ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ

ମଞ୍ଚରେ ଏକଘରକିଆ ବିଜେପି ସାଂସଦ ବସନ୍ତ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କଳାହାଣ୍ଡିର ବିଜେପି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇଥିଲେ। ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ରାଜ୍ୟ ବିଜେପି ଏହି କାର୍ଯ୍ୟକ୍ରମକୁ ବିଜେଡିର ଦଳୀୟ କାର୍ଯ୍ୟକ୍ରମ କହି ବିରୋଧ କରୁଥିବାବେଳେ ବସନ୍ତଙ୍କ ମଞ୍ଚରେ ଉପସ୍ଥିତି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ବିଜେଡି ଏହାକୁ ସରକାରୀ କାର୍ଯ୍ୟକ୍ରମ କହୁଥିଲେ ବି ସମଗ୍ର ସଭାସ୍ଥଳ ବିଜେଡିମୟ ହୋଇଥିବା ଯୋଗୁଁ ବସନ୍ତଙ୍କୁ ଏକରକମ ହିନସ୍ତା ହେବାକୁ ପଡ଼ିଥିଲା। ଗୋଟିଏ ପଟେ ରାଜ୍ୟ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ରାଜଧାନୀରେ ସାମ୍ବାଦିକ ସମ୍ମିଳନୀ କରି କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ବେଳେ, ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବସନ୍ତଙ୍କ ଉପସ୍ଥିତି ଦଳକୁ ଅଡୁଆରେ ପକାଇଛି।

ପ୍ରଦୀପ ଓ ମୌଷଧୀଙ୍କ ତଥ୍ୟରେ ତାଳମେଳ ନାହିଁ
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ପୂର୍ବରୁ ଅନ୍ୟ ଏକ ମଞ୍ଚରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଓ ଧର୍ମଗଡ଼ ବିଧାୟକ ମୌଷଧୀ ବାଗଙ୍କ ଭାଷଣରେ ତଥ୍ୟର ତାଳମେଳ ରହିନଥିଲା। ତେଣୁ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପ୍ରଦୀପ ଦିଶାରୀ ମେଗାଲିଫ୍ଟ ଦ୍ୱାରା ୪୫ ହଜାର ହେକ୍ଟର ଜମି ଜଳସେଚିତ ହେବ ବୋଲି କହିଥିଲେ। ଅନ୍ୟପକ୍ଷରେ ଧର୍ମଗଡ଼ ବିଧାୟକ ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ୨ବିଧାୟକଙ୍କ ତଥ୍ୟରେ ତାଳମେଳ ନରହିବାରୁ ସେମାନଙ୍କ ତଥ୍ୟ ଜ୍ଞାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ନିଜ ନିର୍ବାଚନମଣ୍ଡଳୀରେ ଜଳସେଚନ ହେଉଥିବା ବେଳେ ତଥ୍ୟ ଅଭାବ ଯୋଗୁଁ ହଟହଟା ହେବାକୁ ପଡ଼ିଥିଲା।

ଅର୍କକେଶରୀଙ୍କ ଦେଖା ମିଳିଲାନି
କଳାହାଣ୍ଡି ବିଜେଡିର ପୁରୁଣା ବିଧାୟକ ଓ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ପାସ୍‌ ନମିଳିବା ଯୋଗୁଁ କାର୍ଯ୍ୟକ୍ରମରେ ସେମାନଙ୍କୁ ଦେଖା ମିଳିନଥିଲା। ପୂର୍ବତନ ଲୋକସଭା ସାଂସଦ ଅର୍କକେଶରୀ ଦେଓ, ପୂର୍ବତନ ଦଳିତ ବିଧାୟକ ଅନାମ ନାଏକ, ଆଦିବାସୀ ବିଧାୟକ ବଳଭଦ୍ର ମାଝୀ ଓ ଧନେଶ୍ୱର ମାଝୀ ପ୍ରମୁଖ ଦଳରେ କୋଣଠେସା ହେବା ଘଟଣା ଚର୍ଚ୍ଚା ହୋଇଛି। ବିଜେପି ସାଂସଦ ଥିବା ବସନ୍ତ ପଣ୍ଡାଙ୍କୁ କାର୍ଯ୍ୟକ୍ରମକୁ ଡକା ଯାଇଥିଲା। କିନ୍ତୁ ବିଜେଡିର ପୂର୍ବତନ ସାଂସଦ ଅର୍କକେଶରୀ ଦେଓଙ୍କୁ ଡକା ଯାଇନଥିବାରୁ କାର୍ଯ୍ୟକ୍ରମରେ ତାଙ୍କର ଦେଖା ମିଳିନଥିଲା।

ପୁଷ୍ପେନ୍ଦ୍ରଙ୍କୁ କୁଣ୍ଢାଇ ପକାଇଲେ ବବି ଦାସ
କାର୍ଯ୍ୟକ୍ରମ ମଞ୍ଚରେ ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ ନିଜ ଅଭିଭାଷଣରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରଶଂସା କରିଥିଲେ। ମେଗାଲିଫ୍ଟ ପ୍ରକଳ୍ପରେ ତାଙ୍କର ପ୍ରମୁଖ ଭୂମିକା ଥିଲା ବୋଲି କହିଥିଲେ। କିନ୍ତୁ ପୁଷ୍ପେନ୍ଦ୍ର ଏହି ସଭାସ୍ଥଳରେ ନାହାନ୍ତି ବୋଲି କହିଥିଲେ। ସେହି ସମୟରେ ପୁଷ୍ପେନ୍ଦ୍ର ସଂଗଠନ ସମ୍ପାଦକ ବବି ଦାସଙ୍କ ସହିତ ୮ କିମି ଦୂରରେ ଥିବା ହୀରାପୁର ମେଗାଲିଫ୍ଟର କେନାଲ୍‌ ଠାରେ ଥିଲେ। ମନ୍ତ୍ରୀ ରଘୁନନ୍ଦନଙ୍କ ପୁଷ୍ପେନ୍ଦ୍ର ଆମ ଗହଣରେ ନାହାନ୍ତି କହିବା ସମୟରେ ବବି ଦାସ ପୁଷ୍ପେନ୍ଦ୍ରଙ୍କୁ କୁଣ୍ଢାଇ ପକାଇଥିଲେ। ପୁଷ୍ପେନ୍ଦ୍ରଙ୍କୁ ମଞ୍ଚରୁ ଦୂରେଇ ରଖିବା, ଏହାପରେ ଆମ ଗହଣରେ ନାହାନ୍ତି କହିବା ଓ ବବି ଦାସ କୁଣ୍ଢାଇବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଣିଦେଇଛି।

କୁନା ତ୍ରିପାଠୀ: ନ୍ୟୁଜ୍‌ ଫ୍ୟୁଜ୍‌ରୁ କନ୍‌ଫ୍ୟୁଜ୍‌
ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଜେଡ଼ି ନେତା, ଅଭିନେତା ତଥା ଆଙ୍କର୍‌ କୁନା ତ୍ରିପାଠୀ ଏବଂ ସୁଲଗ୍ନା ରାଉତରାୟ ମଞ୍ଚ ସଂଯୋଜନା କରୁଥିଲେ। ସେ ବୁଧବାର ଜୁନାଗଡ଼ ସହରର ଇନ୍‌ଡୋର ହଲ୍‌କୁ ଦେଖିବାକୁ ଯାଇଥିଲେ। ଏଭଳି ଇନ୍‌ଡୋର କଟକ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳେନାହିଁ। ଏହା ଏକ ବିଶ୍ବସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌ ଇନ୍‌ଡୋର ହଲ୍‌ ଅଟେ। ସେ କଳାହାଣ୍ଡି ଜିଲ୍ଲାକୁ ୧୯୮୫ ମସିହାରେ ଆସିଥିଲେ। ପୁଣି ୨୦୯୫ରେ ଆସିଥିଲେ ବୋଲି କହୁ କହୁ କହିଦେଲେ। ନ୍ୟୁଜ୍‌ ଫ୍ୟୁଜ୍‌ରୁ କନ୍‌ଫ୍ୟୁଜ୍‌ ହେଉଥିବା କୁନା ତ୍ରିପାଠୀ ୨୦୯୫ ମସିହାରେ ଆସିଥିବା କହିବା ପରେ ଦର୍ଶକମାନେ ତାଜୁବ୍‌ ହେବା ସହିତ ପରସ୍ପର ଦେଖାଦେଖି ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଭାରେ କୁନା ତ୍ରିପାଠୀ କନ୍‌ଫ୍ୟୁଜ୍‌ ହୋଇଯାଇଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଭବାନୀପାଟଣାରୁ ଦେବେନ୍ଦ୍ର କୁମାର ବିଶି

ସମ୍ବନ୍ଧିତ ଖବର