ନୂଆପଡ଼ା : ଛତିଶଗଡ଼ରେ କରୋନା ଅନିୟନ୍ତ୍ରିତ ଭାବେ ମାଡ଼ିଚାଲିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଘଣ୍ଟାରେ ୧୧ ହଜାରରେ ପହଞ୍ଚିଛି। ଏହାକୁ ଦେଖି ଓଡ଼ିଶା ସରକାରଙ୍କ ମଧ୍ୟରେ ଭୟ ଦେଖାଦେଇଛି। ଛତିଶଗଡ଼ ପରି ପରିସ୍ଥିତି ଓଡ଼ିଶାରେ ହେଲେ ଆଗକୁ ସ୍ଥିତି ଭୟଙ୍କର ହେବ। ଏହା ପୂର୍ବରୁ ସରକାର ତାଙ୍କ ଯୋଜନା ଆରମ୍ଭ କରିଦେଇଛନ୍ତି ବୋଲି ନୂଆପଡ଼ା ଗସ୍ତରେ ଅସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବାଦିକମାନଙ୍କୁ କହିଛନ୍ତି।
ଶନିବାର ମୁଖ୍ୟ ଶାସନ ସଚିବ ଶ୍ରୀ ମାହାପାତ୍ରଙ୍କ ସହ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମ୍ଇଟି ସି.ବି.କେ. ମହାନ୍ତି, ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପୂର୍ବାହ୍ନ ୧୧ରେ ନୂଆପଡ଼ା ଗୌତମା ଉଡ଼ାଜାହାଜ ପଡ଼ିଆରେ ସ୍ବତନ୍ତ୍ର ବିମାନରେ ଅବତରଣ କରିଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ପ୍ରଥମେ ସିଲଦାସ୍ଥିତ ଜିଲ୍ଲା କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ। ସେଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ କୋଭିଡ ମୁକାବିଲା ଉପରେ ସମୀକ୍ଷା କରିଥିଲେ। ପଶ୍ଚିମ ଓଡ଼ିଶାରେ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ନୂଆପଡ଼ା ଜିଲ୍ଲାକୁ ୧୦ଜଣ ଡାକ୍ତର ଦିଆଯାଇଛି। ଡାକ୍ତରମାନେ ପହଞ୍ଚିଯାଇଛନ୍ତି। ରାଜ୍ୟ ବାହାରୁ ପ୍ରବାସୀ ଶ୍ରମିକମାନେ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇ ଓଡ଼ିଶାକୁ ପ୍ରଦେଶ କରିପାରିବେ। ନହେଲେ ଆଟିପିସିଆର୍ ପରୀକ୍ଷା କରି ସେମାନଙ୍କୁ ୭ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ହେବ। ଛତିଶଗଡ଼ରୁ ଓଡ଼ିଶାକୁ ଟ୍ରେନ୍ ଚଳାଚଳ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି।
ନୂଆପଡ଼ା ଜିଲ୍ଲାରେ ବର୍ତ୍ତମାନ ୪୯୮ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟ ୪୭ ଜଣ ନୂଆପଡ଼ା କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତାସହ ନୂଆପଡ଼ା ଜିଲ୍ଲାରେ ୭ଟି ଚେକ୍ପୋଷ୍ଟ କରି ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଆଜିଠାରୁ ଛତିଶଗଡ଼ରୁ ବସ୍ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି ବୋଲି କହିଥିଲେ। ଏହି ବୈଠକରେ ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ, ଉପଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଏଏସ୍ପି ସୁନୀଲ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତଥିଲେ।