ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ: ୧୫୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ, ଉଦ୍‌ଘାଟନ

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସି ୧୫୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଓ ଅଷ୍ଟମ ଥର ରାଜ୍ୟ ବିଜେଡି ସଭାପତି ଭାବେ ଦାୟିତ୍ବ ନେବା ପରେ ନବୀନ ପଟ୍ଟନାୟକଙ୍କ ଏହା ଥିଲା ପ୍ରଥମ ସୁନ୍ଦରଗଡ଼ ଗସ୍ତ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଅପରାହ୍ନ ୧ଟା ୧୫ରେ ସୁନ୍ଦରଗଡ଼ ଷ୍ଟାଡ଼ିୟମଠାରେ ପହଞ୍ଚିଥିଲେ। ବିିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ବିଧାୟକ ସାରଦା ନାୟକ, ସୁବ୍ରତ ତରାଇ ଓ ଦିଲୀପ ତିର୍କୀ, ପଦ୍ମିନୀ ଶେଖର ଦେଓ ଏବଂ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଏସପି ସୌମ୍ୟା ମିଶ୍ର ପ୍ରମୁଖ ତାଙ୍କୁ ସ୍ବାଗତ ଜଣାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ହଜାରେ କୋଟିର ୧୦୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ ଶହ କୋଟିର ୪୧ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଆଜି ସୁନ୍ଦରଗଡ଼ରେ ୧୫ ଶହ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହେଲା। ସୁନ୍ଦରଗଡ଼ବାସୀଙ୍କ ବହୁ ବର୍ଷର ମେଡ଼ିକାଲ କଲେଜ ସ୍ବପ୍ନ ମଧ୍ୟ ଖୁବ୍‌ଶୀଘ୍ର ସାକାର ହୋଇ ଲୋକଙ୍କୁ ସେବା ଯୋଗାଇଦେବ। ଆହୁରି ମଧ୍ୟ କହିଥିଲେ ଯେ, ହକି, ଫୁଟବଲ୍‌, ତୀରଚାଳନା ଆଦିରେ ସୁନ୍ଦରଗଡ଼ର ଖେଳାଳିମାନେ ଦେଶବିଦେଶରେ ସୁନାମ ଅର୍ଜନ କରିଛନ୍ତି। ୨୦୨୩ ମସିହାରେ ରାଉରକେଲାଠାରେ ହକି ବିଶ୍ବକପ୍‌ ବି ଅନୁଷ୍ଠିତ ହେବ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷା ପଦ୍ମିନୀ ଶେଖର ଦେଓ ଧନ୍ୟବାଦ ଦେଇଥିଲେ। ସଭାରେ ଜିଲ୍ଲା ପରିଷଦ ସଭାନେତ୍ରୀ ଏମା ଏକ୍କା ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର