ଉତ୍ତର ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’: ସାମିଲ ହେଲେ ହଜାର ହଜାର ଜନତା

ଚନ୍ଦ୍ରଶେଖରପୁର: ମତଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ବିଶାଳ ରୋଡ୍‌ ସୋ’ ମାଧ୍ୟମରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଛନ୍ତି।

ବିଏମ୍‌ସି ୧୫ ନମ୍ବର ୱାର୍ଡ ଅଧୀନ ରେଣ୍ଟାଲ କଲୋନି ଓମ୍‌ଫେଡ୍‌ ଛକରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ସାଲିଆସାହି ପେଟ୍ରୋଲ ପମ୍ପ, ମେ’ ଫେୟାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ଛକ ଦେଇ ପଟିଆ ଛକରେ ପହଞ୍ଚିଥିଲା। ରୋଡ୍‌ ସୋ’ରେ ନିର୍ବାଚନମଣ୍ଡଳୀର ହଜାର ହଜାର ନବୀନ ପ୍ରେମୀ ଭିଡ଼ ଜମାଇଥିଲେ। ‘ଉଇ ଲଭ୍‌ ବିଜେଡି’, ‘ଆଇ ଲଭ୍‌ ନବୀନ’, ‘ଆଇ ଲଭ୍‌ ବିଜେଡି’, ‘ଆମ ଓଡ଼ିଶା, ନବୀନ ଓଡ଼ିଶା’, ‘ଆମ ଚିହ୍ନ ଶଙ୍ଖ ଚିହ୍ନ’, ‘ଷଷ୍ଠ ଥର ପାଇଁ ନବୀନ’ ପରି ପୋଷ୍ଟର ଧରି ଦଳୀୟ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ରୋଡ୍‌ ସୋ’ ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଲେ, ‘ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ଆପଣ ସମସ୍ତଙ୍କୁ ମୋର ନମସ୍କାର। ଆପଣମାନେ ଭଲ ଅଛନ୍ତି? ଜୁଲାଇରୁ ବିଜୁଳି ବିଲ୍‌ ବନ୍ଦ ହେବ। ବିଏସ୍‌କେୱାଇ କାର୍ଡରେ ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ମିଳିବ। ଆପଣମାନେ ଖୁସି ତ? ଏଥିସହ ମୁଖ୍ୟମନ୍ତ୍ରୀ ଶଙ୍ଖ ଚିହ୍ନ ଭଲ କି? ନବୀନ ପଟ୍ଟନାୟକ ଭଲ କି? ବୋଲି ମଧ୍ୟ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ଲୋକମାନେ ‘ହଁ’ କହିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ୍‌ ନାରା ଦେଇଥିଲେ। ଶୋଭାଯାତ୍ରା ଅବସରରେ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ରାଉତ ଓ ସାଂସଦ ପ୍ରାର୍ଥୀ ଶ୍ରୀ ରାଉତରାୟ ଏକ ଖୋଲା ଜିପ୍‌ରେ ଛିଡ଼ା ହୋଇ ସାଧାରଣ ଲୋକଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଶୋଭାଯାତ୍ରାରେ ବିଏମ୍‌ସି ମେୟର ସୁଲୋଚନା ଦାସ ମଧ୍ୟ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିଥିଲେ।

ଶଙ୍ଖ ଚିହ୍ନ, ନବୀନ ମୁଖ‌ା ପିନ୍ଧି ହଜାର ହଜାର କର୍ମୀ ରୋଡ୍‌ ସୋ’ରେ ସାମିଲ ହୋଇ ଏକ ନିଆରା ପରିବେଶ ସୃଷ୍ଟି କରିଥିଲେ। ଏଥିସହ ପାରମ୍ପରିକ ବାଦ୍ୟ, ଯୋଡ଼ି ଶଙ୍ଖ ଓ ମା’ମାନଙ୍କ ହୁଳହୁଳି ଶବ୍ଦରେ ଉତ୍ତର ଭୁବନେଶ୍ବର ଅଞ୍ଚଳ ଉଛୁଳି ପଡ଼ିଥିଲା‌। ସାଲିଆସାହିର ବସ୍ତିବାସିନ୍ଦାମା‌ନେ ଆଦିବାସୀ ନୃତ୍ୟ ପରିବେଷଣ କରିବାର ଦୃଶ୍ୟ ବେଶ୍‌ ମନୋରମ ଥିଲା। ସାଲିଆସାହି ପେଟ୍ରୋଲ ପମ୍ପ ଓ ଜାଭିୟର ଛକରେ ଆଦିବାସୀଙ୍କ ନିଆରା ନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଛକ ଛକରେ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବାଜା, ବାଣ ଓ ରୋଷଣୀରେ ଭବ୍ୟ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’କୁ ନଜରରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଲଗାଯାଇଥିଲା। ରୋଡ୍‌ ସୋ’ ସମୟରେ ରାସ୍ତା ଦେଇ କୌଣସି ପ୍ରକାର ଯାନବାହନ ଯିବା ଆସିବା କରିବାକୁ ଦିଆଯାଇ ନ ଥିଲା।

ସମ୍ବନ୍ଧିତ ଖବର