ସଚିବମାନଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ବର: ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗତକାଲି ଦାୟିତ୍ବ ଗ୍ରହଣ କଲା ପରେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ଶ୍ରୀ ଆହୁଜା ଏକ ବୈଠକ କରିଥିଲେ। ଏଥିରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେବା ସହ ମୁଖ୍ୟ ସଚିବଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ସମ୍ପର୍କରେ ଆଲୋକପାତ କରିଥିଲେ।

ଶ୍ରୀ ଆହୁଜା କହିଥିଲେ, ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାର ସୁନାମ ରହିଛି। ନବଗଠିତ ସରକାରଙ୍କ ନିର୍ବାଚନ ଇସ୍ତାହାରକୁ ଆଖି ଆଗରେ ରଖି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟା‌ନ୍ୱୟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଯୋଜନାର କାର୍ଯ୍ୟକାରିତା ପାଇଁ ଯେପରି ଫଳପ୍ରଦ ପ୍ରୟାସ ରହିବ, ସେ ସମ୍ପର୍କରେ ସେ ବହୁ ଗଠନମୂଳକ ପରାମର୍ଶ ଦେଇଥିଲେ।

ବୈଠକରେ ଆଗାମୀ ବଜେଟ୍ ଉପସ୍ଥାପନ, ପୁରୀ ରଥଯାତ୍ରାର ସୁପରିଚାଳନା, ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ଛୋଟ ଛୋଟ ସମସ୍ୟା ରହୁଥିଲେ ତାହାକୁ ବିଳମ୍ବିତ ନକରି ଶୀଘ୍ର ଶେଷ କରିବାକୁ ଶ୍ରୀ ଆହୁଜା ପରାମର୍ଶ ଦେଇଥିଲେ। ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବମାନେ ନିଜ ନିଜ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ। ସଚିବମାନେ ବିଭିନ୍ନ କାର୍ଯ୍ୟରେ ନୂତନତ୍ୱ ଆଣିବା, ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଓ ଉତ୍ତରଦାୟିତ୍ୱ ପ୍ରତି ଶ୍ରୀ ଆହୁଜା ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧିତ ଖବର