ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ : ଲକ୍‌ଡାଉନ୍ ଓ ସାମାଜିକ ଦୂରତା କଡ଼ାକଡ଼ି କରାଯିବ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସରକାର ଗତ କିଛି ଦିନ ଭିତରେ ବହୁ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ବିଭାଗକୁ ଏଥି ପାଇଁ ଦାୟିତ୍ବ ଦିଆଯାଇଛି। ଏହି ପଦକ୍ଷେପଗୁଡ଼ିକ କିପରି କାର୍ଯ୍ୟକାରୀ କରାଯାଇଛି, ତାହାକୁ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମୀକ୍ଷା କରିଥିଲେ। ଲୋକଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବା ସହ ଲକ୍‌ଡାଉନ୍ ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ରାଜ୍ୟ ବାହାରେ ଫସିଥିବା ଓଡ଼ିଆ ଲୋକ ଓ ଓଡ଼ିଶା ଭିତରେ ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କ ସମସ୍ୟା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଦାୟିତ୍ବରେ ଥିବ‌ା ଅଧିକାରୀମାନେ ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ କୁହାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ, ପଞ୍ଚ‌ାୟତ ଓ ପୌରାଞ୍ଚଳରେ ରନ୍ଧା ଖାଦ୍ୟ ବଣ୍ଟନ, ସାମାଜିକ ଦୂରତା ରକ୍ଷା, ବିଭିନ୍ନ ପ୍ରକାର ସାମାଜିକ ସହାୟତା ରାଶି ବଣ୍ଟନ, ପଞ୍ଚାୟତ ସ୍ତରରେ ସ୍ବାସ୍ଥ୍ୟ ସୁବିଧା, କୋଭିଡ୍‌-୧୯ କ୍ରିଟିକାଲ୍‌ ୟୁନିଟ୍‌ର ପ୍ରତିଷ୍ଠା, ଲୋକମାନଙ୍କୁ ସହାୟତା ‌େଯାଗାଇବାକୁ ସ୍ବେଚ୍ଛାସେବୀ ସଂସ୍ଥାର ସହଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର, ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା, ବିଭିନ୍ନ ବିଭାଗର ସଚିବ ଓ ନୋଡାଲ୍‌ ଅଫିସର୍‌ମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ପଞ୍ଚାୟତ ସ୍ତରରେ ରନ୍ଧା ଖାଦ୍ୟ ବଣ୍ଟନକୁ ଠିକ୍ ଭାବେ ପରିଚାଳନା କରିବା ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ବାରୋପ କରିଥିଲେ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲକ୍‌ଡାଉନ୍‌ର କାର୍ଯ୍ୟକାରିତା ଓ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବୈଠକରେ ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର