ସେବା ପ୍ରଦାନରେ ଜନସାଧାରଣଙ୍କ ଆସ୍ଥା ବଢ଼ାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଜୀବିକା ନିର୍ବାହ ଓ ନିଯୁକ୍ତି ସୃଷ୍ଟି ପ୍ରକଳ୍ପ ପ୍ରସ୍ତୁତ ଉପରେ ଗୁରୁତ୍ବ

ଭୁବନେଶ୍ବର: ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଥିଲେ ଯେ, ସ୍ବଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ସମୟାନୁବନ୍ଧିତ ସେବା ପ୍ରଦାନ କଲେ ଲୋକଙ୍କ ମନରେ ସେବା ପ୍ରଦାନ ବିଷୟରେ ସନ୍ତୋଷ ସୃଷ୍ଟି ହେବ ଏବଂ ସରକାରୀ ବ୍ୟବସ୍ଥା ପ୍ରତି ଆସ୍ଥା ବୃଦ୍ଧି ପାଇବ।

କୋଭିଡ ଅନ୍‌ଲକିଂ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟି ଭିତ୍ତିକ ପ୍ରକଳ୍ପ ଗୁଡ଼ିକରେ ତ୍ବରିତ କାର୍ଯ୍ୟାନ୍ବୟନ ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଦ୍ୟାନ ଚାଷ, ପଶୁପାଳନ, ସମନ୍ବିତ କୃଷି, ଉଠା ଜଳସେଚନ, ପାନୀୟ ଜଳ ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ, ରାସ୍ତାଘାଟ ନିର୍ମାଣ ଆଦି ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହି ସବୁ କାର୍ଯ୍ୟର ବାସ୍ତବ ସ୍ଥିତି ବିଷୟ ପ୍ରତି ସପ୍ତାହରେ ଅନୁଧ୍ୟାନ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ମହାପାତ୍ର ଆହୁରି କହିଥିଲେ ଯେ, ପ୍ରତି ଜିଲ୍ଲାର ପ୍ରାକୃତିକ ପରିବେଶ, ଜଳବାୟୁ ଓ ମାନବ ସମ୍ବଳର ସ୍ବାତନ୍ତ୍ର ଅଛି। ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକାର କୃଷି-ଭିତ୍ତିକ ଫାର୍ମ ଓ କୃଷି ଉଦ୍ୟୋଗର ମଧ୍ୟ ସମ୍ଭାବନା ରହିଛି। ଏହି ସବୁ ସମ୍ବଳ ଓ ସମ୍ଭାବନାର ଅନୁଧ୍ୟାନ କରି ଅଭିନବ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏ ପ୍ରକାର ଅଭିନବ ପ୍ରକଳ୍ପ ନିମନ୍ତେ ଅର୍ଥର ଅଭାବ ହେବ ନାହିଁ। ଅର୍ଥ ସହ ଆବଶ୍ୟକୀୟ ବୈଷୟିକ କୌଶଳ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ।

ଆସନ୍ତା ୧୦ ଦିନ ମଧ୍ୟରେ ନିଜ ନିଜ ଜିଲ୍ଲାରେ ବିଭିନ୍ନ ବିଭାଗ ମାନଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥିବା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରି ଗୁରୁତ୍ବପୂର୍ଣ୍ଣ ଶୂନ୍ୟସ୍ଥାନ ଗୁଡ଼ିକ ଚିହ୍ନଟ କରିବା ନିମନ୍ତେ ଉନ୍ନୟନ କମିସନର ଶ୍ରୀ ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାକି ରହିଯାଇଥିବା ଦିଗ ଓ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସମନ୍ବୟ କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନ ଗୁଡ଼ିକ ଚିହ୍ନଟ କରି ତଦନୁଯାୟୀ ପ୍ରକଳ୍ପ ପରାମର୍ଶ ଦେବାକୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର