ବେଆଇନ୍‌ ନିଶାଦ୍ରବ୍ୟ କାରବାର ଉପରେ କଡ଼ା ନଜର ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ବେଆଇନ୍‌ ନିଶାଦ୍ରବ୍ୟ କାରବାର ଉପରେ କଡ଼ା ନଜର ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିିତ୍ୟ ପ୍ରସାଦ ପାଢ଼ୀ ପୁଲିସ୍‌, ଅବକାରୀ ଏବଂ ଡ୍ରଗ୍‌ କଣ୍ଟ୍ରୋଲର ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ବିଶେଷତଃ ପୁଲିସ୍‌ ଏ ଦିଗରେ ଅଧିକ ସକ୍ରିୟ ରହିବା ପାଇଁ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଏକ ଉଚ୍ଚସ୍ତରୀୟ ସମନ୍ଵୟ ବୈଠକରେ ସୋମବାର ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ତଥା ଉନ୍ନୟନ କମିଶନର ଅସୀତ କୁମାର ତ୍ରିପାଠୀ ଉଭୟ ପୁଲିସ୍‌ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରିବା ସହ ନୈନିକ ଭିତ୍ତିରେ ସମନ୍ଵିତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ପ୍ରଦାନ ପାଇଁ ଉଦ୍ଦିିଷ୍ଟ ଅନ୍ଲାଇନ୍‌ ପୋର୍ଟାଲ ଜିଲ୍ଲାସ୍ତରରୁ ଏହି ସମନ୍ଵିତ ରିପୋର୍ଟ ଅପ୍ଲୋଡ଼ କରିବା ପାଇଁ ଅବକାରୀ ଅଧୀକ୍ଷକମାନଙ୍କୁ କୁହାଯାଇଥିଲା ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଅବକାରୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଆନ୍ତରାଜ୍ୟ ବେଆଇନ୍‌ ନିଶାଦ୍ରବ୍ୟ କାରବାର ଏବଂ ତତ୍ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ପ୍ରମୁଖ ଶାସନ ସଚିବ ଧଳ ଜଣାଇଥିଲେ ଯେ ନିର୍ବାଚନକୁ ଆଖିରେ ରଖି ଜିଲ୍ଲାସ୍ତରରେ ଫେବ୍ରୁଆରି ମାସଠାରୁ ବେଆଇନ୍‌ ନିଶା କାରବାର ଉପରେ ଚଢ଼ାଉ, ଜବତ ଏବଂ ଗିରଫତାରୀ ଆରମ୍ଭ କରାଯାଇଛି । ପ୍ରାପ୍ତ ତଥ୍ୟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପୁଲିସ୍‌ ଏବଂ ଅବକାରୀ ବିଭାଗ ସମୁଦାୟ ୮୯୬୯ଟି ମକଦ୍ଦମା ରୁଜ୍ଜୁ କରିଛନ୍ତି । ଅବକାରୀ ବିଭାଗ ଅଧିକାରୀମାନେ ୨୧୪୦ ଜଣ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଉଭୟ ବିଭାଗ ଦ୍ୱାରା ପ୍ରାୟ ୧,୩୨,୦୦୦ ଲିଟର ବେଆଇନ୍‌ ଦେଶୀ ମଦ ଏବଂ ୨୭,୦୦୦ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏହା ଛଡ଼ା ୨୦୧୮-୧୯ ବର୍ଷରେ ୧୧,୬୨୭ ଏକର ଜମିରେ ବେଆଇନ୍‌ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇ ପ୍ରାୟ ୧,୩୭,୩୭,୦୦୦ ଗଛ ନଷ୍ଟ କରାଯାଇଛି, ଏବଂ ୪.୫ କିଲୋ ବ୍ରାଉନ୍‌ ସୁଗାର ଜବତ କରାଯାଇଛି ।

ପଡ଼ୋଶୀ ରାଜ୍ୟମାନଙ୍କରୁ ଆସୁଥିବା ବେଆଇନ୍‌ ନିଶାଦ୍ରବ୍ୟ ରୋକିବା ପାଇଁ ସଂପୃକ୍ତ ରାଜ୍ୟ ସହ ସଂଯୋଗ ସ୍ଥାପନ କରିବା, ବହୁମୁଖୀ ସ୍କ୍ଵାର୍ଡଙ୍କ ଦ୍ଵାରା କ୍ଷେତ୍ରସ୍ତରରେ ପ୍ରବର୍ତ୍ତନ କାଯର‍୍ୟକୁ ଅଧିକ କଡ଼ାକଡ଼ି ଓ ସଘନ କରିବା, ଅବକାରୀ ଏବଂ ପୁଲସ୍‌ ବିଭାଗ ମଧ୍ୟରେ ଅଧିକରୁ ଅଧିକ ଇଣ୍ଟେଲିଜେନ୍‌ସ ରିପୋର୍ଟ ନେଣଦେଣ କରିବା, ମାନୁଫାକ୍‌ଚରିଂ କାରଖାନାମାନଙ୍କରେ ଉତ୍ପାଦନ ନିୟନ୍ତ୍ରଣ କରିବା, ଭୋଟ ଗ୍ରହଣ ନିରନ୍ତର ୪୮ ଘଣ୍ଟା ପୂର୍ବରୁ ଆନ୍ତରାଜ୍ୟ ସୀମା ସିଲ୍‌ କରିବା, ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାବଳି ଅନୁସାରେ ରାଜ୍ୟ ମଧ୍ୟରେ ମଦ ଦେକାନ ବନ୍ଦ ରଖିବା, ବେଆଇନ୍‌ କାରବାର ରୋକିବା ପାଇଁ ଫଳପ୍ରସୁ ପଦକ୍ଷେପ ନେବା, ଓଡ଼ିଶା ଅବକାରୀ ଆଇନ ଧାରା ୫(୯)ର କ୍ଷମତା ପୋଲିସକୁ ଅର୍ପଣ କରିବା, ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ କରିବା ଆଦିି ବଷୟରେ ସବିଶେଷ ଆଲୋଚନା କରାଯାଇ ଆବଶ୍ୟକୀୟ ନିଷ୍ପତ୍ତିମାନ ନିଆଯାଇଥିଲା । ସେସବୁକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ପାଢ଼ୀ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଅସୀତ କୁମାର ତ୍ରିପାଠୀ, ଅବକାରୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲାଙ୍କ ସମତେ ସଂପୃକ୍ତ ବିଭାଗର କମିଶନର ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର