ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ବିମାନ ଭଡ଼ା ୩୯କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀ ୫ବର୍ଷ ଭିତରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ବିମାନ ଓ ହେଲିକପ୍ଟର ଭଡ଼ା ବାବଦକୁ ଖର୍ଚ୍ଚ କରିଛନ୍ତି ୩୯କୋଟି ୧୨ଲକ୍ଷ ଟଙ୍କା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି।

ବିଧାନସଭାରେ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୨୦୧୩ରେ ରାଜ୍ୟ ବାହାରକୁ ୩ଥର, ୨୦୧୫ରେ ଥରେ, ୨୦୧୬ରେ ୭ଥର ଏବଂ ୨୦୧୭ରେ ୩ଥର ବିମାନରେ ଯାଇଛନ୍ତି। କିନ୍ତୁ ରାଜ୍ୟ ଭିତରେ ୨୦୧୩ରେ ୫୬ଥର, ୨୦୧୪ରେ ୩୬ଥର, ୨୦୧୫ରେ ୩୨ଥର, ୨୦୧୬ରେ ୫୨ଥର, ୨୦୧୭ରେ ୨୦ଥର ବିମାନ ଗସ୍ତ କରିଛନ୍ତି। ଅପରପକ୍ଷେ ୨୦୧୩ରୁ ୨୦୧୭ ମଧ୍ୟରେ ୨୦୧୬କୁ ଛାଡ଼ିଦେଲେ କୌଣସି ମନ୍ତ୍ରୀ ରାଜ୍ୟ ବାହାରକୁ ହେଲିକପ୍ଟର କି ବିମାନରେ ଯାଇନାହାନ୍ତି। ଜଣେ ମନ୍ତ୍ରୀ କେବଳ ୨୦୧୬ରେ ବିମାନରେ ରାଜ୍ୟ ବାହାରକୁ ବିମାନରେ ଯାଇଥିଲେ। ତେବେ ରାଜ୍ୟ ଭିତରେ ଅନ୍ୟ ମନ୍ତ୍ରୀମାନେ ୨୦୧୩ରେ ୧୪ଥର, ୨୦୧୪ରେ ୯ଥର, ୨୦୧୫ ଓ ୨୦୧୬ରେ ୧୮ଥର ଏବଂ ୨୦୧୭ରେ ୯ଥର ବିମାନ ଗସ୍ତ କରିଛନ୍ତି। ଏହି ୫ବର୍ଷରେ ବିମାନ ଗସ୍ତ ବାବଦକୁ ୩୯କୋଟି ୧୨ଲକ୍ଷ ୭ହଜାର ୯୧ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୨୦୧୩ରେ ୭କୋଟି ୬୮ଲକ୍ଷ ୭୦ହଜାର ୧୬୮ଟଙ୍କା, ୨୦୧୪ରେ ୪,୮୮,୨୨,୫୫୫ଟଙ୍କା, ୨୦୧୫ରେ ୮,୪୩,୭୪,୭୯୮ଟଙ୍କା, ୨୦୧୬ରେ ୧୧,୧୪,୩୧,୭୦୯ଟଙ୍କା, ୨୦୧୭ରେ ବର୍ତ୍ତମାନ ସୁଦ୍ଧା ୬,୯୭,୦୭,୮୬୧ଟଙ୍କା ଖର୍ଚ୍ଚ ହୋଇଛି।

ସମ୍ବନ୍ଧିତ ଖବର