ମୁଖ୍ୟ ଶାସନ ସଚିବ-ଏନଟିପିସି ବୈଠକ: ତାଳଚେରରେ ଖୁବଶୀଘ୍ର ଆରମ୍ଭ ହେବ ନୂଆ ତାପଜ ୟୁନିଟ ପ୍ରତିଷ୍ଠା କାମ

ଭୁବନେଶ୍ବର: ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ପତ୍ର ଅନୁସାରେ ଆଜି ରାଜ୍ୟ ସରକାର ଏବଂ ଏନ.ଟି.ପି.ସି. ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ତାଲଚେରରେ ଥିବା ପୁରୁଣା ତାପଜ ବିଦ୍ୟୁତ କେନ୍ଦ୍ର ଚଳାଇବ‌ା ଏବଂ ନୂଆ ୟୁନିଟ ପ୍ରତିଷ୍ଠା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।

ତାଲଚେ‌ରରେ ରାଜ୍ୟର ବିଦ୍ୟୁତ ଚାହିଦା ଅନୁସାରେ ଗୋଟିଏ କିମ୍ବା ଦୁଇଟି ଅଲଟ୍ରା-ମେଗା ପାୱାର ୟୁନିଟ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏହି ନୂଆ ୟୁନିଟର ପ୍ରତିଷ୍ଠା ଉତ୍ପାଦିତ ବିଦ୍ୟୁତର ବିପଣୀ ଓ କାରବାର ସମ୍ବନ୍ଧରେ ଗ୍ରୀଡକୋ ଏବଂ ଏନଟିପିସି ମିଳିତ ଭାବେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସ୍ଥିର ହୋଇଥିଲା। ଏବିଷୟରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଏନଟିପିସିର ଅଧ୍ୟକ୍ଷ ଗୁରୁଦୀପ ସିଂହ କହିଥିଲେ।

ତାଳେଚରେର ନୁଆ ୟୁନିଟ କାର୍ଯ୍ୟକ୍ଷମହେ ପର୍ଯ୍ୟନ୍ତ ପୁରୁଣା ୟୁନିଟକୁ ଚଳାଇ ରଖିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ବାରାପ କରିଥିଲେ । ଏହି ପ୍ଲାଣ୍ଟ ସହ ଅନେକ ଲୋକଙ୍କର ଜୀବିକା ଜଡ଼ିତ ଥିବାରୁ ଏହା ଚଳାଇ ରଖିବା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର। ତାଳଚୋର ତାପଜ କେନ୍ଦ୍ର ଏନଟିପିସି‌ର ଉତ୍କୃଷ୍ଟ କେନ୍ଦ୍ର ଭାବେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। କିଛି ପୁଞ୍ଜି ବିନିଯୋଗ ସହ ଏହି ପ୍ଲାଣ୍ଟର ନବୀକରଣ କରି ଏହାକୁ ପୁନଃ ଚଳାଇବା ଉଚିତ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ। ପ୍ରଦ୍ୟୁଷଣ ନିୟନ୍ତ୍ରଣ ସମ୍ବନ୍ଧିତ କିଛି ପଦକ୍ଷେପ ସହ ଏହି ପ୍ଲାଣ୍ଟ ଚଳାଯାଇ ପାରିବ ବୋଲି ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଂପାଦକ ଡ଼ଃ କେ. ମୁରୁଗେସନ କହିଥିଲେ। ପ୍ଲାଣ୍ଟର ନିରାପତ୍ତା ଅଡିଟ କରି ଏହି ପ୍ଲାଣ୍ଟକୁ ପୁନଃ ଚଳାଇବା ନିମନ୍ତେ ସମସ୍ତ ସମ୍ଭାବନାର ଅନୁଧ୍ୟାନ କରିବା ପାଇଁ ଏନଟିପିସିର ଅଧ୍ୟକ୍ଷ ଶ୍ରୀ ସିଂହ ବୈଠକରେ ଉପସ୍ଥିତ ଯନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରୁଣା ୟୁନିଟ ଚଳାଇବା ନିମେନ୍ତ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଇତି ମଧ୍ୟରେ ନୂଆ ୟୁନିଟ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ କମିଟି ଅନୁମୋଦନ ଦେଇଛନ୍ତି। ପ୍ରାରମ୍ଭିକ ଆକଳନ ଅନୁସାରେ ଏଥିରେ ପ୍ରାୟ ୭,୭୦୦କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ହେବ। ଏହି ୟୁନିଟ ପ୍ରତିଷ୍ଠା ପାଇଁ ଏନଟିପିସିଙ୍କୁ ଜମି, ଜଳ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯାଇଛି। ଏହାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସିଂହ ଜଣାଇଥିଲେ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ ତାଳଚେର ତାପଜ କେନ୍ଦ୍ର ସମ୍ବନ୍ଧିତ ବୈଷୟିକ, ପ୍ରଶାସନିକ ଏବଂ ବ୍ୟବସାୟିକ ଆଦି ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଏନଟିପିସିର ପ୍ରକଳ୍ପ ନିର୍ଦ୍ଦେଶକ ଉଜ୍ଜ୍ବଳକାନ୍ତି ଭଟ୍ଟାଚାର୍ଯ୍ୟଙ୍କ ସମେତ ଗ୍ରୀଡକୋ, ଓପିଟିସିଏଲ ଏବଂ ଏନଟିପିିସିର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର