କଟକ: ହାଇକୋର୍ଟରେ ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହି ଆଡଭୋକେଟ୍ ଜେନେରାଲ କାର୍ଯ୍ୟାଳୟର ଭିତ୍ତିଭୂମି ବିକାଶ ସଂପର୍କରେ ତଥ୍ୟ ରଖିଥିଲେ। ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟରେ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀଙ୍କ ପାଇଁ ଆବଶ୍ୟକ ଭତ୍ତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଥିଲେ।
ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟର ଭିତ୍ତିଭୂମି ବିକାଶ ପ୍ରସଂଗରେ ଯୋଜନା ପ୍ରସ୍ତୁତ କରାଯିବ। ଏ ସଂପର୍କିତ ଆକ୍ସନ ପ୍ଲାନ ସଂକ୍ରାନ୍ତରେ ଡିସେମ୍ବର ଦ୍ବିତୀୟ ସପ୍ତାହ ଭିତରେ ଅବଗତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ୨୬ ତାରିଖ ଦିନ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନ ପାଇଁ ଗତ ୨୨ ତାରିଖରେ ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।