ଲୋକଙ୍କ କଥା ଶୁଣ, ନିରପେକ୍ଷ ନି‌ଷ୍ପତ୍ତି ନିଅ; ଓଏଏସ୍‌ ଶିକ୍ଷାନବିଶଙ୍କୁ ତାଲିମ ଦେଲେ ମୁଖ୍ୟ ସଚିବ

ଭୁବନେଶ୍ବର : ଲୋକମାନଙ୍କ ସହ ସିଧାସଳଖ କଥା ହୁଅ ଏବଂ ସହୃଦୟତାର ସହ ସେମାନଙ୍କ କଥା ଶୁଣ। ଏହା ପରେ ନିରପେକ୍ଷ ଭାବେ ନିଷ୍ପତ୍ତି ନେଇ ତାହାକୁ କାର୍ଯ୍ୟକାରୀ କର। ଓଡ଼ିଶା ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କୁ ଏମିତି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନରେ ଆୟୋଜିତ ଆନୁଷ୍ଠାନିକ ତାଲିମ ପର୍ଯ୍ୟାୟର ଉଦ୍‌ଘାଟନୀ ଅଧିବେଶନରେ ଯୋଗ ଦେଇ ଶ୍ରୀ ମହାପାତ୍ର କହିଲେ ଯେ ବୃତ୍ତିଗତ ଜୀବନର ଆରମ୍ଭରୁ ହିଁ ଆପଣମାନେ ଏକ ଅଭୂତପୂର୍ବ ମହାମାରୀର କ୍ଷେତ୍ରସ୍ତରୀୟ ପରିଚାଳନା ଅଭିଜ୍ଞତା ହାସଲ କରିଛନ୍ତି। ଏଥରୁ ଉପଲବ୍ଧ ଶିକ୍ଷାକୁ ଠିକ୍ ଭାବେ ମନେ ରଖି ଭବିଷ୍ୟତର କୌଣସି ସମ୍ଭାବ୍ୟ ସାଧାରଣ ସ୍ବାସ୍ଥ୍ୟ ଜନିତ ସମସ୍ୟା ସମାଧାନରେ ସଫଳ ଭାବେ ପ୍ରୟୋଗ କରିପାରିବେ। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଆଦର୍ଶ ଅନୁସାରେ କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ‘ମୋ ସରକାର’ ବ୍ୟବସ୍ଥା ମାଧ୍ୟମରେ ଅଧିକାରୀମାନଙ୍କ କାର୍ଯ୍ୟକଳାପ ବିଷୟରେ ସରକାର ଠିକ୍ ଭାବେ ସୂଚନା ପାଉଛନ୍ତି। ଏହି ବ୍ୟବସ୍ଥା ମାଧ୍ୟମରେ ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସିୁଥିବା ନାଗରିକମାନଙ୍କ ଠାରୁ ସେବା ପ୍ରାପ୍ତି ସମ୍ବନ୍ଧିତ ମତାମତ ନିଆଯାଉଛି। କୌଣସି ଅଧିକାରୀଙ୍କ ବିଷୟରେ ଲଗାତର ନିର୍ଭରଯୋଗ୍ୟ ଖରାପ ମତାମତ ମିଳିଲେ, ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସତର୍କ କରାଇ ଦେଇଥ‌ିଲେ।

ଏହି ଅବସରରେ ଶ୍ରୀ ମହାପାତ୍ର ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ଓ କନ୍ଧମାଳ ଦଙ୍ଗା ପରିଚାଳନା ଅଭିଜ୍ଞତା କଥା କହିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ କୌଣସି ସାଧାରଣ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ଲୋକମାନଙ୍କ ସହ ସିଧାସଳଖ ଲଗାତର ଆଲୋଚନା ମାଧ୍ୟମରେ ସମସ୍ୟାର ମୂଳ କାରଣରେ ପହଞ୍ଚିବାକୁ ପଡ଼ିବ। ସେହି କାରଣର ନିରାକରଣ ହେଲେ ହିଁ ଲୋକଙ୍କ ମନରେ ଥିବା କ୍ଷତ ଆରୋଗ୍ୟ ହେବ ଏବଂ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ସେ କହିଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏସ୍‌ ପି ଠାକୁର ନିଜର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ବିଷୟରେ ଶିକ୍ଷାନବିଶମାନଙ୍କ ସହ ଆଲୋଚନା କରିଥିଲେ। ସେ ସୂଚନା ଦେଇଥିଲେ ଯେ ବର୍ତ୍ତମାନ ତାଲିମ ନେଉଥିବା ଅଧିକାରୀମାନେ ୨୦୧୮ ବ୍ୟାଚ୍‌ର। କୋଭିଡ୍‌ ସମୟରେ ରାଜ୍ୟର ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକରେ କାମ କରି ଏମାନେ କ୍ଷେତ୍ରସ୍ତରୀୟ ତାଲିମ ନେଇଛନ୍ତି। ଏହି ବ୍ୟାଚ୍‌ର ମୋଟ୍‌ ୬୨ ଜଣ ଶିକ୍ଷାନବିଶଙ୍କ ମଧ୍ୟରୁ ୨୯ ଜଣ ମହିଳା। ପ୍ରତିଷ୍ଠାନର ଅତିରିକ୍ତ କମିସନର୍‌ ହିମାଂଶୁ ଭୂଷଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର