବୁଠାରୁ ଅଧିକ ଭିଡ଼ ହେଉଥିବା ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଏକ ଏଲିଭେଟେଡ୍ କରିଡର ପ୍ରସ୍ତୁତ ହେବ। ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥ୍ମେଟିକସ୍ରୁ ପଥର ଗାଡ଼ିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା କାମ ଜାରି ରହିଛି। ଏହା ସହିତ ଡମଣାରୁ ପ୍ରେସ୍ ଛକ, କଳାରାହାଙ୍ଗରୁ ବାରିମୁଣ୍ଡ ଓ କେଳୁଚରଣ ପାର୍କରୁ ବାରିମୁଣ୍ଡ ପର୍ଯ୍ୟନ୍ତ ୩ଟି ‘ରାଇଟ୍ ଆକ୍ସେସ୍’ ରାସ୍ତା ନିର୍ମାଣ ଜାରି ରହିଛି। ଡମଣା ଛକରୁ ପ୍ରେସ୍ ଛକ ରାସ୍ତା କାମ ସରିଥିବା ବେଳେ ବାକି କାମ ଖୁବ୍ଶୀଘ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ କାମ ମଧ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବଜେଟ୍ର ୭୨ ପ୍ରତିଶତ ଖର୍ଚ୍ଚ ହୋଇଛି। ଏଥି ମଧ୍ୟରୁ ବାକି ସବୁ କାମର ତୁରନ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍) ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ଶତପ୍ରତିଶତ ପ୍ରସ୍ତୁତ ହେଲେ ସହରରେ ଆଉ ଭିଡ଼ ରହିବ ନାହିଁ ବୋଲି କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ବିଭାଗୀୟ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/01/3jtf1ffJxHT2SgsZszVb.jpg)