ସମ୍ବଲପୁର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ତଥା ଇପିକଲ୍‌ର ଅଧ୍ୟକ୍ଷ ହେମନ୍ତ ଶର୍ମାଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଗୁରୁବାର ସମ୍ବଲପୁର ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେମାନେ ଯଥାକ୍ରମେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌), ବୈଜାମୁଣ୍ଡାସ୍ଥିତ ସମନ୍ବିତ କମ୍ପ୍ଲେକ୍ସ, ଲେଡିଲୁଇସ୍ ଉଚ୍ଚବିଦ୍ୟାଳୟ ଓ ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବୁଧବାର ସକାଳେ ଜମାଦାରପାଲି ଏୟାର୍‌ଷ୍ଟ୍ରିପ୍‌ରେ ଓହ୍ଲାଇବା ପରେ ସେମାନେ ପ୍ରଥମେ ଭିସୁଟ୍‌ ଯିବାର କାର୍ଯ୍ୟକ୍ରମ ରହିଛି।

Advertisment

ସେଠାରେ କୁଳପତି, ସମସ୍ତ ବିଭାଗୀୟ ମୁଖ୍ୟ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଭିସୁଟ୍‌ର ଉନ୍ନତୀକରଣ ପାଇଁ ପୂର୍ବରୁ ଦାବି ହୋଇ ଆସୁଥିବାବେଳେ ଏହି ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଭିସୁଟ୍‌ ସଂପର୍କରେ କିଛି ବିଶେଷ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି। ଏହାପରେ ସେମାନେ ବୈଜାମୁଣ୍ଡାସ୍ଥିତ ନିରାଶ୍ରୟଙ୍କ ଆଶ୍ରୟସ୍ଥଳ ପରିଦର୍ଶନ କରିବେ। ସେଠାରୁ ୫ଟି ବିଦ୍ୟାଳୟ ଭାବେ ଅପ୍‌ଗ୍ରେଡ୍‌ ହୋଇଥିବା ଲେଡିଲୁଇସ୍‌ ବିଦ୍ୟାଳୟ ପରିଦର୍ଶନରେ ଆସିବେ। ସେଠାରେ ହୋଇଥିବା ସ୍ମାର୍ଟ କ୍ଲାସ୍‌ରୁମ୍‌ ଓ ଆଧୁନିକୀକରଣ କାମ ଦେଖିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବେ। ଶେଷରେ ମାଁ ସମଲେଶ୍ବରୀଙ୍କ ଦର୍ଶନ କରି ‌‘ସମଲେଇ’ ଯୋଜନା‌ରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।