ଆମକୁ ନୁହେଁ, ଛତିଶଗଡ଼କୁ ପରାମର୍ଶ ଦିଅ

ଗଡ଼କରୀଙ୍କ ଚିଠିର ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗ ନେଇ କେନ୍ଦ୍ର ଜଳସଂପଦ, ନଦୀ ବିକାଶ ମନ୍ତ୍ରୀ ନୀତିନ୍‌ ଗଡ଼କରୀ ଦେଇଥିବା ଚିଠିର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋକ୍‌ଠୋକ୍‌ ଜବାବ ଦେଇଛନ୍ତି। ସେ କହିଛନ୍ତି, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାର ଆଉ ପ୍ରାସଙ୍ଗିକତା ନାହିଁ। ବରଂ ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ବେଆଇନ ବ୍ୟାରେଜ୍‌ ନିର୍ମାଣ ତୁରନ୍ତ ବନ୍ଦ କରିବା ନେଇ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଶ୍ରୀ ଗଡ଼କରୀଙ୍କୁ ସେ ଅନୁରୋଧ କରିଛନ୍ତି। ଜାନୁଆରି ୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଚିଠି ଲେଖି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ ମହାନଦୀ ଜଳ ବଣ୍ଟନ ସଂପର୍କରେ ଆଲୋଚନା କରିବାକୁ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଶ୍ରୀ ଗଡ଼କରୀ ପ୍ରସ୍ତାବ ଦେଇଥିଲେ। ଆଜି ସେହି ଚିଠିର ଉତ୍ତରରେ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ମହାନଦୀ ଜଳ ବିବାଦ ସଂପର୍କିତ ବିଭିନ୍ନ ପ୍ରସଙ୍ଗର ଯୁକ୍ତିସଂଗତ ଉତ୍ତର ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ ସେ ପ୍ରଥମେ ଗତବର୍ଷ ଜାନୁଆରି ୨୮ ତାରିଖରେ ମହାନଦୀ ଜଳ ବିବାଦ ଦୂର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏ ନେଇ ଛତିଶଗଡ଼ ସମେତ ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା ପାଇଁ ସେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାଙ୍କ ପ୍ରସ୍ତାବକୁ ଅଦ୍ଭୂତ ବୋଲି ଦର୍ଶାଯାଇଥିଲା। ଯଦି କେନ୍ଦ୍ର ସରକାର ବାସ୍ତବରେ ମହାନଦୀ ଜଳ ବିବାଦର ସମାଧାନ ଚାହୁଥାନ୍ତେ, ପ୍ରଥମେ ସମସ୍ତ ନିର୍ମାଣାଧୀନ ବ୍ୟାରେଜ୍‌ ପ୍ରକଳ୍ପକୁ ବନ୍ଦ କରି ଓଡ଼ିଶାକୁ ଯଥେଷ୍ଟ ଏବଂ ଅବାଧ ଜଳ ପ୍ରବାହକୁ ସୁନିଶ୍ଚିତ କରିଥାନ୍ତେ। ଏଣୁ କୌଣସି ବୁଝାମଣାର ବାତାବରଣ ସୃଷ୍ଟି ନ ହେବାରୁ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ଆପତ୍ତି କରିବାକୁ ବାଧ୍ୟ ହୋଇଛନ୍ତି। ଯୁଗ୍ମ ନିୟନ୍ତ୍ରଣ ବୋର୍ଡ(ଜେସିବି) ଗଠନ ପ୍ରସଙ୍ଗ ସଂପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତିି। ଏଭଳି ବୋର୍ଡ ଗତ ତିନି ଦଶନ୍ଧି ଧରି ଗଠିତ ହୋଇନାହିଁ। ବୋର୍ଡ ଗଠନ ହେଲେ ବି କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ ଗଠନ ଭଳି ସାମ୍ବିଧାନିକ ଦାୟିତ୍ୱରୁ ନିଜକୁ ମୁକ୍ତ କରିପାରିବ ନାହିଁ ବୋଲି ସେ ଦର୍ଶାଇଛନ୍ତି। ସେହିପରି ମହାନଦୀ ଅବବାହିକାରେ ଦୁଇ ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଯଥେଷ୍ଟ ଜଳ ରହିଥିବା ବିବୃତିକୁ ଭୁଲ୍‌ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର