ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା

ସ୍ୱାଭାବିକ ଅବସ୍ଥା ଫେରାଇବା ପାଇଁ ନିର୍ଦେଶ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରଠାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ତୁରନ୍ତ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ତ୍ୱରିତ୍‌ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆଜି ଦିନ ୧୧ଟାରେ ସମ୍ବଲପୁର ଜମାଦାରପାଲିଏୟାରଷ୍ଟ୍ରିପ୍‌ରେ ଥିବା ଡାକବଂଗଳାରେ ଉତ୍ତରରାଂଚଳ ରାଜସ୍ୱ ଡିଭିଜନ ଅନ୍ତର୍ଗତ ୧୦ଟି ଜିଲ୍ଲାରେ ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ। ସମୀକ୍ଷା ପରେ ୨୪ ଘଣ୍ଟା ମଧ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ ଯାହା କିଛି ଭଲ କରାଯାଇପାରିବ, ସେଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ଆଉ ଏହାର ଅଗ୍ରଗତି ସଂପର୍କରେ ଅବଗତ କରାଇବାକୁ ନିର୍ଦେଶ ଦେଇଥିଲେ। ସମୀକ୍ଷା ବେଳେ ସମ୍ବଲପୁରର ବନ୍ୟା ସ୍ଥିତି ସଂପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତତ ଭାବେ ଅବଗତ କରାଇଥିଲେ। ସହରର ବନ୍ୟା ଜଳ ନିଷ୍କାସନ ପାଇଁ ଟାଂଗନା ନାଳାର ନବୀକରଣ ସହିତ ଅନ୍ୟାନ୍ୟ କେତେକ କାମ ନିମନ୍ତେ ୧୩୦ କୋଟି ଟଙ୍କାର ଏକ ପ୍ରକଳ୍ପର ପ୍ରସ୍ତାବ ଦିଆଯାଇଥିଲା। ବିସ୍ତତ ଆଲୋଚନା ପରେ ଏହି ପ୍ରକଳ୍ପ ଉପରେ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିବା ଜଣାପଡ଼ିଛି। ସମୀକ୍ଷା ସମୟରେ ବନ୍ୟାରେ ଘର ଭାଂଗି ଯାଇଥିବା ଲୋକଙ୍କ ପାଇଁ ରିଲିଫ କୋଡ ଅନୁଯାୟୀ ୭୫ ହଜାର ଟଙ୍କା ପ୍ରଦାନ ବ୍ୟବସ୍ଥା ରହିଛି। ରିଲିଫ କୋଡରେ ସଂଶୋଧନ କରାଯାଇ ସଂପୂର୍ଣ୍ଣ ଘର ଭାଂଗି ଯାଇଥିବା ଲୋକଙ୍କୁ ବିଜୁ ପକ୍କା ଘର ଯୋଗାଇବା ନିମନ୍ତେ ଆଲୋଚନା ହୋଇଥିଲା। ସମୀକ୍ଷା ବୈଠକରେ ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ରେଂଗାଲି ବିଧାୟକ ରମେଶ ପଟୁଆ, ମୁଖ୍ୟମନ୍ତ୍ରୀ ବ୍ୟକ୍ତଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନ, ଉତ୍ତରାଂଚଳ ଆର୍‌ଡିସି ଡି.ଭି.ସ୍ୱାମୀ, ଅପର୍‌ ମହାନଦୀ ବେସିନର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ସମ୍ବଲପୁର ଏସ୍‌ପି ସଂଜୀବ ଅରୋରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର