‘ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ଔଷଧରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଉନି’

ଔଷଧ ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା

ଭୁବନେଶ୍ବର: ଓଡ଼ିଶା ଷ୍ଟେଟ୍‌ ମେଡିକାଲ କାଉନସିଲ ଲିମିଟେଡ (ଓଏସ୍‌ଏମ୍‌ସିଏଲ୍‌) ଦ୍ବାରା ନିର୍ମାଲ୍ୟ କାଉଣ୍ଟର ମାଧ୍ୟମରେ ବିତରଣ କରାଯାଉଥିବା ଔଷଧ ପ୍ରଭାବଶାଳୀ ହୋଇପାରିଛି। ବିଶେଷଜ୍ଞ କମିଟି ଓ ରୋଗୀମାନେ ଏହାର ପାର୍ଶ୍ବପ୍ରତିକ୍ରିୟା ବାବଦରେ ଅଭିଯୋଗ କରିନାହାନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହା ଚର୍ଚ୍ଚା ହୋଇଛି। ରାଜ୍ୟରେ ଔଷଧ ଯୋଗାଣ କେମିତି ଚାଲିଛି, ସେନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରବିବାର ସମୀକ୍ଷା କରିଛନ୍ତି।

କଟକସ୍ଥିତ ଏସ୍‌ସିବି ଓ ଅନ୍ୟ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଔଷଧ ଯୋଗାଣ ସଂପର୍କରେ ଲୋକସେବା ଭବନର କନଫରେନ୍ସିଂ ହଲ୍‌ରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀମତୀ ପଣ୍ଡିତ ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ବାରା ସରକାରୀ ଡାକ୍ତରଖାନାଗୁଡ଼ିକରେ ଖୋଲାଯାଇଥିବା ଔ‌ଷଧ ବିତରଣ କେନ୍ଦ୍ର ‘ନିର୍ମାଲ୍ୟ’ରେ ଔଷଧ ପହଞ୍ଚାଇବା ପୂର୍ବରୁ ଏହାର ଗୁଣବତ୍ତା ଯାଞ୍ଚ ଓ ଅନ୍ୟ ପ୍ରକ୍ରିୟା କରାଯାଉଥିବା ପ୍ରକାଶ କରିଥିଲେ। ବୈଠକରେ କିଡ୍‌ନି ରୋଗୀଙ୍କ ପାଇଁ ଦିଆଯାଉଥିବା ଔଷଧ ସଂପର୍କରେ ମଧ୍ୟ ଚର୍ଚ୍ଚା ହୋଇଥିଲା।

ସୂଚନାଯୋଗ୍ୟ, ନିର୍ମାଲ୍ୟ କାଉଣ୍ଟରରେ କିଡ୍‌ନି ରୋଗୀ ଓ କିଡ୍‌ନି ପ୍ରତ୍ୟାରୋପଣ ହୋଇଥିବା ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଔଷଧ ଯୋଗାଇବା ପୂର୍ବରୁ ଏନ୍‌ଏବିଏଲ୍‌ ପରୀକ୍ଷାଗାରରେ ଗୁଣବତ୍ତା ଯାଞ୍ଚ କରାଯାଇଥାଏ। ପରୀକ୍ଷାଗାରରେ ଯାଞ୍ଚ ପରେ ଉପଯୋଗୀ ଔଷଧ ହୋଇଥଲେ ତାହା ରୋଗୀଙ୍କୁ ବିତରଣ କରାଯାଇଥାଏ।

ତଥ୍ୟ ଅନୁସାରେ ଏସ୍‌ସିବିରେ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା ୨୦୧୨ ମାର୍ଚ୍ଚ ୧୨ ମସିହାରେ ଆରମ୍ଭ ହୋଇଥିଲା। ଏସ୍‌ସିବିର ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଆଜି ପର୍ଯ୍ୟନ୍ତ ୧୮୭ ଜଣ କିଡ୍‌ନି ରୋଗୀଙ୍କ ସଫଳତାପୂର୍ବକ ପ୍ରତିରୋପଣ କରାଯାଇଛି। ସେହିପରି ୧୨୦ କିଡ୍‌ନି ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଏମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ରୋଗୀଙ୍କ କହିବା ଅନୁସାରେ ଓଏସ୍‌ଏମ୍‌ସିଏଲ୍‌ ପକ୍ଷରୁ ଦିଆଯାଉଥିବା ଔଷଧ ସେବନ ଦ୍ବାରା କୌଣସି ପାର୍ଶ୍ବପ୍ରତିକ୍ରିୟାର ସାମ୍ନା କରିନାହାନ୍ତି। ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର