ସମ୍ବଲପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ବରଗଡ଼, ନୂଆପଡ଼ା ଓ କଳହାଣ୍ଡି ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ, ଉଦ୍‌ଘାଟନ ସାଙ୍ଗକୁ ରୋଡ ସୋ କାର୍ଯ୍ୟକ୍ରମ ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀ ସକାଳେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ସ‌ାଢ଼େ ୧୦ଟାରେ ବାହାରି ବରଗଡ଼ର ସତୀଭଟା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ। ସେଠାରୁ ହେଲିକପ୍ଟରରେ ବାହାରି ୧୦.୫୫ରେ ସୋହେଲା ବ୍ଲକ୍‌ ହଳଦୀପାଲି ପଡ଼ିଆରେ ଅବତରଣ କରିବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସାଧାରଣ ସଭାରେ ଉଦବୋଧନ ଦେଇ ସ୍ବତନ୍ତ୍ର ‌ବସ୍‌ରେ ଘେଁସ୍‌ ପର୍ଯ୍ୟନ୍ତ ଯିବେ। ସେଠାରେ ମଧ୍ୟ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରି ଘେଁସରେ ସାଧାରଣ ସଭାରେ ଉଦବୋଧନ ଦେବେ। ସେଠାରୁ ହେଲିକପ୍ଟରେ ନୂଆପଡ଼ା ଅଭିମୁଖେ ଯିବେ।

Advertisment

ନୂଆପଡ଼ାରେ ବିଜୁ ଏକ୍ସପ୍ରେସ୍‌ ୱେ ଲୋକାର୍ପଣ କରିବା ସହ ବିଜୁ ଇନ୍‌ଡୋର ଷ୍ଟାଡିୟମ ତଥା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। କୋମନା ବ୍ଲକ ସିଲେଟପାଣିଠାରେ ଦିନ ୧୨ଟା ୪୫ରେ ଜନସଭାରେ ଉଦ୍‌ବୋଧନ ଦେବେ। ସେଠାରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟା ୪୫ରେ କଳାହାଣ୍ଡି ଅଭିମୁଖେ ହେଲିକପ୍ଟରରେ ଯିବେ। କଳାହାଣ୍ଡି ଜିଲ୍ଲାର ବୃନ୍ଦାବାହାଲ ଠାରେ ଅବତରଣ କରି ସେଠାରେ ସାଧାରଣସଭାରେ ଉଦ୍‌ବୋଧନ ଦେବା ପରେ ଧର୍ମଗଡ଼ର ସ୍ମାର୍ଟପାର୍କ ପର୍ଯ୍ୟନ୍ତ ରୋଡ ସୋରେ ଯିବେ। ଏହାପରେ ହେଲିକପ୍ଟରରେ ଆମପାଣି ପର୍ଯ୍ୟନ୍ତ ଯାଇ ସେଠାରୁ ଉତ୍‌କେଲା ଯିବା ପରେ ‌ଏୟାରରକ୍ରାଫ୍ଟ ଯୋଗେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।