ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀର ରାଜରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ ଚଳାଇଥିବା କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନାକୁ ପୁଲିସ ଗିରଫ କରିବାରେ ଅବଶେଷରେ ସଫଳ ହୋଇଛି। ରାଜଧାନୀର ଡେଲ୍ଟା ଅଞ୍ଚଳରୁ କମିସନରେଟ ପୁଲିସ ତାକୁ ଗିରଫ କରିଥିବା ଜଣାଯାଇଛି। ତା’ ପାଖରୁ ଗୋଟିଏ ଖଣ୍ଡା ଜବତ ହୋଇଛି।ତାକୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, କମିସନରେଟ୍ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା କେବିଏନ୍ ମୁଖିଆ ବୁବୁ କିଛି ଦିନ ତଳେ ପୁରୀରେ ସ୍ପେସାଲ୍ ସ୍କ୍ବାଡ୍କୁ ଚକ୍ମା ଦେଇ ଚମ୍ପଟ ମାରିଥିଲା। ଏହା ପରେ ଆଉ ତା’ ଟେର୍ ପାଉନଥିଲା ପୁଲିସ। କେବଳ ବୁବୁ ନୁହେଁ, ତା’ କେବିଏନ୍ ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟମାନେ ମଧ୍ୟ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବାରୁ ପୁଲିସ ଚିନ୍ତା ବଢ଼ିଯାଇଥିଲା। ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ଏହି ଗ୍ୟାଙ୍ଗ୍ର ଭୟଙ୍କର ଭିଡିଓ ବଜାରକୁ ଆସୁଥିବା ବେଳେ ପୁଲିସ ସେମାନଙ୍କୁ ଠାବ କରିପାରୁନଥିବାରୁ ରାଜଧାନୀବାସୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ମୁଖିଆ ବୁବୁ ଓ ତା’ କେବିଏନ୍ ଗ୍ୟାଙ୍ଗ୍କୁ ଧରିବା ପାଇଁ କମିସନରେଟ୍ ପୁଲିସ ବିଭିନ୍ନ ସହରରେ ଜାଲ ବିଛାଇଥିଲା। ବିଶେଷକରି ପୁରୀ, ବ୍ରହ୍ମପୁର, କଟକ ଓ କେନ୍ଦ୍ରାପଡ଼ାରେ ପୁଲିସ ନେଟ୍ୱର୍କ ଚଳଚଞ୍ଚଳ ହୋଇପଡ଼ିଥିଲା। ମାତ୍ର ଧୂର୍ତ୍ତ ବୁବୁ ଓ ତା’ ଗ୍ୟାଙ୍ଗ୍ ପୁଲିସ ଜାଲରେ ପଡ଼ୁନଥିଲା। କିଛି ଦିନ ତଳେ ନୂଆପଲ୍ଲୀ ଥାନା ପୁଲିସ ଓ ସ୍ପେସାଲ୍ ସ୍କ୍ବାଡ୍ ପୁରୀରେ ଜାଲ ବିଛାଇଥିଲେ। ଖବର ବି ସତ ଥିଲା। ଏକ ସ୍କୁଟିରେ ବୁବୁ ବୁଲୁଥିବା ଦେଖିବାକୁ ମିଳିଥିଲା। ମାତ୍ର ପୁଲିସ ତାକୁ ଘେରିଗଲାଣି ବୋଲି ସେ ବି ଜାଣିପାରିଲା। ତେଣୁ ପୁଲିସ ଟିମ୍ ତା’ ପାଖରେ ପହଞ୍ଚିବା ବେଳକୁ ସେ ଏକ ଗଳିରେ ପଶି ଚମ୍ପଟ୍ ମାରିଥିଲା। ପୁଲିସ ଗାଡ଼ି ତାକୁ ପ୍ରାୟ ୪/୫ କିମି ପିଛା କଲା, କିନ୍ତୁ ଗଳି ରାସ୍ତାରେ ତାକୁ ଗୋଡ଼ାଇବା ସମ୍ଭବ ହେଲା ନାହିଁ। ଏହା ପରେ ପୁଲିସ ପୁରୀରେ ଡେରା ପକାଇଲେ ବି ବୁବୁ ସେଠାରୁ ବାହାରକୁ ଖସି ପଳାଇଥିଲା।