କନ୍ଧମାଳ କୋଭିଡ-୧୯ ହସପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଖୋଲିଥିବା କୋଭିଡ-୧୯ ହସପିଟାଲକୁ ଆଜି ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ଏହି ହସପିଟାଲ ଦାୟିତ୍ବରେ ଥିବା କିସମର ଅଧିକାରୀ ଓ ଡାକ୍ତରଙ୍କ ସହ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ଉତ୍ତମ ସେବା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଡା.ବୃନ୍ଦା ଡି, ଏସପି ପ୍ରକୀତ ଗୀତା ସିଂ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କୋଭିଡ ହସପିଟାଲରେ ୧୫୦ଟି ଆଇସୋଲେସନ ଶଯ୍ୟା ରହିଛି। ଏଥି ସହ ୧୦ଟି ଆଇସିୟୁର ବ୍ୟବସ୍ଥା ମଧ୍ୟ ରହିଛି। ଏହି ହସପିଟାଲରେ କିମସର ଡାକ୍ତର, ଷ୍ଟାଫନର୍ସ,ବାୟ‌ୋମେଡିକାଲ ଓ ଇଲେଟ୍ରିକାଲ  ଇଂଜିନିୟର,ହାଉସ କିପିଙ୍ଗ ଓ ଅନ୍ୟାନ୍ୟ କର୍ମଚାରୀ ସହ ସମୁଦାୟ ୫୦ରୁ ୬୦ ଜଣ ରହିବାର ବ୍ୟବସ୍ଥା ରହିଛି। ଏହି ହସପିଟାଲରୁ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ ହେବ। ଔଷଧ ଭଣ୍ଡାର ସହ ଅନ୍ୟ ସବୁ ଆବଶ୍ୟକ ସୁବିଧା ରହିବ। କର୍ମଚାରୀ ଓ ରୋଗୀଙ୍କ ପାଇଁ ପୃଥକ ପରିଶ୍ରାଗାର ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।

କନ୍ଧମାଳରେ କୋଭିଦ-୧୯ ଜିଲ୍ଲାସ୍ତରୀୟ ହସପିଟାଲ ନିମନ୍ତେ ଗତ ୩ ତାରିଖରେ କିମସ୍ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଚୁକ୍ତନାମା ପତ୍ର ସ୍ବାକ୍ଷରିତ ହୋଇଥିଲା। ସବୁ କାମ ଶେଷ ହୋଇ ନଥିଲେ ବି ଗତ ୧୪ ତା‌ରିଖରେ ତରବରିଆ ଭାବେ ଉଦଘାଟିତ ହୋଇଥିଲା। ଯେଉଁ ଉଦଘାଟନୀ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରାଯା‌ଇ ନଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏଥିରେ ପ୍ରଶାସନ ହଡବଡ ହୋଇ ଯାଇଥିଲା। ଯେଉଁଥି ପାଇଁ ଆଜି ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ କୋଭିଡ୍ ହସପିଟାଲ ପରିଦର୍ଶନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ ବି ଭିତରକୁ ଯିବାର ବାରଣ କରାଯାଇଥିଲ। ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର