ସବୁ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ, ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ତାଲିକା ପ୍ରସ୍ତୁତ କର

ଭୁବନେଶ୍ୱର : ସରକାର ଠିକ୍ ସମୟରେ କର୍ମଚାରୀମାନଙ୍କ ପଦୋନ୍ନତିକୁ ଗୁରୁତ୍ବ ଦେଉଛନ୍ତି। ତେଣୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବୈଠକ ଡାକି କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପଦୋନ୍ନତି ସଂକ୍ରାନ୍ତୀୟ ପଡ଼ି ରହିଥିବା ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରି ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସବୁ ବିଭାଗକୁ ଲେଖିଥିବା ଚିଠିରେ ମୁଖ୍ୟ ଶାସନ ସଚିବ ଦର୍ଶାଇଛନ୍ତି ଯେ ପ୍ରତି ବର୍ଷ ଡିସେମ୍ବର ୧୫ରୁ ୩୧ ତାରିଖ ମଧ୍ୟରେ ଡିପିସି ‌େବୖଠକ କରିବା ପାଇଁ ଗତ ଜାନୁଆରିରେ ସବୁ ବିଭାଗକୁ କୁହାଯାଇଥିଲା। ଠିକ୍ ସମୟରେ ପଦୋନ୍ନତି ଦେବା ପାଇଁ କର୍ମଚାରୀଙ୍କ ତାଲିକା ଡିସେମ୍ବର ୩୧ ତାରିଖ ସୁଦ୍ଧା ପ୍ରସ୍ତୁତ ହେବା ଆବଶ୍ୟକ। ସେହି ଅନୁଯାୟୀ ବିଭାଗଗୁଡ଼ିକ ପଦକ୍ଷେପ ନେବେ। ପଦୋନ୍ନତି ସଂକ୍ରାନ୍ତୀୟ କିଛି ଅଭିଯୋଗ ତୃତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତରେ ଶୁଣାଣି ହୋଇପାରି ନ ଥିବାରୁ ସଂପୃକ୍ତ ପ୍ରଶାସନିକ ବିଭାଗକୁ ଅଭିଯୋଗଗୁଡ଼ିକ ପଠାଇ ଦିଆଯାଇଥିଲା। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତର କିଛି ମାମଲା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏବଂ ତୃତୀୟ ପର୍ଯ୍ୟାୟ ଅଦାଲତର କିଛି ମାମଲା ଅକ୍ଟୋବର ୧୫ ତାରିଖ ସୁଦ୍ଧା ଶୁଣାଣି କରି ଫଏସଲା କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି ସମୟସୀମା ମଧ୍ୟରେ ଯେଉଁ ବିଭାଗରେ ପଦୋନ୍ନତି ସଂକ୍ରାନ୍ତୀୟ ମାମଲାର ଶୁଣାଣି ହୋଇ ନାହିଁ, ତାହାକୁ ତୁରନ୍ତ ଫଏସଲା କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିଭାଗର ମୁଖ୍ୟମାନେ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର