ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଆଜି

ନେତାଙ୍କ ଭିଡ଼ ଯୋଗୁ ଚଳଚଞ୍ଚଳ

ସମ୍ବଲପୁର : ଆଜି ୨ ତାରିଖ (ମଂଗଳବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସୁଛନ୍ତି। କୁଚିଣ୍ଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିବେ। ଏଥିସହିତ, ସମ୍ବଲପୁର ମହାନଗର, ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ୍‌ଏସି ଅଂଚଳରେ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ଦାୟିତ୍ବରେ ଥିବା ନେତାମାନେ ମଧ୍ୟ ଅନୁରୂପ ଭାବେ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବେ। ପ୍ରାୟ ସମ‌ସ୍ତେ ସୋମବାର ସନ୍ଧ୍ୟା ସୁଦ୍ଧା ନିଜ ସହାୟକ ଅଧିକାରୀ/କର୍ମଚାରୀମାନଙ୍କ ସହିତ ସମ୍ବଲପୁର ଜିଲ୍ଲାରେ ପହଂଚି ପହଞ୍ଚିଛନ୍ତି। ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜେ କୁଚିଣ୍ଡାରେ ସମସ୍ତ ପ୍ରସ୍ତୁତିର ତଦାରଖ କରିବା ସହିତ ସମ୍ବଲପୁର ସର୍କିଟ୍‌ ହାଉସ୍‌ରେ ଦଳୀୟ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି।

ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ କୁଚିଣ୍ଡା ମୁକୁନ୍ଦି ପଡ଼ିଆ ସଭାସ୍ଥଳରେ ପହଂଚିବେ। ଉପମୁଖ୍ୟ ସଚେତକ ତଥା ବିଧାୟକ ଇଂ.ରୋହିତ ପୂଜାରୀଙ୍କ ସ୍ବାଗତ ଭାଷଣ ପରେ କୁଚିଣ୍ଡା ବିଧାୟକ କିଶୋର ନାୟକ, ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପରେ ମୁଖ୍ୟମନ୍ତ୍ରୀ କିଛି ହିତାଧିକାରୀଙ୍କୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବେ। ମୁଖ୍ୟମନ୍ତ୍ରୀ ୧୧ଟା ୩୭ରୁ ୧୧ଟା ୪୧ ପର୍ଯ୍ୟନ୍ତ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେବା ପରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଧନ୍ୟବାଦ ଅର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ତେବେ, ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଅରୁଣ ସାହୁ, ସମୀର ରଂଜନ ଦାଶ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରେମାନନ୍ଦ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ସାଂସଦ ମୁଜିବୁଲ୍ଲା ଖାନଙ୍କ ସମେତ ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିବା ବିଜୟ ନାୟକ, ମୀନକେତନ ଅମାନ୍ତ, ପ୍ରଭାତ ଆଦିତ୍ୟ ମିଶ୍ର, ଅନୁଭବ ପଟ୍ଟନାୟକ, ଅମରେନ୍ଦ୍ର ଦାସ, ପ୍ରିୟଦର୍ଶୀ ମିଶ୍ର, ସତ୍ୟବ୍ରତ ତ୍ରିପାଠୀ, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ବିନୟ ଟପ୍ପୋ, ଅସିତ ପଟ୍ଟନାୟକ, ରାମଚନ୍ଦ୍ର ପଣ୍ଡା, ଶ୍ରୀମୟୀ ମିଶ୍ର, ଅକାଶ ଦାସନାୟକ ପ୍ରମୁଖ ନେତାମାନେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବେ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନେତାଙ୍କ ୬ଦିନିଆ କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର