ଭୁବନେଶ୍ବର: କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ କଠୋର ହୋଇଛନ୍ତି। ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି । ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଇତିମଧ୍ୟରେ ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ଯେତେ ଅଧିକ ଲୋକ ଆସିବେ ସେତେ ସଂକ୍ରମଣ ବଢ଼ିବ। ତେଣୁ ସଂକ୍ରମଣ ରୋକିବା ଲାଗି କିଛି କଟକଣା ଜାରି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି। ଏଥିଲାଗି ଓଡ଼ିଶାର ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର ଓ ବାଲେଶ୍ୱର ଆଦି ସଂକ୍ରମଣ ବଢ଼ିଥିବା ୧୧ ଜିଲ୍ଲାରେ ସପ୍ତାହର ଦୁଇ ଦିନ ଅର୍ଥାତ୍ ଶନିବାର ଓ ରବିବାର ସଟଡାଉନ ହେବ । ଜୁନ୍ ୩୦ ତାରିଖ ଯାଏଁ ଏହି ନିୟମ ବଳବତ୍ତର ରହିବ। ତେବେ ସଟଡାଉନ ବେଳେ ଜରୁରୀ ସେବା ମିଳିବ । ବିମାନ ସେବା ଓ ଟ୍ରେନ୍ ଚଳାଚଳ ଜାରି ରହିବ। କିନ୍ତୁ ଏହି ସମୟରେ ମେଡିକାଲ୍, ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗର କାମ ଜାରି ରହିବ। ଏହି ସମୟରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ସଂପୂର୍ଣ୍ଣ କଟକଣା ଲାଗୁ ହେବ। ଜରୁରି ପରିସ୍ଥିତି ବ୍ୟତୀତ କେହି ଘରୁ ବାହାରି ପାରିବେ ନାହିଁ। ଏହି ସମୟରେ ସମସ୍ତ ସରକାରୀ-ବେସରକାରୀ କାର୍ଯ୍ୟାଳୟ ସହିତ ତେଜରାତି ଦୋକାନ ମଧ୍ୟ ବନ୍ଦ ରହିବ।
Live Press Briefing by Odisha Chief Secretary @SecyChiefhttps://t.co/zF3S3ODV4N
— I & PR Department, Odisha (@IPR_Odisha) June 1, 2020
ରାଜ୍ୟ ସରକାରଙ୍କ ସଟଡାଉନ କଟକଣା
• ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ
• ଗଞ୍ଜାମ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ନୟାଗଡ, କଟକ, ବାଲେଶ୍ୱର, ବଲାଙ୍ଗୀର ଜିଲ୍ଲାରେ ଶନି ଓ ରବି ସଟଡାଉନ
• ୧୧ ଜିଲ୍ଲାରେ ଜରୁରୀ ସେବା ଜାରି ରହିବ
• ହସ୍ପିଟାଲ ଓ ଔଷଧ ଦୋକାନ ଖୋଲାରହିବ
• ପେଟ୍ରୋଲ ପମ୍ପ ଖୋଲା ରହିବ, ଗଣମାଧ୍ୟମକୁ ଅନୁମତି
• ଜଳଯୋଗାଣ, ବିଦ୍ୟୁତ ସେବା ଜାରି ରହିବ
• ବଜାର, ଅଫିସ, ଗ୍ରୋସରୀ ଦୋକାନ ବନ୍ଦ
ଏବେ ନଜର ପକାନ୍ତୁ ଅନଲକ୍ ୧.୦ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି ହୋଇଛି ..
• ଜୁନ୍ ୩୦ ପର୍ଯ୍ୟନ୍ତ ସପିଂ ମଲ୍ ବନ୍ଦ
• ଜୁଲାଇ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
• ଜୁନ୍ ୩୦ ଯାଏଁ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କୁ ମନା
• ଅନ୍ତର୍ଜାତୀୟ ବିମାନସେବା ୩୦ ଜୁନ୍ ପର୍ଯ୍ୟନ୍ତ ବନ୍ଦ
• ସିନେମା ହଲ୍, ଜିମ୍, ପାର୍କ, ବାର୍, ଅଡି଼ଟୋରିୟମ୍ ଜୁନ୍ ୩୦ ଯାଏଁ ବନ୍ଦ
• ଜୁନ୍ ୩୦ ଯାଏଁ କୌଣସି ସମାବେଶକୁ ଅନୁମତି ନାହିଁ