ବାଲେଶ୍ବର/ବାରିପଦା : ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ୍-୧୯ ହସ୍ପିଟାଲ। ଆଜି ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫ଟି) ଭି. କାର୍ତ୍ତିକେୟନ ପାଣ୍ଡିଆନ ଏହି ଦୁଇଟି ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।
ଗୁରୁବାର ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ଓ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ହେଲିକେପ୍ଟର ଯୋଗେ ଆସି ବାରିପଦାରେ ପହଞ୍ଚିବା ପରେ ବାଙ୍କିଶୋଳରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍ ହସ୍ପିଟାଲ ବୁଲି ଦେଖିଥିଲେ। ମୟୂରଭଞ୍ଜ ଜିଲ୍ଲାରେ କୃଷି, ନରେଗା ଭଳି ଜୀବନଜୀବିକା କାର୍ଯ୍ୟ ଲକ୍ଡାଉନ ପାଇଁ ପ୍ରଭାବିତ ହେବା ଉଚିତ୍ ନୁହେଁ। ଜିଲ୍ଲାରେ କେହି କରୋନା ପଜିଟିଭ୍ ନଥିଲେ ମଧ୍ୟ ଅଧିକ କରୋନା ପରୀକ୍ଷାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସନ୍ତୋଷଜନକ ବୋଲି ପ୍ରକାଶ କରି ଦୁଇ ଅଧିକାରୀ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରହିଥିବା ୨ ଶହ ଶଯ୍ୟା, ୧୦ଟି ଆଇସିୟୁ, ୧୦ଟି ଏଚ୍ଡିୟୁ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ। ଏହି ଅବସରରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏସ୍ପି ସ୍ମିତ୍ ପି ପରମାରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ପରେ ମୁଖ୍ୟଶାସନ ସଚିବ ଓ ୫ଟି ସଚିବ ବାଲେଶ୍ୱର ରିଜର୍ଭ ପୁଲିସ ପଡ଼ିଆ ହେଲିପ୍ୟାଡ୍ରେ ଓହ୍ଲାଇ ସେଠାରୁ ଜ୍ୟୋତି ଚିକିତ୍ସାଳୟରେ ଖୋଲିଥିବା କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ। ଏଠାରେ କରୋନା ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ସହିତ ୧୨ଟି ଆଇସିୟୁ ଶଯ୍ୟା (ଭେଣ୍ଟିଲେଟର), ୮ଟି ଏଚ୍ଡିୟୁ ଶଯ୍ୟା ଓ ୧୦୦ଟି ସାଧାରଣ ଶଯ୍ୟା ରହିଥିବାବେଳେ ଦୁଇ ସଚିବ ଜିଲ୍ଲା ପ୍ରଶାସନ ଦ୍ବାରା କରାଯାଇଥିବା ପ୍ରସ୍ତୁତି ଦେଖିବା ସହ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ସମୟରେ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ସିଡିଏମ୍ଓ ଡାକ୍ତର ବାନାର୍ଜୀ ପ୍ରସାଦ ଛୋଟରାୟ ଓ ପ୍ରାଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।