ଭୁବନେଶ୍ବର: ଗତ ଏକ ବର୍ଷର ଯାତ୍ରା ସ୍ପଷ୍ଟ ଜନାଦେଶ ଓ ଦୃଢ଼ ପ୍ରତିବଦ୍ଧତା ସହିତ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଜନକଲ୍ୟାଣକାରୀ ଶାସନର ନୂତନ ଯୁଗ ଆରମ୍ଭ ହୋଇପାରିଛି। ସରକାରଙ୍କ ସବୁ ଯୁଗୋପଯୋଗୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଦୃଢ଼, ସ୍ୱଚ୍ଛ ଓ ଦୁର୍ନୀତିବିହୀନ ଶାସନ-ପ୍ରଶାସନ ଆବଶ୍ୟକ। ମୁଁ ଗର୍ବର ସହିତ କହିବାକୁ ଚାହେଁ ଯେ ବର୍ଷକ ଭିତରେ ସରକାରଙ୍କ ବିରୋଧରେ ଗୋଟିଏ ବି ଦୁର୍ନୀତିର ଅଭିଯୋଗ ବିରୋଧୀ ଦଳ ଆଣି ନାହିଁ। ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନରେ ଆୟୋଜିତ ବିଧାୟକ ଓ ସାଂସଦଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଦୁର୍ନୀତିମୁକ୍ତ ଶାସନ ଓ ପ୍ରଶାସନ ପାଇଁ ସେ ମନ୍ତ୍ରିମଣ୍ଡଳର ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Advertisment
ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଯୋଜନାର ସଫଳ ରୂପାୟନ ପାଇଁ ଦୁର୍ନୀତିର ମୂଳୋତ୍ପାଟନ ଅତ୍ୟନ୍ତ ଆବଶ୍ୟକ। ଆମ ସରକାର ଏହି ଦିଗରେ ହାଇପର୍‌ ମୋଡ୍‌ରେ ଅଛନ୍ତି। ସବା ତଳସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ଅଧିକାରୀ ସରକାରଙ୍କ ରାଡାରରେ ଅଛନ୍ତି। ଏପରିକି ଦୁର୍ନୀତିଗ୍ରସ୍ତଙ୍କୁ ସମ୍ମାନର ସହିତ ଅବସର ନେବା ପାଇଁ ଦେବୁ ନାହିଁ। ସ୍ୱଚ୍ଛ ଶାସନକୁ ଆଉ ପାଦେ ଆଗକୁ ନେଇ ଆମେ ଏକ ଅଭିନବ ‘ୱାର୍କ ପାସ୍‌ ବୁକ୍‌’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛୁ, ଯେଉଁଥିରେ ସବୁ ଭିତ୍ତିଭୂମି ପ୍ରକଳ୍ପର ସଂପୂର୍ଣ୍ଣ ତଥ୍ୟ ରହିବ। ସାଧାରଣ ଜନତାଙ୍କ ନଜରରେ ଏହି ସବୁ ପ୍ରକଳ୍ପ ରହିବ। ଶ୍ରୀ ମାଝୀ କହିଛନ୍ତି, ଆମ ସରକାରକୁ ଓଡ଼ିଶାବାସୀ ‘ଲୋକଙ୍କ ସରକାର’ର ଆଖ୍ୟା ଦେଇଛନ୍ତି। କାରଣ ଆମେ ‘ତୃତୀୟ ମହଲା’ ଓ ‘ଜନତା’ଙ୍କ ଭିତରେ ଥିବା ବ୍ୟବଧାନକୁ ଦୂର କରିଛୁ। ଏହା ସମ୍ଭବ ହୋଇଛି, ଆମର ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ। ଲୋକଙ୍କ ସରକାର ଉପାଧି ପାଇବାର ଅନ୍ୟ ଏକ କାରଣ ଅଛି। ଗତ ଏକ ବର୍ଷ ଭିତରେ ମୁଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି ଏବଂ ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥିଲି। ସରକାରର ଦ୍ୱିତୀୟ ବର୍ଷରେ ମୁଁ ରାଜ୍ୟର ପ୍ରତି ବିଧାନସଭାମଣ୍ଡଳୀ ଗସ୍ତ କରିବା ପାଇଁ ଯୋଜନା କରିଛି। 
ମୁଖ୍ୟମନ୍ତ୍ରୀ କହିଲେ, ବର୍ଷକ ତଳେ ଶାସନ ଭାର ସମ୍ଭାଳିବା ସହିତ ଆସିଥିଲା ଏକ ଗୁରୁ ଦାୟିତ୍ୱ। ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଯେଉଁ ଆଶା ଓ ଆକାଂକ୍ଷା ସହିତ ଏକ ବିକଳ୍ପ ବାଛିଥିଲେ, ତାହା ପୂରଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଥିଲା। ମୁଁ ଭଲ ଭାବେ ଜାଣିଥିଲି ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଯିବ ବିଗତ ସରକାର ସହିତ ତୁଳନା। ମୁଁ ଏହା ବି ହୃଦୟଙ୍ଗମ କରିଥିଲି ଯେ ଲୋକେ କହିବେ ଆମର ମନ୍ତ୍ରିମଣ୍ଡଳ ଏକ ଅନଭିଜ୍ଞ ମନ୍ତ୍ରିମଣ୍ଡଳ। ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ସମୟ ବହୁତ କମ୍‌ ଥିଲା। ଶପଥ ଗ୍ରହଣ ଉତ୍ସବ ସରିବା ମାତ୍ରେ ପ୍ରଥମ କ୍ୟାବିନେଟ ବସିଥିଲା ଏବଂ ମାତ୍ର ୨୪ ମିନିଟରେ ଚାରିଟି ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା। ଯାହା ଆମ ପ୍ରତିଶ୍ରୁତିର ଥିଲା ‘ଆତ୍ମା’। ଆଉ ସେହି ଦିନରୁ ଆରମ୍ଭ ହୋଇଥିଲା ‘ସୁଶାସନର ଯାତ୍ରା’। ପ୍ରଧାନମନ୍ତ୍ରୀ ସବୁବେଳେ କୁହନ୍ତି ଏ ଦେଶରେ ଚାରିଗୋଟି ଜାତି ଅଛନ୍ତି, ‘ଗରିବ, ଅନ୍ନଦାତା, ଯୁବବର୍ଗ ଏବଂ ମହିଳା’। ତେଣୁ ଆମ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନା ଏହି ଚାରିଜାତିଙ୍କୁ ମୁଖ୍ୟ ହିତାଧିକାରୀ ଭାବେ ବିଚାର କରି କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହୋଇଥିଲା। ଏହି ଯୋଜନାରେ ଥିଲା ଚାରିଟି ସ୍ତମ୍ଭ, ‘ଜୀବନଜୀବିକା, ଭିତ୍ତିଭୂମି, ସାମାଜିକ ସୁରକ୍ଷା ଓ ସମାଜ କଲ୍ୟାଣ ତଥା ଓଡ଼ିଆ ଅସ୍ମିତା’। 
ପ୍ରଥମ ସ୍ତମ୍ଭ ‘ଜୀବନ ଜୀବିକା’ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଜୀବନଜୀବିକାକୁ ସୁଦୃଢ଼ କରିବା ପାଇଁ କୃଷି ଓ ଉଦ୍ୟୋଗ କ୍ଷେତ୍ରକୁ ନେଇ ଦୁଇଟି ମୁଖ୍ୟ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଆମ ରାଜ୍ୟକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେଲେ ‘କୃଷିଭିତ୍ତିକ ଅର୍ଥନୀତି’ରୁ ‘ମିଶ୍ରିତ ଅର୍ଥନୀତି’ ଆଡ଼କୁ ଅଗ୍ରସର ହେବାକୁ ପଡ଼ିବ। ଆମେ ପ୍ରଥମ କ୍ୟାବିନେଟ୍‌ରେ ନେଇଥିବା ନିଷ୍ପତ୍ତି ଧାନକିଣା ବାବଦକୁ ପ୍ରତିଶ୍ରୁତି ମୁତାବକ ୩୧୦୦ ଟଙ୍କା କରିଥିଲୁ ଏବଂ ୨୦୨୪-୨୫ ଖରିଫ ଋତୁରୁ ହିଁ ତାହା ଲାଗୁ ହୋଇଥିଲା। ଜୀବନ ଜୀବିକାର ଦ୍ୱିତୀୟ ଖସଡ଼ା ହେଉଛି ‘ଦ୍ରୁତ ଶିଳ୍ପାୟନ’। ଯଦିଓ ଓଡ଼ିଶାରେ ଶିଳ୍ପାୟନ ପାଇଁ ସବୁପ୍ରକାର ଅନୁକୂଳ ଉପାଦାନ ଅଛି, କୌଣସି ନା କୌଣସି କାରଣରୁ ଓଡ଼ିଶାରେ ତାହାର ପୂର୍ଣ୍ଣ ପ୍ରତିଫଳିତ ହୋଇନାହିଁ। ତେଣୁ ଦ୍ରୁତ ଶିଳ୍ପାୟନ ପାଇଁ ଉତ୍କର୍ଷ ଓଡ଼ିଶା ଆୟୋଜିତ ହୋଇଥିଲା। 
ବିକାଶର ଦ୍ୱିତୀୟ ସ୍ତମ୍ଭ ହେଉଛି ଭିତ୍ତିଭୂମି। ଚଳିତ ବଜେଟ୍‌ରେ ରାଜ୍ୟ ସକଳ ଘରୋଇ ଉତ୍ପାଦର ୬.୧ ପ୍ରତିଶତ ଅର୍ଥାତ ୬୫ ହଜାର ୦୧୨ କୋଟି ଟଙ୍କା କେବଳ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାବଧାନ ହୋଇଛି। ଏହା ସର୍ବକାଳୀନ ରେକର୍ଡ। ଅଧିକ ପୁଞ୍ଜିନିବେଶ ହେଲେ ଅଧିକ ରୋଜଗାର ସୃଷ୍ଟି ହେବ ଏବଂ ରାଜ୍ୟର ବିକାଶ ତ୍ୱରାନ୍ବିତ ହେବ।  ତୃତୀୟ ସ୍ତମ୍ଭ ହେଉଛି, ସାମାଜିକ ସୁରକ୍ଷା ଓ ସମାଜ କଲ୍ୟାଣ। ଏହା ହେଉଛି ଆମ ସରକାରଙ୍କ ଫୋକସ୍‌ ଏରିଆ। ରାଜ୍ୟର ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ଯୋଗାଇବା ସବୁ ସରକାରଙ୍କର ନୈତିକ ଦାୟିତ୍ୱ। ଏହି କ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତୀକରଣ, ଜନଜାତି ଓ ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ କଲ୍ୟାଣ, ରୋଜଗାର ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ। ଆଜି ପ୍ରାଥମିକ ସ୍ତରରେ ପିଲାଙ୍କ ଶିକ୍ଷାର ମାନ ଏତେ କମ ଯେ ମୁଁ ଚିନ୍ତା ମଧ୍ୟ କରି ପାରୁନି ସେମାନେ ସହରାଞ୍ଚଳର ପିଲାଙ୍କ ସହିତ କିପରି ପ୍ରତିଦ୍ୱନ୍ଦ୍ବିତା କରି ବୈଷୟିକ ଶିକ୍ଷା କିମ୍ବା ଚାକିରି ପାଇବେ। ତେଣୁ ସେମାନଙ୍କ ମୂଳଦୁଆକୁ ଦୃଢ଼ କରିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରୁଛନ୍ତି। ଯାହାର ଭିତ୍ତିପ୍ରସ୍ତର ଅଳ୍ପ ଦିନରେ କରାଯିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆମ ସରକାର ଅନେକ ସଂସ୍କାର ଆଣିଛନ୍ତି। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକକ ଯୋଜନା ଭାବେ ଲାଗୁ କରାଯାଉଛି। ନାରୀ ସଶକ୍ତୀକରଣ ଆମ ପାଇଁ କେବଳ ଏକ ସ୍ଲୋଗାନ୍‌ ନୁହେଁ, ଏହା ରାଜ୍ୟର ଅଧା ଜନସଂଖ୍ୟା ପ୍ରତି ଆମର ପ୍ରତିବଦ୍ଧତା। କ୍ୟାବିନେଟ୍‌ର ପ୍ରଥମ ଦିନରେ ନିଆଯାଇଥିବା ‘ସୁଭଦ୍ରା’ ଯୋଜନା ଆଜି ରାଜ୍ୟର ସବୁଠାରୁ ବଡ଼ ଡିବିଟି କାର୍ଯ୍ୟକ୍ରମ। ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଜନଜାତି ଏବଂ ଅନୁସୂଚିତ ଜାତି ହେଉଛନ୍ତି ଆମ ରାଜ୍ୟର ଆତ୍ମା। ସେମାନଙ୍କ କଲ୍ୟାଣ ପାଇଁ ଆମ ସରକାର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ତି। ଆମ ସରକାର ଶିକ୍ଷା ଓ ଯୁବ ସଶକ୍ତୀକରଣକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇଆସିଛି। ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ରୁ ୪୨କୁ ବୃଦ୍ଧି କରିଛୁ।
ଆମ ବିକାଶର ଚତୁର୍ଥ ସ୍ତମ୍ଭ ହେଉଛି ଓଡ଼ିଆ ଅସ୍ମିତା। ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ଏବଂ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହିତ ଏହାର ପ୍ରଚାର ପ୍ରସାର ଆମର ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତି ଥିଲା। ତେଣୁ ପ୍ରଥମ କ୍ୟାବିନେଟ୍‌ରେ ଚାରିଦ୍ୱାର ଖୋଲିବା ସହିତ ୫୦୦ କୋଟି ତାଙ୍କର କର୍ପସ୍‌ ଫଣ୍ଡ ଶ୍ରୀମନ୍ଦିର ପାଇଁ ବ୍ୟବସ୍ଥା କରିଥିଲୁ। ଜଗନ୍ନାଥ ସଂସ୍କୃତିର ଆତ୍ମା, ଗୀତିକବି ଜୟଦେବଙ୍କ ଜୟନ୍ତୀକୁ ମହାସମାରୋହରେ ପାଳନ କରିଥିଲୁ, ଯାହାଙ୍କୁ ପୂର୍ବରୁ ଅଣଦେଖା କରାଯାଇଥିଲା। ଜଗନ୍ନାଥ ସଂସ୍କୃତି ସହିତ ଓଡ଼ିଆ ଭାଷା ସାହିତ୍ୟ ପାଇଁ ସରକାର ଯାହା ସବୁ ସମ୍ଭବ ତାହା କରୁଛନ୍ତି। ଏହି ବୈଠକରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ସାଂସଦଗଣ ଓ ବିଧାୟକଗଣ ଉପସ୍ଥିତ ଥିଲେ।