କନ୍ଧମାଳରେ ମେଡିକାଲ କଲେଜ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ, ୫-ଟି ସଚିବ : ୩୦ ମାସରେ ନିର୍ମାଣ କାର୍ଯ୍ୟ ସରିବ

ଫୁଲବାଣୀ : ଫୁଲବାଣୀ‌ ସହର ଉପକଣ୍ଠ କଲାଡ଼ିଠାରେ ୪୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା କନ୍ଧମାଳ ମେଡିକାଲ କଲେଜ ଏବଂ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଦିନିକିଆ କନ୍ଧମାଳ ଗସ୍ତରେ ଆ‌ସି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିସହିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଗତ ଡିସେମ୍ବରରେ ରାଜ୍ୟ କ୍ୟାବିନେଟ୍‌ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ। ଫୁଲବାଣୀରେ ହେବାକୁ ଥିବା ୧୦୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜ ଏବଂ ୫୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ ପାଇଁ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଥିଲା। ଏହି ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆସନ୍ତା ୩୦ ମାସ ମଧ୍ୟରେ ଶେଷ ହେବ ବୋଲି ଲକ୍ଷ୍ୟ ରହିଛି। ମୁଖ୍ୟ ଶାସନସଚିବ ଏବଂ ୫-ଟି ସଚିବ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ, ମେଡିକାଲ କଲେଜ ପ୍ରକଳ୍ପର ଡିଜାଇନ୍‌ ଅନୁଧ୍ୟାନ କରିଥିଲେ। ମେଡିକାଲ କଲେଜର ସ୍ଥାନକୁ ଦେଖିବା ପରେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ମୁଖ୍ୟ ଶାସନସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ। ମେଡିକାଲ କଲେଜକୁ ଲାଗି ରହିଥିବା ପାହାଡ଼ରେ ବ୍ୟାପକ ବୃକ୍ଷରୋପଣ କରିବାକୁ ମଧ୍ୟ ମୁଖ୍ୟ ଶାସନସଚିବ ପ୍ରସ୍ତାବ ଦେଇଥିଲେ। ଏଠାରେ ଡାକ୍ତର, ପ୍ରଫେସର ଏବଂ ମେଡିକାଲ କଲେଜ କର୍ମଚାରୀଙ୍କ ରହିବା ବ୍ୟବସ୍ଥାରେ ଯେମିତି କୌଣସି ତ୍ରୁଟି ନ ରହେ, ସେଥିପ୍ରତି ଦୃଷ୍ଟି ଦେବାକୁ ୫-ଟି ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ନୂଆ ମେଡିକାଲ କଲେଜ କ୍ୟାମ୍ପସ୍‌ରେ ୩୦୦ ସିଟ୍‌ ବିଶିଷ୍ଟ ଛାତ୍ରାବାସ, ୧୫୦ ସିଟ୍‌ ବିଶିଷ୍ଟ ଛାତ୍ରୀନିବାସ, ୬୫୦ ଲୋକ ବସିଲା ଭଳି ଅଡିଟୋରିୟମ ଏବଂ ୧୦୦ ସିଟ୍‌ ବିଶିଷ୍ଟ ଏକ ଡାକ୍ତର ହଷ୍ଟେଲ ନିର୍ମାଣ କରାଯିବ।

ସଚିବମାନେ ଆଜି ପୂର୍ବାହ୍‌ଣ୧୧ଟା ସମୟରେ ହେଲିକପ୍‌ଟର ଯୋଗେ ଆସି ଜିଲ୍ଲା ସଦର ମହକୁମା ଫୁଲବାଣୀ ନିକଟସ୍ଥ ଗୁଦାରି ଏରୋଡ୍ରମ ପଡ଼ିଆରେ ଓହ୍ଲାଇଥିଲେ। ସେଠାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ବୃନ୍ଦା ଡି. ସମସ୍ତ ସଚିବମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମୁଖ୍ୟଶାସନ ସଚିବ ଏବଂ ୫-ଟି ସଚିବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ୫-ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି, ସେ ସବୁର ସମୀକ୍ଷା କରିଥିଲେ।

ମୁଖ୍ୟ ଶାସନସଚିବ ଏବଂ ୫-ଟି ସଚିବ ‘ମୋ ସ୍କୁଲ’ ଅଭିଯାନ ଅନ୍ତର୍ଭୁକ୍ତ ଫୁଲବାଣୀ ସହରର ସର୍ବପୁରାତନ ଏଜେଓ ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ଯାଇ ସେଠାକାର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ବୁଲି ଦେଖିଥିଲେ। ସ୍କୁଲର ବିଭିନ୍ନ ସମସ୍ୟା ନେଇ ୫-ଟି ସଚିବ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟ ଶାସନସଚିବ, ୫-ଟି ସଚିବଙ୍କ ସମେତ ଅନ୍ୟାନ୍ୟ ସଚିବମାନଙ୍କୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା। ଏହି ଅବସରରେ ମୁଖ୍ୟ ଶାସନସଚିବ ଏବଂ ୫ଟି ସଚିବ ଜିଲ୍ଲାପାଳଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଜିଲ୍ଲାପାଳ ଡ. ବୃନ୍ଦା ଡି.ଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବରଂଜନ ନାୟକ, ଏସ୍‌.ପି ଭିନୀତ୍‌ ଅଗ୍ରୱାଲ୍‌, ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଫୁଲବାଣୀ ସହରରେ ସ୍ମାର୍ଟ ସ୍କୁଲର ବିକାଶ ପାଇଁ ୫-ଟି ସଚିବ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର