୭ଟି ରେଳ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟଶାସନ ସଚିବ

ପ୍ରକଳ୍ପ ତ୍ବରାନ୍ବିତ ପାଇଁ ଆଗୁଆ ଜମି ପ୍ରଦାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ଚାଲୁରହିଥିବା ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବାରାନ୍ବିତ କର। ଯେପରି ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟ ଭିତରେ ସମ୍ପୂର୍ଣ୍ଣ ହେବ। ଏଥିପାଇଁ ଆବଶ୍ୟକ ପଡ଼ୁଥିବା ସରକାରୀ ଜମି ଆଗୁଆ ରେଳ ବିଭାଗକୁ ହସ୍ତାନ୍ତର କର। ଆଜି ଲୋକସେବା ଭବନରେ ଭିଡିଓ କନଫରେନ୍‌ସିଂ ଜରିଆରେ ରେଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ସମେତ ୭ଟି ବୃହତ ରେଳ ପ୍ରକଳ୍ପ ପାଇଁ ବାକି ରହିଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି।

ଶ୍ରୀ ତ୍ରିପାଠୀ କହିଛନ୍ତି, ଚାଲୁ ରହିଥିବା ପ୍ରକଳ୍ପକାର୍ଯ୍ୟକୁ ତ୍ବାରାନ୍ବିତ କରିବାରେ କିଛିଟା ସମସ୍ୟା ରହିଛି। ଏସବୁ ପ୍ରକଳ୍ପ ପାଇଁ ରେଳଲାଇନ ବିଛାଇବା ବେଳେ କୋଇଲା ଖଣି, ଯାତ୍ରୀ ଯାତାୟତ ସ୍ଥଳ ଓ ବ୍ୟାବସାୟିକ ଭିତ୍ତିଭୂମି ସ୍ଥାନ ପଡ଼ୁଥିବାରୁ ସମସ୍ତ କ୍ଷେତ୍ରୀୟ ଅଧିକାରୀ ଏ ଦିଗରେ ସତର୍କତାର ସହ କାର୍ଯ୍ୟ କରିବା ଦରକାର। ୩ ହଜାର ୫୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲୁ ରହିଥିବା ୨୮୯ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ୬୭୯ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟରେ ୧୭୪.୧୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସମ୍ବଲପୁର-ତାଳଚେର ଦୋହରୀକରଣ ଲାଇନ୍‌, ୨ ହଜାର ୫୭୫ କୋଟି ଟଙ୍କା ବ୍ୟୟ ଅଟକଳରେ ୨୬୪.୬ କିଲୋମିଟର ବିଶିଷ୍ଟ ବିଜୟନଗରମ୍‌-ସମ୍ବଲପୁର (ଟିଟିଲାଗଡ଼) ତୃତୀୟ ଲାଇନ୍‌, ୧ ହଜାର ୧୭୩ କୋଟି ଟଙ୍କା ବ୍ୟୟରେ ୧୭୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ବୁଢ଼ାପଙ୍କ-ସାଲେଗାଓଁ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍‌, ୧ ହଜାର ୧୭୩ କୋଟି ଟଙ୍କା ବ୍ୟୟରେ ୧୦୧ କିଲୋମିଟର ବିଶିଷ୍ଟ ରାଉରକେଲା-ଝାରସୁଗୁଡ଼ା ତୃତୀୟ ରେଳ ସଂଯୋଗ ଲାଇନ୍‌, ୬୩୮.୫ କୋଟି ଟଙ୍କା ବ୍ୟୟରେ ୯୮.୭ କିଲୋମିଟର ବିଶିଷ୍ଟ ଅନୁଗୁଳ-ସୁକିନ୍ଦା ନୂତନ ରେଳ ଲାଇନ୍‌ ଓ ୮୧୦.୭୮ କୋଟି ଟଙ୍କା ବ୍ୟୟରେ ୧୫୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନ୍‌ ବିଛାଇବା କାମର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସମୀକ୍ଷା କରିଥିଲେ। ଏସବୁ ପ୍ରକଳ୍ପ କାର୍ଯ୍ୟ ପାଇଁ ଅଧିଗୃହୀତ ଜମି ବାବଦରେ ସମ୍ପୃକ୍ତ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନରେ ଥିବା ସମସ୍ୟାଗୁଡ଼ିକ ଶୀଘ୍ର ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ପ୍ରକଳ୍ପ ପାଇଁ ଆବଶ୍ୟକ ପଡ଼ୁଥିବା ଜଙ୍ଗଲ ଜମି ବଦଳରେ ଅନ୍ୟ ସ୍ଥାନରେ ଜଙ୍ଗଲ ସୃଷ୍ଟି ପାଇଁ ଜମି, ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ବାଣିଜ୍ୟ ଓ ପରିବହନ ବିଭାଗ ତଥା ରେଳ ସମନ୍ବୟ ଦାୟିତ୍ବରେ ଥିବା ସ୍ବତନ୍ତ୍ର ଶାସନ ସଚିବ ମନୋଜ ମିଶ୍ର, ପୂର୍ବତଟ ରେଳପଥ ମୁଖ୍ୟ ପ୍ରଶାସନିକ ଅଧିକାରୀ ଡି.ପି ଲାଲ୍‌, ପୂର୍ବତଟ ରେଳ ମୁଖ୍ୟ ଯନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର