ଭବାନୀପାଟଣା: ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ଏନେଇ ପୁଲିସ ପକ୍ଷରୁ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନେତୃତ୍ବରେ ନବରଙ୍ଗପୁର ଓ ନୂଆପଡ଼ା ଏସ୍ପି ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ବୃନ୍ଦାବାହାଲରୁ ଧର୍ମଗଡ଼ ଗୋଡ଼ଭଞ୍ଜା ପର୍ଯ୍ୟନ୍ତ ରୋଡ ସୋ ହେବାକୁ ଥିବାବେଳେ ଧର୍ମଗଡ଼ରୁ ଆମପାଣି ପର୍ଯ୍ୟନ୍ତ ରୋଡ ସୋ ବାତିଲ କରାଯାଇଛି। ଧର୍ମଗଡ଼ଠାରୁ ଆମପାଣିକୁ ମୁଖ୍ୟମନ୍ତ୍ରୀ ହ୍ୟାଲିକ୍ୟାପ୍ଟର ଯୋଗେ ଯିବାକୁ ଥିବା ଯୋଗୁଁ ରୋଡ୍ ସୋ’ ପାଇଁ ଅପେକ୍ଷା କରିଥିବା ଲୋକେ ନିରାଶ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ କାର୍ଯ୍ୟକ୍ରମ ସାରି ସେଠାରୁ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ହାଇସ୍କୁଲ ପଡ଼ିଆରେ ପହଞ୍ଚିବେ। ସେଠାରେ ବିରାଟ ସମାବେଶକୁ ଉଦବୋଧନ ଦେବେ। ଏଥିରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ସେଠାରୁ ବସ୍ରେ ମୁଖ୍ୟମନ୍ତ୍ରୀ ଧର୍ମଗଡ଼ ବ୍ଲକର ସ୍ମାର୍ଟ ପାର୍କ ପର୍ଯ୍ୟନ୍ତ ରୋଡ଼ ସୋ’ରେ ଆସିବେ। ସେଠାରୁ ହେଲିକପ୍ଟର ଯୋଗେ ଆମପାଣିରେ ପହଞ୍ଚିବେ। ସେଠାରେ ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଆମପାଣି ହାଇସ୍କୁଲ ପଡ଼ିଆଠାରୁ ଉତ୍କେଲା ଏୟାର ଷ୍ଟ୍ରିପକୁ ଯିବେ। ପରେ ଉତ୍କେଲାରୁ ଏୟାରକ୍ରଫ୍ଟ ବି–୨୦୦ ଭିଟି–ଜେପିଭି ଏୟାରକ୍ରାଫ୍ଟ ଯୋଗେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ମୁତୟନ ହେବେ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ
ଧର୍ମଗଡ଼ରୁ ଆମପାଣିକୁ ହେଲିକପ୍ଟର ଯୋଗେ ଯିବେ, ରୋଡ୍ ସୋ’ ବାତିଲ
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବୃନ୍ଦାବହାଲଠାରେ ଜରିଗୁମା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିମନ୍ତେ ୨୦ କୋଟି, ଭବାନୀପାଟଣା-ରାୟଗଡ଼ା ରାସ୍ତା ପ୍ରଶସ୍ତୀକରଣ ନିମନ୍ତେ ୪୮ କୋଟି, ୧ କୋଟି ୩୦ ଲକ୍ଷ ବ୍ୟୟ ଅଟକଳରେ ନବନିର୍ମିତ ଜୁନାଗଡ଼ ବସଷ୍ଟାଣ୍ଡ, ୨ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଧର୍ମଗଡ଼ ବସଷ୍ଟାଣ୍ଡ, ୬ କୋଟି ବ୍ୟୟରେ କୁରୁଗୁଡା ଊନ୍ନୀତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅପଗ୍ରେଡେସନ, ୬ କୋଟି ବ୍ୟୟରେ ଜୟପାଟଣା ଉନ୍ନୀତ ହାୟର ସେକେଣ୍ଡେରି ସ୍କୁଲ, ୧୦ କୋଟି ୯୭ ଲକ୍ଷ ବ୍ୟୟରେ ଅର୍ଜୁନ ଗାଁ ପାଇପ୍ ଜଳ ଯୋଗାଣ, ୯ କୋଟି ୯୬ ଲକ୍ଷ ବ୍ୟୟରେ ଜୟପାଟଣା-ମୁଖୀଗୁଡ଼ା ରାସ୍ତା, ୧୯ କୋଟି ୯୬ ଲକ୍ଷ ବ୍ୟୟରେ ଗୁଣପୁର-କାଶୀପୁର ରାସ୍ତା, ୬ କୋଟି ବ୍ୟୟରେ ଧର୍ମଗଡ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ଜୁନାଗଡ଼ ଆଇଟିଆଇ, ଧର୍ମଗଡ–ଫରଙ୍ଗ ତେଲ ନଦୀ ଉପରେ ୧୪ କୋଟି ବ୍ୟୟରେ ସୁଉଚ୍ଚ ପୋଲ ନିର୍ମାଣ ସମେତ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। କଳାହାଣ୍ଡି ଏସ୍ପି ଅଭିଳାଷ ଜି. ଛୁଟିରେ ଥିବା ଯୋଗୁଁ ନବରଙ୍ଗପୁର ଓ ନୂଆପଡ଼ା ଏସପି ଶାନ୍ତିଶୃଙ୍ଖଳା ଦାୟିତ୍ବରେ ଅଛନ୍ତି।