ମୁଖ୍ୟ ସଚିବ ମାନେ ମୁଖ୍ୟମନ୍ତ୍ରୀ…

ଲୋକାୟୁକ୍ତ, ଜିଏସ୍‌ଟି ସଂଶୋଧନ ବିଲ୍‌ ଆଲୋଚନା ବେଳେ ନରସିଂହଙ୍କ ଭର୍ତ୍ସନା

ଭୁବନେଶ୍ବର : ଲୋକାୟୁକ୍ତ ସଂଶୋଧନ ବିଲ୍‌ରେ ଆରମ୍ଭରୁ ‌ଲେଖାଯାଇଛି, ‘ମୁଖ୍ୟ ସଚିବ, ମାନେ ମୁଖ୍ୟମନ୍ତ୍ରୀ…’, ‘ସରକାରଙ୍କ ଏକ ବିଭାଗର ସଚିବ… ମାନେ ମୁଖ୍ୟ ଶାସନ ସଚିବ…’। ଏହାର ମାନେ କିଏ କ’ଣ ବୁଝିବ? ଏକ ବିଲ୍‌ ପ୍ରସ୍ତୁତ କଲା ବେଳେ ଏମିତି ଶବ୍ଦ ବିନ୍ୟାସ କରାଯାଏ ନାହିଁ। ଏମିତି ଖାମଖିଆଲ୍‌ ଢଙ୍ଗରେ ବିଲ୍‌ ପାରିତ କରାଯାଉଥିବାରୁ ସବୁବେଳେ ସଂଶୋଧନର ଆବଶ୍ୟକତା ପଡ଼ୁଛି।

ସୋମବାର ଦିନ ବିଧାନସଭାରେ ‘ ଓଡ଼ିଶା ଲୋକାୟୁକ୍ତ(ସଂଶୋଧନ) ବିଲ୍‌, ୨୦୨୨ ଓ ‘ଓଡ଼ିଶା ଦ୍ରବ୍ୟ ଓ ସେବା କର(ସଂଶୋଧନ) ବିଲ୍‌, ୨୦୨୨’ ଉପରେ ଆଲୋଚନା ବେଳେ ସରକାରଙ୍କୁ ଏମିତି ଭର୍ତ୍ସନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅଧିକାରୀମାନେ ବିଲ୍‌ ପ୍ରସ୍ତୁତ କଲା ବେଳେ ଏପରି ଲେଖୁଛନ୍ତି ଯେ ତାହାର ସଂଜ୍ଞା ବଦଳିଯାଉଛି ବୋଲି ସେ କହିଥିଲେ। ଦୁଇଟି ଯାକ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ସେ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହା ଗ୍ରହଣ ହୋଇ ନ ଥିଲା। ଏମିତି ଭାବେ ବିଲ୍‌ ପାରିତ କରାଯାଉଥିବାରୁ ସେ ରାଗିଯାଇ ଗୃହ ବାହାରକୁ ଚାଲିଯାଇଥିଲେ।

ସବୁ ବିଲ୍‌ ବାରମ୍ବାର କାହିଁକି ସଂଶୋଧନ କରାଯାଉଛି?
ତରବରିଆ ବିଲ୍‌ ପାରିତ କରାଯାଉଥିବାରୁ ରାଗି ଗୃହ ବାହାରକୁ ଚାଲିଗଲେ

ଜିଏସ୍‌ଟି ସଂଶୋଧନ ବିଲ୍‌ ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଥିଲେ, ବିଲ୍‌ ସହ ମନ୍ତ୍ରୀଙ୍କ ଲମ୍ବା ଚଉଡ଼ା ବିବୃତି ସଂଲଗ୍ନ ଥିଲେ ବି ବିଷୟବସ୍ତୁ ଉପରେ ବୁଝାଇବାକୁ ଚେଷ୍ଟା କରାଯାଇ ନାହିଁ। ଯିଏ ଯାହା ବୁଝୁ କି ନବୁଝୁ, ଗୃହରେ ବିଲ୍‌ ପାରିତ ହେବା ନିଶ୍ଚିତ। ୨୦୧୭ରେ ଜିଏସ୍‌ଟି ଆଇନ୍‌ ପ୍ରଣୟନ କରାଗଲେ ପରେ ୫ ବର୍ଷ ଭିତରେ ବିଭିନ୍ନ ସମୟରେ ଏଥିରେ ସଂଶୋଧନ ଆବଶ୍ୟକ ପଡ଼ୁଛି। ଆଇନ ପ୍ରଣୟନ ସମୟରେ ଯେଉଁ ସର୍ବନିମ୍ନ କାମ କରାଯିବା କଥା, ତାହା କରାଯାଉ ନ ଥିବାରୁ ଏମିତି ସମସ୍ୟା ପରେ ସୃଷ୍ଟି ହେଉଛି। ଏଥିରୁ ଜଣାପଡ଼ୁଛି କେତେ କଷ୍ଟ କରି କେତେ ତର୍ଜମା କରି ବିଲ୍‌ ପ୍ରସ୍ତୁତ କରାଯାଉଛି। ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ- ଯିଏ ବୁଝିଲା ନ ହେଲେ ନାହିଁ। ଗୃହର ଅଧିକାଂଶ ସଦସ୍ୟ ଆଜିର ସଂଶୋଧନ ବିଲ୍‌ ବିଷୟରେ ଅବଗତ ନଥିବେ କିମ୍ବା ତତ୍‌କାଳ ବୁଝି ନଥିବେ। ଆଇନକୁ ସମସ୍ତଙ୍କୁ ଭଲ ଭାବେ ବୁଝିବା ଦରକାର। ଆଇନ ତିଆରି କରି ବାରମ୍ବାର ସଂଶୋଧନ କରାଯିବାର କିଛି ଆବଶ୍ୟକତା ନାହିଁ। ତେଣୁ ଏହାକୁ ସିଲେକ୍ଟ କମିଟିକୁ ପଠାଯାଉ। ବିଶେଷଜ୍ଞଙ୍କ ଡାକି କମିଟି ସଦସ୍ୟମାନେ ଆଲୋଚନା କରନ୍ତୁ। ଅଧିକ ତର୍ଜମା କରି ସଂଶୋଧନ କଲେ ଭବିଷ୍ୟତରେ ବାରମ୍ବାର ସଂଶୋଧନର ଆବଶ୍ୟକତା ପଡ଼ିବ ନାହିଁ। ନଚେତ ଖାଲି ବିଲ୍‌ ପାରିତ ଏକ ପରମ୍ପରା ହୋଇ ରହିବ। ଯଦି ତର୍ଜମା ହେବନି, ତେବେ ତାହା ଏକଛତ୍ରବାଦ ବୋଲି ଗ୍ରହଣ କରିବାକୁ ପଡ଼ିବ। ଏହା ହେଲେ ଗଣତନ୍ତ୍ରକୁ ହତ୍ୟା ସଦୃଶ ହେବ। ତତ୍‌କାଳ ଜିଏସ୍‌ଟି ସଂଶୋଧନ ବିଲ୍‌ରେ ଥିବା ବ୍ୟବସ୍ଥା ବୁଝି ହେଉ ନାହିଁ ବୋଲି ସେ ରୋକ୍‌ଠୋକ୍ ଜଣାଇ ଦେଇଥିଲେ। ମନ୍ତ୍ରୀ ଗୋଟିଏ ଗୋଟିଏ ବିନ୍ଦୁରେ ବୁଝାଇପାରିବେ କି ବୋଲି ପ୍ରଶ୍ନ କରିଥିଲେ।

ଏହା ପରେ ବାଚସ୍ପତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଆଲୋଚନାର ଉତ୍ତର ଦେବାକୁ ଡାକିଲେ। ମନ୍ତ୍ରୀ କହିଲେ, ମୁଁ ଗୋଟି‌ ଗୋଟି ବୁଝାଇବାକୁ ପ୍ରସ୍ତୁତ ଅଛି। ପ୍ରାଞ୍ଜଳ ଭାବେ ବୁଝାଇପାରିବି। ଏହା ପରେ ମନ୍ତ୍ରୀ ସଂଶୋଧିତ ବିଲ୍‌ର ଗୋଟିଏ ପାରାଗ୍ରାଫ୍‌ ଉପରେ ବୁଝାଇଲେ।

ଶ୍ରୀ ମିଶ୍ର କହିଲେ, ମୂଳ ଆଇନରେ କ’ଣ ଥିଲା ଓ ସେଥିରେ କ’ଣ ଯୋଡ଼ା ହେଲା ତାହାକୁ ମନ୍ତ୍ରୀ ବୁଝାଇବା ଦରକାର। ବିଲ୍‌ରେ ୧୮ଟି ପାରା ଥିଲା ବେ‌ଳେ ମନ୍ତ୍ରୀ ମାତ୍ର ଗୋଟିଏ ପାରା କହିଲେ। ସମୟ ବି ହାତରେ କମ୍। କିପରି ଏସବୁ ମନ୍ତ୍ରୀ ବୁଝାଇବେ। ମୋ ପରି ମୂର୍ଖ ଏ ଗୃହରେ ରହି ବିଲ୍‌ ପାରିତ ପ୍ରକ୍ରିୟାରେ କାହିଁକି ଅଂଶଗ୍ରହଣ କରିବ? ଏମିତି ବିଲ୍‌ ଆଲୋଚନାରେ ଭାଗ ନେବା ପାଇଁ ମୋର ଯୋଗ୍ୟତା ନାହିଁ। ମୁଁ ବିଲ୍‌ ପାରିତ ହେଲା ବେଳେ ଏ ଗୃହରେ ରହିପାରିବିନି। ଏତିକି କହି ଶ୍ରୀ ମିଶ୍ର ଗୃହ ବାହାରକୁ ଚାଲିଯାଇଥିଲେ। ବାଚସ୍ପତି ତାଙ୍କୁ ରହିବା ପାଇଁ ଅନୁରୋଧ କରିଥିଲେ ବି ସେ ଶୁଣି ନ ଥିଲେ। ଏହା ପରେ ବିଲ୍‌ଟି ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର