ବରଗଡ଼ : ଉପନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାହାକୁ ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ରବିବାର ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍ ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଗସ୍ତରେ ଆସୁଛନ୍ତି। ସବୁଠି ଜନସଭାକୁ ସମ୍ବୋଧିତ କରି ଧନ୍ୟବାଦ ଜଣାଇବେ।
ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ସତୀଭଟା ଏୟାର୍ଷ୍ଟ୍ରିପ୍ରେ ଅବତରଣ କରିବେ। ସେଠାରୁ ହେଲିକପ୍ଟରରେ ବାହାରି ଝାରବନ୍ଧ ଶକ୍ତିଛକ ହେଲିପେଡ୍ରେ ଓହ୍ଲାଇବେ। ପରେ ହେଲିକପ୍ଟରରେ ବାହାରି ୧୨.୩୦ରେ ପାଇକମାଳଠାରେ ପହଂଚିବେ। ସେଠାରୁ ସଭା ସାରି ପୁଣି ହେଲିକପ୍ଟରରେ ପଦ୍ମପୁର ଆର୍ଏଲ୍ କଲ୍ୟାଣ ମଣ୍ଡପସ୍ଥିତ ହେଲିପ୍ୟାଡ୍ରେ ଅବତରଣ କରିବେ। ମଧ୍ୟାହ୍ନଭୋଜନ ପରେ ଅପରାହ୍ଣ ୩.୪୫ରେ ସେ ହାଇସ୍କୁଲ ପଡ଼ିଆରେ ପହଂଚିବେ। ସେଠାରେ କାର୍ଯ୍ୟକ୍ରମ ସାରି ସତୀଭଟା ଏୟାରଷ୍ଟ୍ରିପ୍ରୁ ପୁଣି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ। ସୁରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମୋଟ୍ ୨୫ ପ୍ଲାଟୁନ୍ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଏହାବାଦ୍ ୫ଜଣ ଏଏସ୍ପି, ୧୬ ଡିଏସ୍ପି, ୩୨ଜଣ ଆଇଆଇସି, ଶହେ ଜଣ ଏସ୍ଆଇ/ଏଏସ୍ଆଇ ନିୟୋଜିତ ହେବେ।