ସମ୍ବଲପୁର : ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏହି ସଂକ୍ରମଣ ମାତ୍ରା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁର୍ଲା ଭିମ୍‌ସାର୍‌ରେ ଦ୍ବିତୀୟ କୋଭିଡ୍ ହସ୍ପିଟାଲ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ଆରମ୍ଭରୁ ୧୦୦ ଶଯ୍ୟା ଓ ୨୦ ଆଇସିୟୁ ଥିଲା। କିନ୍ତୁ ସଂକ୍ରମଣ ବୃଦ୍ଧି ପରେ ଏହାକୁ ୧୭୫ ଶଯ୍ୟା ଓ ୫୦ ଆଇସିୟୁ ବିଶିଷ୍ଟ କରିବାକୁ କାମ ଚାଲିଛି। ତେବେ ପୂରା ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ ଭଳି ରାଜ୍ୟର ରୋଗୀମାନେ ବି ବୁର୍ଲା ଉପରେ ନିର୍ଭର କରୁଥିବାରୁ ଏଠାରେ ଦ୍ବିତୀୟ କୋଭିଡ୍ ହସ୍ପିଟାଲ୍‌ କରିବାକୁ ନିଷ୍ପତ୍ତି ନିଆ ଯାଇଥିବା ବୁଧବାର ସମ୍ବଲପୁର ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ଏ ପର୍ଯ୍ୟନ୍ତ ବ୍ୟବହାରରେ ଲାଗି ନଥିବା ଭିମ୍‌ସାର୍‌ର ନବନିର୍ମିତ ୫ ତାଲା ବିଶିଷ୍ଟ ମେଡିସିନ୍‌ ବିଭାଗ କୋଠାରେ ଏହି ଦ୍ବିତୀୟ କୋଭିଡ୍ ହସ୍ପିଟାଲ୍‌ କରାଯିବ। ତହିଁରେ ୫୦ ଆଇସିୟୁ ଓ ୨୫୦ ଅକ୍ସିଜେନ୍‌ ସୁବିଧା ଥିବା ସାଧାରଣ ଶଯ୍ୟାକୁ ମିଶାଇ ଏକକାଳୀନ ମୋଟ ୩୦୦ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ରହିବ। ଫଳରେ ଭିମସାର୍‌ର ଉଭୟ ହସ୍‌ପିଟାଲ୍‌କୁ ମିଶାଇ ମୋଟ ୫୨୫ ଶଯ୍ୟା ଉପଲବ୍‌ଧ ହେବ ଯହିଁରେ ୧୦୦ ଆଇସିୟୁ ରହିବ। ଏହି ନୂଆ ହସ୍‌ପିଟାଲ୍ ୧୦ ଦିନ ମଧ୍ୟରେ ପ୍ରସ୍ତୁତ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ବୁଧବାର ଗସ୍ତ ସମ‌ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସ୍ବାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆସି ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ୩ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଲେ, ବର୍ତ୍ତମାନ ଏହି ତିନି ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ଔଷଧ ଓ ଅନ୍ୟ ଚିକିତ୍ସା ସାମଗ୍ରୀ ମହଜୁଦ ରହିଛି। ଯେହେତୁ ଛତିଶଗଡ଼ରେ ବୃଦ୍ଧି ପାଉଥିବା ଅନିୟନ୍ତ୍ରିତ ସଂକ୍ରମଣ ନେଇ ସରକାର ସଚେତନ ଅଛନ୍ତି ବୋଲି ଶ୍ରୀ ମହାପାତ୍ର କହିଥିଲେ। ତେଣୁ ସମ୍ଭାବ୍ୟ ପରିସ୍ଥିତିରେ ଯେମିତି ଶଯ୍ୟା, ଆଇସିୟୁ, ଭେଣ୍ଟିଲେଟର ଆଦିର ଅଭାବ ରହିବ ନାହିଁ ସେଥି ପାଇଁ ଆମେ ପ୍ରସ୍ତୁତ ହେଉଛୁ ବୋଲି ସେ କହିଥିଲେ। ସମୀକ୍ଷା ବୈଠକରେ ଡିଏମଇଟି ଡା. ସିବିକେ ମହାନ୍ତି, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର, ଭିମ୍‌ସାର ନିର୍ଦ୍ଦେଶକ ଡା. ଲଳିତ ମେହେର, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍‌ସେନା, ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ, ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ସମେତ ଏହି ଜିଲ୍ଲା ମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କ୍ଷେତ୍ରସ୍ତରୀୟ ସ୍ଥିତି ଓ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍ତରାଂଚଳ ରେଞ୍ଜ୍‌ ଆଇଜି ନରସିଂହ ଭୋଳ, ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର, ଭିମ୍‌ସାର୍‌ ଅଧକ୍ଷ ଡା. ଜୟଶ୍ରୀ ଦୋରା, ଅଧୀକ୍ଷକ ଡା. ଲାଲମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସମୀକ୍ଷା ପରେ ସୁନ୍ଦରଗଡ଼ ଜିଲ୍ଲାର ସମୀକ୍ଷା ପାଇଁ ମୁଖ୍ୟ ଓ ଅତିରିକ୍ତ ମୁଖ୍ୟ ସଚିବ ଅନ୍ୟ ଅଧିକାରୀଙ୍କ ସହ ରାଉରକେଲା ଯାଇଥିଲେ।