କେନ୍ଦୁଝର: କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବାପରେ ଚର୍ଚ୍ଚାକୁ ଆସିଛି କେନ୍ଦୁଝର ସଦର ବ୍ଲକ୍‌ ରାଇକଳା ପଞ୍ଚାୟତର ରାଇକଳା ଗ୍ରାମ। ରାଇକଳା ଗ୍ରାମରେ ଜନ୍ମ ହୋଇଥିବା ମୋହନ ପ୍ରଥମେ ରାଇକଳା ପଞ୍ଚାୟତରୁ ସରପଞ୍ଚ ହୋଇ ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ଚାରି ଚାରିଥର ବିଧାୟକ ହେବା ସହ ଏବେ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। କେନ୍ଦୁଝର ସହରଠାରୁ ୩୦ କିଲୋମିଟର ଦୂରରେ ରହିଛି ରାଇକଳା ଗ୍ରାମ। ଏଠାକାର ଲୋକସଂଖ୍ୟା ୭୦୦ରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର।

Advertisment

ଲୋକଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ। ଗ୍ରାମବାସୀ ଧାନଚାଷ ସମେତ ଅନ୍ୟାନ୍ୟ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ମୋହନ ବିଧାୟକ ହେବା ପରେ ଗାଁରେ ବହୁ ଉନ୍ନତିମୂଳକ କାମ କରିଛନ୍ତି। ରାସ୍ତାଘାଟଠାରୁ ଆରମ୍ଭ କରି ବିଦ୍ୟାଳୟ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କରି ଗ୍ରାମବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି। ମୋହନ ପରିବାର ସହ କେନ୍ଦୁଝରରେ ରହୁଥିବା ବେଳେ ଏଠାରେ ଥିବା ତାଙ୍କ ପୈତୃକ ଘରେ ସାନଭାଇଙ୍କ ପରିବାର ରହୁଛନ୍ତି। ମୋହନ ମୁଖ୍ୟମନ୍ତ୍ରୀ ହେଉଥିବା ଜାଣି ରାଇକଳାରେ ଏବେ ଖୁସିର ମାହୋଲ। ଲୋକେ ଏଠାରେ ପରସ୍ପରକୁ ମିଠା ବାଣ୍ଟି ଖୁସି ମନାଉଛନ୍ତି।