କଟକ : ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଜି ବିଏସ୍କେଓ୍ବାଇ ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରିବାକୁ ଥିବାବେଳେ ପୁଲିସ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛି। ମମିତା ମେହେର ମାମଲାରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଅଣ୍ଡା ମାଡ଼ କରିବାର ଆଶଙ୍କା ରହିଛି। ପୁରୀ ଭଳି ଅଣ୍ଡା ମାଡ଼ ସ୍ଥିତି ଯେଭଳି କଟକରେ ସୃଷ୍ଟି ନହୁଏ, ସେଥିପାଇଁ ସତର୍କ ନଜର ରଖାଯାଇଛି। ଏଥିପାଇଁ ସାରା ବାଲିଯାତ୍ରା ପଡ଼ିଆରେ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, କଟକ କମିସନରେଟ୍ ପୁଲିସ ପୁରା ସୁରକ୍ଷା ବ୍ୟବସ୍ଥାରେ ମୋଟ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାସହିତ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ଏଡିସିପି ଓ ଏସିପି ପାହ୍ୟାର ୧୦ ଅଫିସରଙ୍କୁ ନିୟୋଜିତ କରାଯିବ। ତାଙ୍କୁ ସହଯୋଗ କରିବେ ୧୦୦ ପୁଲିସ ଅଫିସର। ଏମାନେ ହେଉଛନ୍ତି ଏସଆଇରୁ ଏଏସଆଇ ପାହ୍ୟାର ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ହେଲକପ୍ଟରେ ଗସ୍ତକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଉପର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଛି। ଆଜି ଦିନ ପ୍ରାୟ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ ହେଲପ୍ୟାଡ୍ରେ ଓହ୍ଲାଇବେ। ସେଠୁ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଞ୍ଚିବେ। ୧୧ଟା ୧୭ରେ କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପୁଣି ଅସ୍ଥାୟୀ ହେଲପ୍ୟାଡ୍କୁ ଫେରିଯିବେ। ସେଠାରେ ହେଲିକପ୍ଟର୍ରେ ମୁଖ୍ୟମନ୍ତ୍ରୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ସକାଳ ପ୍ରାୟ ୯ଟା ପରଠାରୁ ମାତାମଠ, ଚହଟା, କ୍ୟାଣ୍ଟନ୍ମେଣ୍ଟ ରୋଡ୍, ଚଣ୍ଡୀମନ୍ଦିର ଛକ ଓ ବିଜୁ ପଟ୍ଟନାୟକ ଛକ ଆଖପାଖ ଅଞ୍ଚଳରେ ଯାନବାହନ ଚଳାଚଳ ଉପରେ ତୀକ୍ଷ୍ଣ ନଜର ରଖିଯିବ। ଅଣ୍ଡା ମାଡ଼ ଭୟ ଥିବାରୁ କେହି ଯେଭଳି ସେ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରନ୍ତି, ସେଥିପାଇଁ କଡ଼ା ନଜର ରଖାଯିବ। ରବିବାର ଦିନ ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିସିପି ପ୍ରତୀକ ସିଂହ ବାରବାଟି ଷ୍ଟାଡିୟମ୍ରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ କରିଥିଲେ। ଏହି ବୈଠକରେ ସମସ୍ତ ଜୋନ୍ ଏସିପି ଓ ଥାନା ଆଇଆଇସିମାନେ ଉପସ୍ଥିତ ଥିଲେ।