ପ୍ରତାପୁର : ଅଜଣା ରୋଗରେ ୮ ବର୍ଷ ହେଲା ଛଟପଟ ପରିବାରର ମୁରବି

ପ୍ରତାପୁର : ବ‌ର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୮ ବର୍ଷ ହେଲା ଅଜଣା ରୋଗରେ ଛଟପଟ ହେଉଛନ୍ତି ପରିବାରର ମୁରବି ଧୋବା ନାଇକ। ଗାଁ ବୈଦ୍ୟଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଦେଖାଇଥିଲେ ବି ଧୋବାଙ୍କ ରୋଗ କେହି ଚିହ୍ନି ପାରୁନାହାନ୍ତି। ଏଭଳି ପରିସ୍ଥିତିରେ କେବଳ ସରକାରୀ ସହାୟତା ହିଁ, ତାଙ୍କ ପାଇଁ ଏକମାତ୍ର ସାହା ବୋଲି ଧୋବା କହିଛନ୍ତି। ଜଗନ୍ନାଥପ୍ରସାଦ ବ୍ଲକ୍ କୁଡ଼ୁତାଇ ପଞ୍ଚାୟତ ହରଡ଼ାପଦର ଗ୍ରାମ ହରିଜନ ଧୋବା ନାଇକ (୬୪)। ପ୍ରତିଦିନ ଜଙ୍ଗଲରୁ କାଠ ସଂଗ୍ରହ କରି ବିକିବା ପରେ ଯାହା ରୋଜଗାର କରୁଥିଲେ, ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହେଉଥିଲା। ୨୦ ବର୍ଷ ତଳେ ଧୋବା ବିଭିନ୍ନ ସ୍ଥାନରୁ ଆମ୍ବ ଆଣି ବିକ୍ରି କରି ପରିବାର ଚଳାଇବା ଆରମ୍ଭ କରିଥିଲେ। ଦିନେ କନ୍ଧମାଳ ଜିଲ୍ଲାକୁ ଆମ୍ବ କିଣିବା ପାଇଁ ଯାଇଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ସେବେଠାରୁ ତାଙ୍କ ଶରୀର ଦୁର୍ବଳ ହେବାକୁ ଲାଗିଲା। ଶରୀରର ହାଡ଼ପଞ୍ଜରା ଦେଖାଗଲା।

ଏହା ଭିତରେ ୮ ବର୍ଷ ବିତିସାରିଛି। ଶରୀର ଦୁର୍ବଳ ହେବାରୁ ସେ ଶଯ୍ୟାଶାୟୀ ପାଲଟିଥିଲେ। ପରିବାରର ମୁରବିଙ୍କ ଏଭଳି ଦୁରବସ୍ଥା ଯୋଗୁଁ, ପତ୍ନୀ ରମା ସଂପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛନ୍ତି। ଅର୍ଥାଭାବରୁ ‌କୌଣସି ଡାକ୍ତରଙ୍କ ପରାମର୍ଶ ନେଇପାରୁ ନଥିବା ବେଳେ କ୍ବାକ୍ ଓ ଗୁଣିଗା‌ରେଡିର ସହାୟତା ନେଇଛନ୍ତି। ହେଲେ କେହିବି ରୋଗ ଚିହ୍ନିପାରୁ ନାହାନ୍ତି। ଧୋବାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ବି ଆସୁନି। ବର୍ତ୍ତମାନ ଧୋବାଙ୍କ ବଡ଼ପୁଅ ବିବାହ କରି ଅଲଗା ରହୁଥିବା ବେଳେ ସାନପୁଅ ସାଗର ପରିବାରର ବୋଝ ମୁଣ୍ଡାଇଛି। ମୂଲକାମ କରି ଯାହା ଆଣୁଛି ସେଥିରେ ପରିବାର କଷ୍ଟେମଷ୍ଟେ ପ୍ରତିପୋଷଣ ହେଉଛି। ସରକାରୀ ସହାୟତା ପ୍ରଦାନ ସହ ଚିକିତ୍ସା ଦିଗରେ ପଦକ୍ଷେପ ନେବାକୁ ପରିବାରବର୍ଗ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର