ଟିଟିଲାଗଡ଼ : ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ବାପା ଗୌରୀଶଙ୍କର ତ୍ରିପାଠୀ (୯୬ ବର୍ଷ)ଙ୍କ ଶୁକ୍ରବାର ଟିଟିଲାଗଡ଼ ହାଟପଦା ପଡ଼ାସ୍ଥିତ ବାସଭବନରେ ପରଲୋକ ଘଟିଛି। ସ୍ବର୍ଗତ ତ୍ରିପାଠୀ ୧୯୨୪ ମସିହାରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗୀସୁରଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ। ପ୍ରାରମ୍ଭିକ ଶିକ୍ଷା ସିନ୍ଧେକେଲା ସଂପନ୍ନ କରିଥିଲେ। ପରେ ସେ ଉଚ୍ଚ ଶିକ୍ଷା ଲାଭ କରି ବିଡିଓ ଭାବେ ଟିଟିଲାଗଡ଼, ସଇନ୍ତଳା, ବଲାଙ୍ଗୀର ଆଦି ଅଂଚଳରେ କାର୍ଯ୍ୟ କରିଥିଲେ।
ସ୍ବର୍ଗତ ତ୍ରିପାଠୀଙ୍କ ପାଞ୍ଚ ପୁଅ ଅଶୋକ , ଅରୁଣ , ଅସିତ , ଅମିତ , ଅଜିତ ଏବଂ ଦୁଇ ଝିଅ ମନୋରମା ଓ ନିରୂପମା । ସେମାନଙ୍କ ମଧ୍ୟରୁ ପୁଅ ଅଜିତଙ୍କ ବିୟୋଗ ଘଟି ସାରିଛି। ଅନ୍ୟ ପୁଅମାନେ ଉଚ୍ଚ ପଦପଦବୀରେ ରହିଛନ୍ତି। ସ୍ବର୍ଗତ ତ୍ରିପାଠୀ ଜଣେ ସାହିତ୍ୟାନୁରାଗୀ ତଥା ପରିବେଶ ପ୍ରେମୀ ଭାବେ ବେଶ୍ ଜଣାଶୁଣା ଥିଲେ। ସେ ଟିଟିଲାଗଡ଼ରେ ବିଡିଓ ଥିବା ସମୟରେ ଏହି ବ୍ଲକ୍ ଅନ୍ତର୍ଗତ ଡିଆଟନ ନିକଟ କାଜୁ ବଗିଚା ସୃଷ୍ଟି ହୋଇପାରିଥିଲା।
ଏହା ଛଡ଼ା ସେ ସ୍ଥାନୀୟ କବି ତଥା ସାହିତ୍ୟିକମାନଙ୍କୁ ବେଶ୍ ପ୍ରୋତ୍ସାହିତ କରିଆସୁଥିଲେ। ଉଚ୍ଚ ଶିକ୍ଷା ଲାଭ କରି ପ୍ରଥମେ ଏସ୍ଇଓ ଭାବେ ପାଟଣାଗଡ଼ରେ ଚାକିରି ଜୀବନ ଆରମ୍ଭ କଲା ପରେ ତାଙ୍କ ପଦୋନ୍ନତି ହୋଇ ବିଡିଓ ଭାବେ ବିଭିନ୍ନ ବ୍ଲକ୍ରେ କାର୍ଯ୍ୟ କରିଥିଲେ। ଶନିବାର ତାଙ୍କ ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।