୮ ଜିଲ୍ଲାପାଳ ଓ ୩ ଆରଡିସିଙ୍କ ସହ କଥା ହେଲେ ମୁଖ୍ୟ ଶାସନ ସଚିବ, ବନ୍ୟା ସ୍ଥିତି ନେଇ କଲେ ସମୀକ୍ଷା

ତଳିଆ ଅଂଚଳରେ ତୀକ୍ଷଣ ନଜର ରଖାଯାଇଛି: ଏସ୍‌ଆରସି

ଭୁବନେଶ୍ୱର: ଲଘୁଚାପ ବର୍ଷା ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆଜି ରାଜ୍ୟର ୮ଟି ଜିଲ୍ଲାପାଳ ଏବଂ ୩ଟି ଆରଡିସିଙ୍କ ସହିତ କଥା ହୋଇଛନ୍ତି। ମୁଖ୍ୟ ଶାସନ ସଚିବ ମୟୂରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ବୌଦ୍ଧ ପ୍ରମୁଖ ଜିଲ୍ଲାପାଳଙ୍କ ସହିତ କଥା ହୋଇଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି, କିଛି ନଦୀରେ ଜଳ ସ୍ତର ବିପଦ ସଂକେତ ପାଖରେ ଅଥବା ତଳେ ପ୍ରବାହିତ ହେଉଛି। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାରୁ ବୁଢାବଳଙ୍ଗ, ଜଳକା, ବୈତରଣୀ, କାଣୀ ଓ ଖରସ୍ରୋତାରେ ବନ୍ୟା ଜଳ ନିଷ୍କାସିତ ହୋଇଛି। ଆଜି ମଧ୍ୟରାତ୍ରୀରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି। ସେ କହିଛନ୍ତି, ଫିଜିକାଲ ସର୍ଭେ ପାଇଁ ଆରଡିସିମାନଙ୍କୁ କହିଛି। ଖାଦ୍ୟ ଓ ଯୋଗାଣ, ଜଳ ସଂପଦ, ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି।

ସୂଚନାଯୋଗ୍ୟ, ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ରେଡ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଦିଆଯାଇଛି।

ସେହିପରି ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏସ୍‌ଆରସି ପଦୀପ କୁମାର ଜେନା କହିଛନ୍ତି ତଳିଆ ଅଂଚଳ ଉପରେ ତୀକ୍ଷଣ ନଜର ରଖାଯାଇଛି। ବାରିପଦା, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ପାଣି ଜମା ହୋଇଛି। ସୁନ୍ଦରଗଡ଼, ବୌଦ୍ଧ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ବାରିପଦା-କେନ୍ଦୁଝର ରାସ୍ତାର ତୁରୁମୁଙ୍ଗାରେ ଟ୍ରକ ଭାସିଯାଇଛି। ବାଲେଶ୍ୱର, ମୟୂରଭଂଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଓଡ୍ରାଫ ଓ ଏନଡିଆରଏଫ ଟିମ ଯାଇଛନ୍ତି। ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ସତର୍କ ରହିଛି।

ସମ୍ବନ୍ଧିତ ଖବର