କଳାହାଣ୍ଡି ଜିଲ୍ଲାରେ କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ପରିସ୍ଥିତି ଅଣାୟତ ହେବାକୁ ବସିଲାଣି। ପ୍ରତ୍ୟେକ ଦିନ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କଳାହାଣ୍ଡି ଗସ୍ତରେ ଆସିଥିଲେ। ଭବାନୀପାଟଣା ସଦର ବ୍ଲକର କାମଠନା ସ୍ଥିତ କୋଭିଡ ହସ୍ପିଟାଲ ଗସ୍ତ କରିବା ସହିତ ଏନ୍‌ଏମ୍‌ ନର୍ସିଂ ସ୍କୁଲରେ କୋଭିଡ ପ୍ରସ୍ତୁତି ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ।

ଏହି ବୈଠକରେ ଏନ୍‌ଇଟି ନିର୍ଦ୍ଦେଶକ ଡ. ସି.ବି.କେ. ମହାନ୍ତି ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କୋଭିଡ ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ଔଷଧ, ଆମ୍ବୁଲାନ୍ସ ଓ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦେଇଥିଲେ। ଏହା ପରେ ଏନ୍‌ଏମ୍‌ ନର୍ସିଂ ସ୍କୁଲରେ କଳାହାଣ୍ଡି ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଓ  ଏସ୍‌ପି ଶ୍ରାବଣ ବିବେକ ଏମ୍‌ଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ସମୀକ୍ଷା ବୈଠକରେ ମାସ୍କ ପରିଧାନ, ସାମାଜିକ ଦୂରତା, କୋଭିଡ କଟକଣା ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଜରିମାନା ଆଦାୟ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଆମ୍ବୁଲାନ୍ସ ସେବା, ରାତ୍ରିକାଳୀନ କର୍ଫ୍ୟୁ, ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ସମ୍ପର୍କିତ ସମୀକ୍ଷା କରିଥିଲେ।

ବୈଠକରେ ଜିଲ୍ଲାପାଳ ଶ୍ରୀ ଗାଭାଲି କଳାହାଣ୍ଡି ଜିଲ୍ଲାରେ ନୂଆ ନିଯୁକ୍ତି ପାଇଥିବା ୧୦ ଜଣ ଡାକ୍ତରଙ୍କୁ ଶୀଘ୍ର ଅବସ୍ଥାପନ, ଭିତ୍ତିଭୂମିର ବିକାଶ ଓ ଜୀବନ ରକ୍ଷାକାରୀ ଉନ୍ନତ ମାନର ଆମ୍ବୁଲାନ୍ସ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୪୦ ହଜାର ୨୪୪ ଜଣଙ୍କୁ ଟିକାକରଣ କରାଯାଇଛି। ୧୪, ୭୪୫ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି। ସେହିଭଳି ଗତ ସପ୍ତାହରେ ୩୩୧୧ କୋଭିଡ ଗାଇଡ୍‌ ଲାଇନ ଉଲ୍ଲଙ୍ଘନକାରୀଙ୍କଠାରୁ ୬ ଲକ୍ଷ ୯୩ ହଜାର ୬୬୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ, ଆର୍‌ଟିପିସିଆର ଟେଷ୍ଟ ଓ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯାଉଥିବା ସୂଚନା ଦେଇଥିଲେ। ଏହି ବୈଠକରେ ଜିଲ୍ଲାର ଅନ୍ୟ ଅଧିକାରୀମାନଙ୍କ ମଧ୍ୟରୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରତାପ ଚନ୍ଦ୍ର ବେହେରା, ଏଡିଏମ୍‌ଓ ଡା. ନିହାରେନ୍ଦ୍ର ପଣ୍ଡା, ଡିପିଏମ୍‌ ଅବନୀ ରଞ୍ଜନ ମହାପାତ୍ର, ବିଡିଓ ପ୍ରୀତା କୁମାର, ଆରଟିଓ  ରାମ ନିବାସ ସିରିକା ଓ ଡିଆଇପିଆର୍‌ଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର