ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ: ୨୦୦୦ କୋଟିର ପ୍ରକଳ୍ପ ଭେଟି

ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ସହଯୋଗ ଦରକାର: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର/ଛତ୍ରପୁର/ହିଞ୍ଜିଳିକାଟୁ/କବିସୂର୍ଯ୍ୟନଗର : ‘ଗଞ୍ଜାମ ବର୍ତ୍ତମାନ ବିକାଶ ‌କ୍ଷେତ୍ରରେ ରାଜ୍ୟରେ ଏକ ଆଗୁଆ ଜିଲ୍ଲା ଭାବେ ପରିଗଣିତ ହୋଇଛି। ଏହି ଜିଲ୍ଲାକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ହେଲେ, ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ଆର୍ଥିକ ଓ ସାମାଜିକ ବିକାଶ‌ରେ ରାଜ୍ୟର ‘ମିସନ୍ ଶକ୍ତି ମାଆମାନଙ୍କ ଭୂମିକା ପ୍ରଶଂସନୀୟ। କାରଣ ସେମାନଙ୍କ ଉନ୍ନତିରେ ଦେଶର ଉନ୍ନତି ସମ୍ଭବ। ରାଜ୍ୟର ଆର୍ଥିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମିସନ୍ ଶକ୍ତି ମାଆମାନଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗା‌ଇଦେଉଛନ୍ତି। ଆଗକୁ ସେମାନେ ଉଦ୍ୟୋଗୀ ଭା‌ବେ ପ୍ରତିଷ୍ଠିତ ହୁଅନ୍ତୁ ବୋଲି ମୁଁ ଚାହୁଁଛି। ରାଜ୍ୟର ଏସ୍‌ଏଚ୍‌ଜି ଗୁଡ଼ିକ ଏସ୍‌ଏମଇ ହେବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିବ‌ା ଅବସରରେ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ରବିବାର ଦିନ ଗଞ୍ଜାମ ଜିଲ୍ଲା ଗସ୍ତ କରି ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଛତ୍ରପୁରରେ ୧୦୦୦ କୋଟି, ହିଞ୍ଜିଳିକାଟୁରେ ୫୯୦ କୋଟି ଓ କବିସୂର୍ଯ୍ୟନଗରରେ ୩୧୬ କୋଟି ଟଙ୍କାରୁ ଅଧିକ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦ହଜାର ଲୋକଙ୍କୁ ଗ୍ରାମକଣ୍ଟକ ଜମିପଟ୍ଟା ବଣ୍ଟନ କରିଥିଲେ। ଛତ୍ରପୁରରେ ୩୫୦୦ ପଟ୍ଟା, ହିଞ୍ଜିଳିକାଟୁରେ ୪୫୦୦ ଓ କବିସୂର୍ଯ୍ୟନଗରରେ ୧୧ହଜାରରୁ ଅଧିକ ପଟ୍ଟା ବଣ୍ଟନ କରାଯାଇଥିଲା। ଏହାସହ ‘ମିସନ୍ ଶକ୍ତି ମାଆ ମାନଙ୍କୁ ମୁଖ୍ୟମନ୍ତ୍ରୀ ବିନାସୁଧରେ ୬୧୪ କୋଟି ଟଙ୍କା ଋଣ ବାଣ୍ଟିଥିଲେ। ଛତ୍ରପୁରରେ ୧୮୦ କୋଟି, ହିଞ୍ଜିଳିକାଟୁରେ ୧୫୪ ଓ କବିସୂର୍ଯ୍ୟନଗରରେ ୨୮୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା।

‘ମାଆମାନଙ୍କ ଉନ୍ନତି‌ରେ ଦେଶର ଉନ୍ନତି
‘ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲ୍ ରୂପାନ୍ତରଣ ହେବ
ମିସନ୍ ଶକ୍ତି ମହିଳାଙ୍କୁ ବିନା ସୁଧରେ ଋଣ ବଣ୍ଟନ

ସମସ୍ତ ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମାଆମାନଙ୍କୁ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ୫-ଟି ସ୍କୁଲ୍ ରୂପାନ୍ତରଣ ରାଜ୍ୟ ସରକାରଙ୍କ ଦୁଇଟି ମାଇଲଷ୍ଟୋନ୍ ସଫଳତା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୫୦ହଜାର ‌ଲୋକ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ୫-ଟି ସ୍କୁଲ୍ ରୂପାନ୍ତରଣ ଅଭିଯାନରେ ଗଞ୍ଜାମ ଜିଲ୍ଲାର ୬୩୦ଟି ହାଇସ୍କୁଲ୍ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୭୧ଟି ହାଇସ୍କୁଲ୍‌ର ରୂପାନ୍ତରଣ ଶେଷ ହୋଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ରୂପାନ୍ତରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କୃଷିର ବିକାଶକୁ ପ୍ରାଧାନ୍ୟ ଦେଇ ରାଜ୍ୟରେ କୃଷକମାନଙ୍କୁ ମଧ୍ୟ ବିନା ସୁଧରେ ଏକଲକ୍ଷ ଟଙ୍କାର ଋଣ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଭା ଆରମ୍ଭରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ଅଧିଷ୍ଠାତ୍ରୀ ମା ତାରାତାରିଣୀଙ୍କୁ ସ୍ମରଣ କରିଥିଲେ। ଏହାସହ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟ ବଳଦେବ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଓ ଆଲୋକୀକରଣ ବ୍ୟବସ୍ଥାକୁ ଆହୁରି ପ୍ରାଧାନ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପ୍ରଥମେ କବିସୂର୍ଯ୍ୟନଗର ଗସ୍ତ କରିଥିଲେ। ସେଠାରୁ ମଧ୍ୟାହ୍ନ ୧୨ଟାରେ ହିଞ୍ଜିଳିକାଟୁ ବ୍ଲକ୍ ସମରଝୋଳସ୍ଥିତ ମେଘମାଳ ତୋଟାରେ ହେଲିକପ୍ଟର୍ ଯୋଗେ ପହଞ୍ଚି ସଭାସ୍ଥଳରେ ଉଦ୍‌ବୋଧନ ଦେଇଥିଲେ। ଆଉ ହିଞ୍ଜିଳିକାଟୁ ସହରରେ ବାପା ତଥା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ସେଠାରୁ ଅପରାହ୍‌ଣ ୩ଟାରେ ଛତ୍ରପୁର ଅଭିମୁଖେ ଯାଇଥିଲେ।

୩ଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରିଷ୍ଣାଙ୍କ ସମେତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ବାଇଁ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଅଭିନେତା କୁନା ତ୍ରିପାଠୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଏସ.ପି. ଜଗମୋହନ ମୀନା, ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାଶ ନାୟକ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଓଆରଏଚଡିସି ଅଧ୍ୟକ୍ଷ ଡି.ବିଶ୍ୱନାଥ, ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷା ସରସ୍ବତୀ ସେଠୀ, ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରିଟ୍ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ଯୁବନେତା କିରଣ ପଟ୍ଟନାୟକ, ନୀଳମଣି ପଟ୍ଟନାୟକ, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ଭୀମସେନ ବେହେରା, ଇଫକୋ ନିର୍ଦ୍ଦେଶକ ସୀମାଞ୍ଚଳ ପାଢ଼ୀ, ପୂର୍ବତନ ନଗରପାଳ ଶିବରାମ ଗୌଡ଼ ଓ ହୃଦୟାନନ୍ଦ ମହାପାତ୍ରଙ୍କ ବିଭିନ୍ନ ସ୍ଥାନରୁ ଜନପ୍ରତିନିଧି ଓ ବିଭିନ୍ନ ବ୍ଲକ୍‌ରୁ ପଦାଧକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ସ୍ଥାନରେ ବିଜେଡି ନେତୃବୃନ୍ଦ ଓ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର