ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ : ଓମ୍ବାଡ୍‌କ ପାଣ୍ଠିରୁ ମୟୂରଭଞ୍ଜକୁ ମିଳିବ ୨ ହଜାର କୋଟି

ବାରିପଦା : ଓଡ଼ିଶା ଖଣି ପ୍ରାଧାନ୍ୟ ଅଞ୍ଚଳ ବିକାଶ ନିଗମ (ଓମ୍ବାଡ୍‌କ) ପାଣ୍ଠିରୁ ମୟୂରଭଞ୍ଜ ଜିଲ୍ଲାକୁ ମିଳିବ ୨ ହଜାର କୋଟି ଟଙ୍କାର ଆର୍ଥିକ ଅନୁଦାନ। ଏହି ଅର୍ଥରେ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ବ୍ୟବସ୍ଥା କରାଯିବ। ସେହିପରି ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଉନ୍ନତୀକରଣ ନିମନ୍ତେ ଆସନ୍ତା ବୁଧବାର ରାଜଧାନୀରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନ୍‌ଏଚ୍‌ଏଆଇ ଓ ହାଇଦ୍ରାବାଦ୍‌ର କିଛି ବ୍ୟାଙ୍କର୍ସଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ଜିଲ୍ଲାକୁ ମିଳିବାକୁ ଥିବା ୨ ହଜାର କୋଟି ଟଙ୍କାର ସଫଳ ବିନିଯୋଗ ନିମନ୍ତେ ଜିଲ୍ଲାସ୍ତରରେ ଏକ ପ୍ରୋଜେକ୍ଟ୍‌ ମନିଟରିଂ ୟୁନିଟ୍‌ (ପିଏମ୍‌ୟୁ) ଗଠନ କରାଯିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନେତୃତ୍ବରେ ଗଠିତ ଏହି ୟୁନିଟ୍‌ ମାଧ୍ୟମରେ ଅର୍ଥ ଖର୍ଚ୍ଚ ନିମନ୍ତେ ଖସଡ଼ା ପ୍ରସ୍ତୁତ କରାଯିବ। ଏହି ପ୍ରକ୍ରିୟାରେ ସାମିଲ ସମସ୍ତ ହିତାଧିକାରୀଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଜିଲ୍ଲାରେ ଜାତୀୟ ରାଜପଥର ବିକାଶ ଲାଗି ରାଜ୍ୟ ସରକାର ଯତ୍ନବାନ ଥିବା ଶ୍ରୀ ତ୍ରିପାଠୀ ସୂଚନା ଦେବା ସହ ଜିଲ୍ଲାରେ ବିଭିନ୍ନ ଯୋଜନାର ରୂପାୟନ ପ୍ରକ୍ରିୟା ସନ୍ତୋଷଜନକ ବୋଲି କହିଥିଲେ। ବୈଠକରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିତ୍‌ ପି.ପରମାର, ଅତିରିକ୍ତ ଜିଲ୍ଲାପାଳ ସ୍ବଧାଦେବ ସିଂ, ପିଡି ଡିଆର୍‌ଡିଏ ଚଞ୍ଚଳ ରାଣା, ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର