ଭୁବନେଶ୍ବର: ‘ଥାନାକୁ କୌଣସି ଅପରାଧୀ ନ୍ୟାୟ ପାଇଁ ଯାଇ ନଥାନ୍ତି। ଅପରାଧୀଙ୍କ ଦ୍ବାରା ପୀଡ଼ିତ ବ୍ୟକ୍ତି କିମ୍ବା କୌଣସି ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ହିଁ ପୁଲିସକୁ ନ୍ୟାୟ ମାଗିବା ପାଇଁ ଯାଇଥାନ୍ତି। ସେହି ସମୟରେ ସେମାନେ କେଉଁ ପ୍ରକାର ମାନସିକ ଓ ଶାରୀରିକ ପରିସ୍ଥିତିରେ ଥିବେ ଆପଣମାନେ ସମସ୍ତେ ଜାଣିଛନ୍ତି। ତେଣୁ ଯେତେବେଳେ ସେ ଥାନାକୁ ଆସେ, ତା’ର ଭରସା ଥାଏ ଯେ ପୁଲିସ ଠାରୁ ନ୍ୟାୟ ପାଇବ। ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ସେହି ସାଧାରଣ ଲୋକଟିର ଭରସାକୁ ବଜାୟ ରଖି ଉପଯୁକ୍ତ ପଦକ୍ଷେପ ନେବା। ଓଡ଼ିଶା ପୁଲିସର ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’। ତେଣୁ ପୁଲିସ କେବଳ ନ୍ୟାୟପୂର୍ଣ୍ଣ ବ୍ୟବହାର କଲେ ଯଥେଷ୍ଟ ହେବ ନାହିଁ, ଏହାକୁ ସାଧାରଣ ଲୋକ ଅନୁଭବ ମଧ୍ୟ କରିବା ଉଚିତ। ଆଶା କରୁଛି, ଏହି ଦିଗ ପ୍ରତି ପୁଲିସକୁ ବିଭିନ୍ନ ସ୍ତରରେ ନେତୃତ୍ବ ଦେଉଥିବା ଅଧିକାରୀମାନେ ଦୃଷ୍ଟି ଦେବେ। ପୁଲିସ ନିଜର ଏହି ମନ୍ତ୍ରକୁ କାୟ ମନୋବାକ୍ୟରେ ପାଳନ କରିବ।’
ଏହିପରି ଢଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ମଞ୍ଚରୁ ରାଜ୍ୟର ହଜାର ହଜାର ପୁଲିସ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ନୂଆ ସରକାର ଆସିଛି। ଶାସନରେ ପରିବର୍ତ୍ତନ ଆସିଛି। ତାକୁ ଆଧାର କରି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ସମସ୍ତ ତ୍ରୁଟି ବିଚ୍ୟୁତିକୁ ସୁଧାରିବାକୁ ପଡ଼ିବ। ପୁଲିସ ପ୍ରଶାସନ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ଯେପରି କୌଣସି ନାଗରିକ ହଇରାଣ ନ ହୁଅନ୍ତି ସେଥିପ୍ରତି ସେମାନେ ଯତ୍ନବାନ ହେବା ଉଚିତ। ପୁଲିସ ସାଧାରଣ ଲୋକଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ଅବଲମ୍ବନ କରିବା ଦରକାର। ଥାନାଗୁଡ଼ିକ ଏପରି ଏକ ପରିବେଶ ସୃଷ୍ଟି କରିବା ଉଚିତ, ଯାହାଦ୍ବାରା ନାଗରିକମାନଙ୍କୁ ଥାନାରେ ପ୍ରବେଶ କରିବା ସମୟରେ ସାହାଯ୍ୟର ପ୍ରତିଶ୍ରୁତି ମିଳିବ ବୋଲି ସେମାନଙ୍କ ମନରେ ଭାବନା ସୃଷ୍ଟି ହେବ। ଥାନାକୁ ନ୍ୟାୟ ପାଇଁ ଆସୁଥିବା ଲୋକଙ୍କ ପ୍ରତି ବିଶେଷକରି ମହିଳାଙ୍କ ପ୍ରତି ସୌଜନ୍ୟତା ଓ ଶୃଙ୍ଖଳାର ସହ ଉତ୍ତମ ଆଚରଣ ପ୍ରଦର୍ଶନ କରିବା, ସେମାନଙ୍କ ଅଭିଯୋଗକୁ ଶୁଣିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି। ଅଭିଯୋଗକାରୀ ଦିନବେଳା ଆସନ୍ତୁ, ସନ୍ଧ୍ୟା ଅଥବା ରାତିରେ ଆସନ୍ତୁ, ସେମାନେ ଯେପରି ପୁଲିସ ଠାରୁ ଉତ୍ତମ ବ୍ୟବହାର ପାଇବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ପୁଲିସ, ଜନସାଧାରଣଙ୍କ ବନ୍ଧୁ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଦରକାର।
ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ବିରୋଧରେ ଘଟୁଥିବା ଅପରାଧର ତୁରନ୍ତ ସମାଧାନ ଏବଂ ତ୍ବରିତ ବିଚାର ପ୍ରକ୍ରିୟା ମାଧ୍ୟମରେ ଦୋଷୀକୁ କଠୋର ଦଣ୍ଡବିଧାନ କରିବା ଦିଗରେ ଆମ ସରକାର ସର୍ବୋଚ୍ଚ ଅଗ୍ରାଧିକାର ଦେଉଛନ୍ତି। ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଅପରାଧରେ ଶିକାର ହେଉଥିବା ପୀଡ଼ିତାମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଅପରାଧୀ ଯେ କୌଣସି ପଦମର୍ଯ୍ୟାଦାରେ ଥିଲେ ମଧ୍ୟ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହିଳାଙ୍କ ବିରୋଧରେ ଘଟୁଥିବା ମାମଲାଗୁଡ଼ିକରେ ନିରପେକ୍ଷ ତଦନ୍ତ କରିବା ନିତାନ୍ତ ଆବଶ୍ୟକ।
ମହିଳା ହିଂସା ବିରୋଧରେ ଓଡ଼ିଶାରେ ଦଣ୍ଡବିଧାନ ହାର ଉପରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରି କହିଥିଲେ, ଗତ ୨୨ ବର୍ଷ ଅର୍ଥାତ ୨୦୨୨ ସୁଦ୍ଧା ମହିଳା ହିଂସା ବିରୋଧରେ ଦଣ୍ଡବିଧାନ ହାର ହେଉଛି ପ୍ରାୟ ୯.୭୩%। ଯାହା ଅତ୍ୟନ୍ତ ନୈରାଶ୍ୟଜନକ। ଏହା ଯେକୌଣସି ବି ମାନଦଣ୍ଡରେ ଗ୍ରହଣୀୟ ନୁହେଁ। ଏହା ହେବାର କେବଳ ଦୁଇଟି ଅର୍ଥ ଅଛି: ପୁଲିସର ତଦନ୍ତ ଠିକ୍ ଭାବେ ହେଉନାହିଁ କିମ୍ବା ତ୍ବରିତ ଦଣ୍ଡ ବିଧାନ ପାଇଁ ଆନ୍ତରିକତା ନାହିଁ। କିନ୍ତୁ ଆମ ସରକାର ଏହାକୁ କୌଣସି ପ୍ରକାରେ ବରଦାସ୍ତ କରିବେ ନାହିଁ। ମୁଁ ପୁଲିସ ମହାନିର୍ଦ୍ଦେଶକଙ୍କୁ କହିବି, ମହିଳା ହିଂସା ସମ୍ବନ୍ଧରେ ଜିଲ୍ଲାୱାରୀ ଓ ହିଂସା ପ୍ରକାର-ୱାରୀ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହିତ ପ୍ରତି ଜିଲ୍ଲାରେ ଦଣ୍ଡ ବିଧାନ, ଦଣ୍ଡ ବିଧାନ ପେଣ୍ଡିଂ ଷ୍ଟାଟସ ଓ ତାହାର କାରଣ ବିଷୟରେ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବେ। ଏହାକୁ ଅନୁଧ୍ୟାନ କରିବା ପରେ ଆଇନ ବିଭାଗ ସହିତ ବିଚାର ବିମର୍ଶ କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ।
ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ
ପୁଲିସର ନ୍ୟାୟପୂର୍ଣ୍ଣ ବ୍ୟବହାର ଲୋକେ ଅନୁଭବ କରନ୍ତୁ
ସପ୍ତାହକ ମଧ୍ୟରେ ଜିଲ୍ଲାୱାରି ମହିଳା ହିଂସା ତଥ୍ୟ ଦିଅନ୍ତୁ ଡିଜି
ଜିଲ୍ଲାପାଳ-ଏସ୍ପିଙ୍କ ମତାନ୍ତର ଓ ମନାନ୍ତରକୁ ପ୍ରଶ୍ରୟ ଦିଆଯିବନି
୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ
ସେହିପରି ରାଜ୍ୟରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅସଦାଚାରଣ ନେଇ ମୁଖ୍ୟମନ୍ତ୍ରୀ ମର୍ମାହତ ବୋଲି କହିଥିଲେ। ରାଜ୍ୟରେ ଯେପରି ଛାତ୍ରୀ, ଯୁବତୀ ଓ ମହିଳା ଅବାଧରେ ସ୍ବଇଚ୍ଛାରେ ବିଚରଣ କରିପାରିବେ ସେନେଇ ପୁଲିସ ବିଭାଗ ଦୃଷ୍ଟି ଦେଉ। ଏହା ହାସଲ କରିବାକୁ ଯାହା ସବୁ କରିବାକୁ ପଡ଼ିବ ତୁରନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଜି ସମ୍ମିଳନୀରୁ ମୁଖ୍ୟମନ୍ତ୍ରୀ ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଏହି ମଞ୍ଚରୁ ମାଓବାଦୀଙ୍କୁ ପରାମର୍ଶ ଦେଉଛି ସେମାନେ ହିଂସା ତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରିଆସନ୍ତୁ। ନହେଲେ ସେମାନଙ୍କ ପାଇଁ ପରିଣାମ କ’ଣ ହେବ ସେମାନେ ଠିକ୍ ଭାବେ ଜାଣିଛନ୍ତି। ମାଓ ହିଂସାକୁ ଦମନ କରିବା ପାଇଁ ରାଜ୍ୟ ପୁଲିସ ଓ ସୁରକ୍ଷା ବଳ ପାଇଁ ସରକାରଙ୍କ ତରଫରୁ ବ୍ଲାଙ୍କ ଚେକ୍ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ସହଭାଗିତାରେ ଆମ ସରକାର ନକ୍ସଲବାଦକୁ ମାର୍ଚ୍ଚ, ୨୦୨୬ ସୁଦ୍ଧା ନିପାତ କରିବାକୁ ଦୃଢ଼ ସଂକଳ୍ପବଦ୍ଧ। ଏହା ପାଇଁ ପୁଲିସ ବାହିନୀକୁ ସୁଦୃଢ କରିବାକୁ ଆବଶ୍ୟକୀୟ ସରଞ୍ଜାମ, ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ, ଉପକରଣ, ଯାନବାହନ ଯଥା ଶୀଘ୍ର ଯୋଗାଇ ଦିଆଯିବ । ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଆରକ୍ଷୀ ଅଧୀକ୍ଷକମାନେ ମାଓବାଦ ଦମନ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରି ମାଓବାଦୀ କାର୍ଯ୍ୟକଳାପର ସଫଳ ମୁକାବିଲା କରିବାକୁ ସଂକଳ୍ପବଦ୍ଧ ହେବା ଆବଶ୍ୟକ।
ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ନିଶା କାରବାର ଜନିତ ସଂଗଠିତ ଅପରାଧ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଓଡ଼ିଶା ପୁଲିସର ଭୂମିକା ପ୍ରଶଂସନୀୟ। ରାଜ୍ୟରେ ବେଆଇନ ନିଶା କାରବାରକୁ ବନ୍ଦ କରିବା କାମକୁ ମିସନ ମୋଡ୍ରେ କରାଯାଉ। ଏହାଦ୍ବାରା ଆମ ଯୁବବର୍ଗଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ। ସାଇବର ଅପରାଧକୁ ରୋକିବାକୁ ପୁଲିସ ଅଧିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିବର୍ତ୍ତିତ ନ୍ୟାୟ ବ୍ୟବସ୍ଥା ତଥା ଆଜିର ସାମାଜିକ ଗଣମାଧ୍ୟମ ଯୁଗରେ ଯେତେବେଳେ ପ୍ରତି କ୍ଷେତ୍ରରେ ପୁଲିସ ଓ ସରକାର ସାଧାରଣ ଜନତାଙ୍କ ମୋବାଇଲରେ ଆବଦ୍ଧ ହୋଇଯାଉଛନ୍ତି, ପ୍ରତି ପଦକ୍ଷେପରେ ସାଧାରଣ ଜନତାଙ୍କ ନଜରରେ ରହୁଛନ୍ତି। ଆମେ ମଧ୍ୟ ନିଜକୁ ସେହି ପ୍ରକାରେ ପ୍ରସ୍ତୁତ କରିବା ଆବଶ୍ୟକ।
ସେହିପରି ବିଭିନ୍ନ ଜିଲ୍ଲାରେ ଦେଖାଯାଉଥିବା ଜିଲ୍ଲାପାଳ-ଏସ୍ପିଙ୍କ ବିବାଦ ଉପରେ ଶ୍ରୀ ମାଝୀ କହିଛନ୍ତି, ଗୋଟିଏ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ହେଉଛନ୍ତି ଶାସନ ପ୍ରଶାସନର ଦୁଇଟି ଖମ୍ବ। ଯାହାଉପରେ ସଂପୂର୍ଣ୍ଣ ଜିଲ୍ଲାର ପ୍ରଶାସନିକ ଭାର ରହିଥାଏ। ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଗୋଟିଏ ଟିମ୍ ଭାବେ କାମ କରିବା ଉଚିତ, ଅନ୍ୟଥା ବିଭ୍ରାଟ ସୃଷ୍ଟି ହେବ। ଅତୀତରେ ଉଭୟ ଅଧିକାରୀଙ୍କ ମଧ୍ୟରେ କିଛି ମତାନ୍ତର ଏପରିକି ମନାନ୍ତର ନଜିର ରହିଛି। କିନ୍ତୁ, ବର୍ତ୍ତମାନ ସେ ସବୁକୁ ପ୍ରଶ୍ରୟ ଦିଆଯିବ ନାହିଁ। ତେଣୁ ସମସ୍ତଙ୍କୁ ମୋର ନିବେଦନ, ସରକାରଙ୍କ ପ୍ରାଶାସନିକ ପ୍ରତିନିଧି ଭାବେ ସଂଯୋଜନ ରଖି କାର୍ଯ୍ୟ କରିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଲିସର କାର୍ଯ୍ୟଭାର କମାଇବାକୁ ଆଗାମୀ ଦିନରେ ହେବାକୁ ଥିବା ନୂଆ ନିଯୁକ୍ତି ନେଇ, ନୂତନ ଫାଣ୍ଡି, ଥାନାକୁ ଯୋଗାଣ ହେବାକୁ ଥିବା ଚାରିଚକିଆ ଓ ଦୁଇ ଚକିଆ ଗାଡ଼ି ନେଇ ସୂଚନା ଦେବା ସହ ବିଗତ ଦିନର ଭଲ କାମ ପାଇଁ ପ୍ରଶଂସା କରିଥିଲେ। କହିଥିଲେ, ସରକାର ପୁଲିସ ବଳ ସହିତ ଦୃଢ଼ ଭାବେ ଛିଡା ହୋଇଛନ୍ତି। କିନ୍ତୁ, ସେହି ସମାନ ଗୁରୁତ୍ବ ପ୍ରଦାନ କରି ଏହା ମଧ୍ୟ କହୁଛି ଯେ ଦୁର୍ନୀତି, ଅନିୟମିତତା ଓ କ୍ଷମତାର ଦୁରୁପଯୋଗକୁ କେବେହେଲେ ବରଦାସ୍ତ କରାଯିବ ନାହିଁ। ହୁଏତ, ଅଳ୍ପ କିଛି ଅଧିକାରୀ ଏହା କରୁଥାଇପାରନ୍ତି। କିନ୍ତୁ, ଯେପରି କୁହାଯାଏ, ‘ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଚାଲିଯାଏ’, ସେଥିପ୍ରତି ଆମେ ସମସ୍ତେ ଧ୍ୟାନ ରଖିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/8vGoalvwosWcZaHu6SLS.jpg)