ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ପତୋରାରେ ବନବିଭାଗ ପକ୍ଷରୁ ନବନିର୍ମତ ହୋଇଥିବା ଇକୋ ପାର୍କକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଗୁରୁବାର ଏହାର ତଦାରଖ କରିବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମାହାପାତ୍ର ପତୋରା ଇକୋ ପାର୍କରେ ପହଞ୍ଚି ଥିଲେ। ୯୬ ଲକ୍ଷ ୮୦ ହଜାର ଟଙ୍କା ନିର୍ମାଣରେ ହୋଇଥିବା ଏହି ପାର୍କ ପରିଦର୍ଶକ କରିବା ସହ ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ଜଙ୍ଗଲ ବିଭାଗ ପକ୍ଷରୁ ପତୋରା ମନ୍ଦିର ନିକଟରେ ଇକୋ ପାର୍କ ନିର୍ମାଣ କରାଯାଇଛି। ଫଳରେ ଓଡ଼ିଶା ତଥା ଛତିଶଗଡ଼ର ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସି ଏଠାରେ ରହିବାର ସୁବିଧା ପାଇପାରିବେ। ପ୍ରଶାସନ ପକ୍ଷରୁ ଏଠାରେ ବୋଟିଂର ମଧ୍ୟ ବ୍ୟବସ୍ଥା କରାଯିବ। ପାର୍କକୁ ଗ୍ରାମବାସୀ ଦେଖାରେଖା କରିବେ। ଏଥିପାଇଁ ସ୍ଥାନୀୟ ଯୁବକଙ୍କୁ ତାଲିମ୍ ଦିଆଯିବ। ଏଠାରେ ୫ଟି କଟେଜ୍ ନିର୍ମାଣ, ବାଇ ସାଇକଲ୍ ଚାଳନା, ୱାଚ୍ ଟାୱାର, ଜଙ୍ଗଳ ସଫାରିର ବ୍ୟବସ୍ଥା ହୋଇଛି। ଆଗକୁ ବୋଟିଙ୍ଗ୍ର ବ୍ୟବସ୍ଥା କରାଯିବା ବୋଲି କହିଥିଲେ। ପତୋରା ପର୍ଯ୍ୟଟନ ସ୍ଥଳୀ ଥିବା କଟେଜ୍ର ଅନ୍ଲାଇନ୍ ବୁକିଙ୍ଗ୍ ବ୍ୟବସ୍ଥା ରହିଥିବା ବେଳେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବାକୁ କହିଥିଲେ।
ଏହି ଗସ୍ତରେ ଜଳସଚେନ ବିଭାଗ ମୁଖ୍ୟ ସଚିବ ଅନୁ ଗର୍ଗ, ସ୍ବତନ୍ତ୍ର ଜଳସେଚନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ଜିଲ୍ଲାପାଳ ସ୍ବଧାଦେବ ସିଂହ, ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଖଡ଼ିଆଳ ବନଖଣ୍ଡ ଆଧିକାରୀ ସହ ବିଭାଗୀୟ କର୍ମଚାରୀମାନେ ଯୋଗଦେଇଥିଲେ।