ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍‌ : ୩୦୦ କୋଟିର ସହାୟତା

ରବିରେ ଭରଣା ପାଇଁ ଲକ୍ଷ୍ୟ

ଅକ୍ଟୋବର ପହିଲାରୁ ରବି ପାଇଁ ଚାଷୀଙ୍କୁ ମିଳିବ ଋଣ
ପାରମ୍ପରିକ ଚାଷ ପାଇଁ ଇନ୍‌ପୁଟ୍‌ ସହାୟତା ୨ ହଜାର
ଅନ୍ୟାନ୍ୟ ଚାଷ ପାଇଁ ଚାଷୀ ପାଇବେ ହଜାରେ ଟଙ୍କା
ଯନ୍ତ୍ରଚାଳିତ କୃଷି ସବ୍‌ସିଡି ବାବଦରେ ୧୦ କୋଟି

ଭୁବନେଶ୍ୱର : ଗତମାସ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବନ୍ୟା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଭଳି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୦୦ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଚ​ଳିତ ଖରିପ୍‌ ଋତୁରେ ଚାଷୀମାନଙ୍କର ଯାହା କ୍ଷତି ହୋଇଛି ତାକୁ ଆସନ୍ତା ରବି ଋତୁରେ ଭରଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରବି ଋତୁରେ ଚାଷୀମାନଙ୍କୁ ଇନ୍‌ପୁଟ୍‌ ସହାୟତା ଯୋଗାଇବା ସହିତ ଡାଲି ଜାତୀୟ ଫସଲ ପାଇଁ ୨୦ ହଜାର ମିନି କିଟ୍‌ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ପାଣି ଖସିବା ପରେ ମନରେଗା ଯୋଜନାରେ ରାସ୍ତା, କେନାଲ ମରାମତି କାର୍ଯ୍ୟ ଜରିଆରେ ବ୍ୟାପକ କାମଧନ୍ଦା ଯୋଗାଇଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ବନ୍ୟାରେ ଯେଉଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜମିରେ ୩୩% କିମ୍ବା ତଦୁର୍ଧ୍ବ ଫସଲ ନଷ୍ଟ ହୋଇଥିବ ସେ କ୍ଷେତ୍ରରେ ଅଣଜଳସେଚିତ ଜମି ବାବଦରେ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ଆମ୍ବ, କାଜୁ, ନଡ଼ିଆ, ପାନ ବରଜ ଭଳି ପାରମ୍ପରିକ ଫସଲ ନଷ୍ଟ ହୋଇଥିଲେ କ୍ଷତିପୂରଣ ବାବଦରେ ହେକ୍ଟର ପିଛା ୧୮ହଜାର ଟଙ୍କା ପ୍ରଦାନ କରାଯିବ। ଏହି କ୍ଷତିପୂରଣ ସହାୟତା ଚାଷ କରିଥିବା ପ୍ରକୃତ ଚାଷୀଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ପାରମ୍ପରିକ ଫସଲ ନଷ୍ଟ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ବାବଦରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨ ହଜାର ଟଙ୍କା ଓ ଅନ୍ୟାନ୍ୟ ଫସଲ ପାଇଁ ୧ ହଜାର ଟଙ୍କା ପ୍ରଦାନ ପାଇଁ ଘୋଷଣା କରାଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ଆସନ୍ତା ରବି ଋତୁରେ ଡାଲି ଜାତୀୟ ଫସଲ ଚାଷ ପାଇଁ ୨୦ ହଜାର ମିନି କିଟ୍‌ ପ୍ରଦାନ କରାଯିବ। ସେହିପରି ପ୍ରଭାବିତ ଅଞ୍ଚଳର ଚାଷୀମାନେ ସ୍ବଳ୍ପ ଖର୍ଚ୍ଚରେ କିପରି ଅଧିକ ଉତ୍ପାଦନକ୍ଷମ ଫସଲ ଅମଳ କରିପାରିବେ, ସେଥିପାଇଁ ୬୦ ହଜାର ଏକର ଜମିରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଖାଲିସେତିକି ନୁହେଁ ଚାଷୀମାନଙ୍କୁ ୫୦% ସବ୍‌ସିଡିରେ ୨ ହଜାର ପମ୍ପ୍‌ ସେଟ୍‌ ଯୋଗାଇ ଦିଆଯିବ। ଯାହାର ସର୍ବାଧିକ ମୂଲ୍ୟ ୧୫ ହଜାର ଟଙ୍କାରୁ ଅଧିକ ହେବ ନାହିଁ। ରୋଗପୋକରୁ ନିସ୍ତାର ଦେବା ପାଇଁ ୫ ହଜାର ପାଓ୍ବାର ସ୍ପ୍ରେୟର୍‌ ବନ୍ୟା ପ୍ରଭାବିତ ଚାଷୀମାନଙ୍କୁ ୫୦% ସବ୍‌ସିଡିରେ ବଣ୍ଟନ କରାଯିବ। ବ୍ୟାଟେରି ଚାଳିତ ସ୍ପ୍ରେୟରର ସର୍ବାଧିକ ମୂଲ୍ୟ ୩ ହଜାର ଟଙ୍କା ଓ ହସ୍ତଚାଳିତ ସ୍ପ୍ରେୟରର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ରବି ଋତୁକୁ ଦୃଷ୍ଟିରେ ରଖି ୧ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଣାଳି ବାବଦରେ ପ୍ରଶିକ୍ଷଣ ଦିଆଯିବ। ଏହାସହିତ ମାଗଣାରେ ୧ ଲକ୍ଷ ଏକର ଜମି ପାଇଁ କେମିକାଲସ୍‌ ଓ କୀଟନାଶକ ମଧ୍ୟ ଯୋଗାଇ ଦିଆଯିବ। ଚାଷୀମାନଙ୍କୁ ୭୫% ସବ୍‌ସିଡିରେ ଗୁଣାତ୍ମକ ବିହନ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଯନ୍ତ୍ରଚାଳିତ କୃଷି ବାବଦରେ ୧୦ କୋଟି ଟଙ୍କା ଆବଣ୍ଟିତ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ପ୍ରଦାନ ପାଇଁ ତ୍ବରିତ୍‌ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

୧ ଲକ୍ଷ ଚାଷୀଙ୍କୁ ନିଜର ଗୁଜରାଣ ପାଇଁ ରୋଷଇ ଘର ବଗିଚା ଯୋଜନାରେ ଭେଜିଟେବୁଲ୍‌ କିଟ୍‌ ସହିତ ପାଳଙ୍ଗ, ବିନ୍‌ସ୍‌, ଟମାଟୋ, ଲଙ୍କା ଓ ମୂଳା ଆଦି ବିହନ କିଟ୍‌ ପିଛା ୧୩୦ ଟଙ୍କାରେ ଯୋଗାଇବାକୁ ସରକାର ସ୍ଥିର କରିଛନ୍ତି। ବନ୍ୟା ପ୍ରଭାବିତ ଚାଷୀଙ୍କୁ ଅଗଣା ବଗିଚା ଯୋଜନାରେ ଅମୃତଭଣ୍ଡା, କଦଳୀ, ସଜନା ଛୁଇଁ ପରି ପନିପରିବା ଚାଷ ପାଇଁ କିଟ୍‌ ପିଛା ୧୬୦ ଟଙ୍କାରେ ୭୫ ହଜାର ଚାଷୀଙ୍କୁ ସାମିଲ କରାଯିବ। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଛତୁ ଚାଷୀଙ୍କ ପୁନନିର୍ମାଣ ସହାୟତା ବାବଦରେ ୟୁନିଟ୍‌ ପିଛା ୧୦ ହଜାର ଟଙ୍କା ଓ ପ୍ରତି ନଡ଼ା ଛପର ଘର ବାବଦରେ ୫୦୦ ଟଙ୍କା ପ୍ରଦାନ କରାଯିବ।

୩୩% କିମ୍ବା ତଦୁର୍ଧ୍ବ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ବଳ୍ପ ମିଆଦି ଋଣକୁ ମଧ୍ୟମ ମିଆଦି ଋଣରେ ପରିବର୍ତ୍ତନ କରାଯିବ। ସ୍ବଳ୍ପ ମିଆଦି ଖରିଫ ଋଣ ପରିଶୋଧ ଅବଧିକୁ ସଂପ୍ରସାରଣ କରି ଆଉ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହି ସଂପ୍ରସାରଣ ଅବଧି ୨୦୨୨ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅକ୍ଟୋବର ପହିଲାରୁ ଚାଷୀଙ୍କୁ ରବି ଋତୁ ପାଇଁ ଋଣ ସହାୟତା ଯୋଗାଇ ଦିଆଯିବ। ବନ୍ୟାରେ ନଷ୍ଟ ହୋଇଥିବା ପ୍ରାଣୀ ସମ୍ପଦ ପାଇଁ ମଧ୍ୟ ରାଜ୍ୟ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। କ୍ଷୀର ଦେଉଥିବା ଗାଈ ବାବଦରେ ୩୦ ହଜାର ଟଙ୍କା ମଇଁଷି ବାବଦରେ ୨୫ ହଜାର ଟଙ୍କା କ୍ଷତିପୂରଣ ମିଳିବ। ଏହି କ୍ଷତି ସର୍ବାଧିକ ୩ଟି ଗାଈ କିମ୍ବା ମଇଁଷି ପାଇଁ ପ୍ରଦାନ କରାଯିବ। ପ୍ରତି ବାଛୁରୀ ବାବଦରେ ୧୬ ହଜାର ଟଙ୍କା ଓ ଛେଳି ବାବଦରେ ୩ ହଜାର ଟଙ୍କା ପ୍ରଦାନ କରାଯିବ। ସର୍ବାଧିକ ୬ଟି ବାଛୁରୀ ଓ ୩୦ଟି ଛେଳି ପାଇଁ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥିର କରାଯାଇଛି। ସେହିପରି ପ୍ରତି କୁକୁଡ଼ା ପାଇଁ ୫୦ ଟଙ୍କା ଓ ସର୍ବାଧିକ ୫ ହଜାର କୁକୁଡ଼ା ପାଇଁ କ୍ଷତିପୂରଣ ମିଳିବ।

ମତ୍ସ୍ୟ ଚାଷ କରୁଥିବା ଚାଷୀଙ୍କୁ ପୋଖରୀ ଓ ବନ୍ଧ ପୁନରୁଦ୍ଧାର ବାବଦରେ ହେକ୍ଟର ପିଛା ୧୨ ହଜାର ୨୦୦ ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହିତ ବନ୍ୟାରେ କ୍ଷତିଗ୍ରସ୍ତ ମାଛ ବିହନ ଉତ୍ପାଦନ କରୁଥିବା ଫାର୍ମମାନଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ବାବଦରେ ୟୁନିଟ୍‌ ପିଛା ୮ ହଜାର ୨୦୦ ଟଙ୍କା ପ୍ରଦାନ କରାଯିବ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କାରିଗରମାନଙ୍କୁ ମିଳିବା ଆର୍ଥିକ ସହାୟତା। ଏଥିପାଇଁ ପ୍ରତି ବୁଣାକାରଙ୍କୁ ୪ ହଜାର ୧୦୦ ଟଙ୍କା ପ୍ରଦାନ କରିବାକୁ ସ୍ବତନ୍ତ୍ର ପ୍ୟାକେଜ୍‌ରେ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର