ଶସ୍ୟ ଋଣ ହାରରେ ମଧ୍ୟମ ଅବଧି ଋଣ ସୁଧ ଧାର୍ଯ୍ୟ ହେଉ

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଚିଠିରେ ମରୁଡ଼ି ଏବଂ ରୋଗପୋକ ଯୋଗୁଁ ଓଡ଼ିଶାରେ ବ୍ୟାପକ ଭାବେ ଫସଲ କ୍ଷତିଗ୍ରସ୍ତ ହୋଇଛି ଏବଂ ବହୁସଂଖ୍ୟକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ସେ ଦର୍ଶାଇଛନ୍ତି। ଏଣୁ, ଫସଲ ବା ଶସ୍ୟ ଋଣ କ୍ଷେତ୍ରରେ ଯେଉଁ ହାରରେ ସୁଧ ଧାର୍ଯ୍ୟ କରାଯାଇଛି, ଘୋଷିତ ମଧ୍ୟମ ଅବଧିର ଋଣ ନିମନ୍ତେ ସମାନ ହାରରେ ସୁଧ ହାର ଧାର୍ଯ୍ୟ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଶସ୍ୟ ଋଣ ଶୀଘ୍ର ପରିଶୋଧ କରୁଥିବା ଚାଷୀମାନଙ୍କ ନିମନ୍ତେ ସୁଧ ଉପରେ ୩ ପ୍ରତିଶତର ରିହାତି ଦିଆଯାଉଛି। ସେହି ରିହାତି ସୁବିଧା ମଧ୍ୟମ ଅବଧିର ଋଣ କ୍ଷେତ୍ରରେ ଲାଗୁ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଚଳିତ ଖରିଫ ଋତୁରେ ମରୁଡ଼ି ଏବଂ ରୋଗପୋକ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ତ୍ୱରିତ ସହାୟତା ଘୋଷଣା କରିଛନ୍ତିି। ସରକାରଙ୍କ ଏହି ପ୍ୟାକେଜ୍‌ରେ ଚଳିତ ଖରିଫ ଋତୁରେ ୩୩ ପ୍ରତିଶତରୁ ଅଧିକ ଏବଂ ୫୦ ପ୍ରତିଶତରୁ କମ୍‌ କ୍ଷତିଗ୍ରସ୍ତ ଫସଲ ନିମନ୍ତେ ଚାଷୀଙ୍କୁ ଦିଆଯାଇଥିବା ଋଣକୁ ମଧ୍ୟମ ଅବଧିର ଋଣରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଛି। ମଧ୍ୟମ ଅବଧି ଅନୁଯାୟୀ ଚାଷୀ ନେଇଥିବା ଋଣକୁ ୨ ବର୍ଷ ଭିତରେ ପରିଶୋଧ କରିବେ। ଏହା ସହିତ ଚାଷୀଙ୍କୁ ଋଣ ପରିଶୋଧ ନିମନ୍ତେ ଅଧିକ ୧ ବର୍ଷର ମହଲତ ଦିଆଯିବ। ସେହିପରି ୫୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଫସଲ ନିମନ୍ତେ ସଂପୃକ୍ତ ଚାଷୀମାନେ ୫ ବର୍ଷରେ ଋଣ ପରିଶୋଧ କରିବେ। ଏହା ସହିତ ଋଣ ପରିଶୋଧ ନିମନ୍ତେ ଅଧିକ ୧ ବର୍ଷ ସମୟ ଦିଆଯିବ।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଯେଉଁ ଚାଷୀ ଶୀଘ୍ର ଋଣ ପରିଶୋଧ କରିଥାନ୍ତି, କେନ୍ଦ୍ର ସରକାର ସେମାନଙ୍କ ପାଇଁ ସୁଧ ଉପରେ ୩ ପ୍ରତିଶତର ରିହାତିି ବ୍ୟବସ୍ଥା କରିଛନ୍ତି। ଏଣୁ ଓଡ଼ିଶାରେ ମରୁଡ଼ି ଏବଂ ରୋଗପୋକ ଆକ୍ରମଣ ପରିପ୍ରେକ୍ଷୀରେ ଚାଷୀଙ୍କୁ ଋଣ ପ୍ରଦାନରେ କୋହଳ ବ୍ୟବସ୍ଥା କରାଯାଇଥିବାରୁ ସୁଧ ଉପରେ ୩%ର ରିହାତି ସୁବିଧା ସେହି ଚାଷୀମାନେ ପାଇପାରିବେ ନାହିଁ। ଫଳରେ ସେହି ସୁଧ ହାର ୧୧.୨୦ ପ୍ରତିଶତକୁ ବୃଦ୍ଧି ପାଇବ। ତାଙ୍କ ମତରେ ଫସଲ ଋଣ ମଧ୍ୟମ ଅବଧି ଋଣରେ ପରିଣତ କରାଯାଇଥିବାରୁ ଫସଲ ଋଣ ହାରରେ ସୁଧ ହାର ଧାର୍ଯ୍ୟ କରାଯିବା ଉଚିତ। ସେହିପରି ୩ ପ୍ରତିଣତର ସୁଧ ରିହାତି ବ୍ୟବସ୍ଥା ମଧ୍ୟମ ଅବଧିର ଋଣ ଉପରେ କାର୍ଯ୍ୟକାରୀ କରାଯିବା କଥା। ଏଣୁ, ମଧ୍ୟମ ଅବଧିର ଋଣକୁ ଫସଲ ଋଣ ଭାବେ ବିବେଚନା କରି ତଦନୁଯାୟୀ କ୍ଷତିଗ୍ରସ୍ତ ଚାଷୀମାନଙ୍କ ଉପରେ ସୁଧ ଧାର୍ଯ୍ୟ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର