ସମସ୍ତ ଜିଲ୍ଲାପାଳଙ୍କ ସହ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ବର : ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସ୍ଥିତି ସମୀକ୍ଷା କରିଛନ୍ତି । ଆଜି ଲୋକସେବା ଭବନରେ ଭିଡିଓ କନଫରେନ୍‌ସିଂ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସିଡିଏମ୍‌ଓମାନଙ୍କ ସହ ଆଲୋଚନା କରିଛନ୍ତି। ସଂକ୍ରମିତ ରୋଗୀକୁ ଜିଲ୍ଲାରେ ଥିବା ମେଡିକାଲଗୁଡ଼ିକରେ ସ୍ବତନ୍ତ୍ର ଵାର୍ଡ଼ରେ ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମି ପର୍ଯ୍ୟାପ୍ତ ଅଛି କି ନାହିଁ ସେ ନେଇ ଶ୍ରୀ ତ୍ରିପାଠୀ ପଚାରି ବୁଝିଥିଲେ।

ବୈଠକ ପରେ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ତଥା ଡିଏମ୍‌ଇଟି ଡାକ୍ତର ପ୍ରଫେସର୍‌ ସି.ବି.କେ ମହାନ୍ତି କହିଥିଲେ, ଏବେସୁଦ୍ଧା କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ୫ ଜଣ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। କନ୍ଧମାଳର ଜନୈକ ଯୁବକଙ୍କ ଲକ୍ଷଣରୁ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ ହେବାରୁ ତାଙ୍କୁ କଟକ ଏସ୍‌ସିବିର ସ୍ବତନ୍ତ୍ର ଵାର୍ଡ଼ରେ ରଖାଯାଇଛି। ତାଙ୍କ ରକ୍ତ ନମୁନାକୁ ପୁନେସ୍ଥିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ବାକି ୪ ଜଣଙ୍କ ରକ୍ତ ନମୁନା ମଧ୍ୟ ଏନ୍‌ଆଇଭିକୁ ପଠାଯିବା ସହ ସେମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରଖାଯାଇ ନିୟମିତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଥିଲେ, ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି କରୋନା ରୋଗରେ ପୀଡ଼ିତ ହେବା ନେଇ ସ୍ପଷ୍ଟ ହୋଇନାହିଁ। ପୁନେସ୍ଥିତ ଏନ୍‌ଆଇଭି କେନ୍ଦ୍ରରୁ ରକ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ। କିନ୍ତୁ ବିଶେଷକରି ଚୀନର ଉହାନ୍‌ ପ୍ରଦେଶ କିମ୍ବା ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି। କରୋନାକୁ ମୁକାବିଲା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ମେଡିକାଲ କଲେଜ୍‌ ଓ ସଦର ମହକୁମା ଡାକ୍ତରଖାନାକୁ ଆବଶ୍ୟକ ଗାଇଡଲାଇନ୍‌ ପଠାଯିବା ସହ ସିଡିଏମଓମାନଙ୍କ ଠାରୁ ପ୍ରତିଦିନ ରିପୋର୍ଟ ସଂଗ୍ରହ କରାଯାଉଛି ବୋଲି ଶ୍ରୀ ଧଳ କହିଥିଲେ। ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ଜାତୀୟ ସ୍ବାସ୍ଥ୍ୟ ମିସନ ପରିଚାଳନା ନିର୍ଦ୍ଦେଶିକା, ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର