ବ୍ରହ୍ମଗିରି: ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପତ୍ନୀଙ୍କ ସହିତ ଶ୍ରୀଅଲାରନାଥଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅପରାହ୍ଣ ସାଢ଼େ ଚାରିଟାରେ ସାକ୍ଷୀଗୋପାଳରେ ପହଞ୍ଚି ସଂହଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରୀଜିଉଙ୍କ ଦର୍ଶନ ସାରିବା ପରେ ବେଢ଼ା ପରିକ୍ରମା କରିବା ସହିତ ମହାଲକ୍ଷ୍ମୀଙ୍କ ଦର୍ଶନ କରିଛନ୍ତି। ଅଳ୍ପ ସମୟ ପାଇଁ ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ରଥଯାତ୍ରା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବାକୁ ପୁରୀ ଆସିଥିବା ଶ୍ରୀ ମାଝୀ ଫେରିବା ସମୟରେ ସାକ୍ଷୀଗୋପାଳ ଆସିଥିଲେ। ଏହି ଅବସରରେ ମନ୍ଦିର ବାହାରେ ଅପେକ୍ଷାରତ ସାମ୍ବାଦିକଙ୍କୁ ଭେଟି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ସେ ପ୍ରଥମଥର ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ଆସିଛନ୍ତି।
ଦୁଇତିନି ବର୍ଷ ପୂର୍ବେ ବିଧାୟକମାନଙ୍କ ସହିତ ଦର୍ଶନ କରି ଯାଇଥିଲି। ପ୍ରଭୁଙ୍କ ଦର୍ଶନ କରିବା ସୈାଭାଗ୍ୟର କଥା। ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ହେବ ଏବଂ ସମସ୍ତେ କିଭଳି ସୁଖଶାନ୍ତିରେ ରହିବେ ସେନେଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଥିଲେ। ଚିଲିକା ଉପରେ ସାତପଡ଼ାଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ସେତୁ ନିର୍ମାଣ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/23/gdggdcvcv-2025-06-23-03-20-50.jpg)