ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌କୁ ଡିଆରଡିଓ ପକ୍ଷରୁ ଏନ୍‌ଓସି ପ୍ରଦାନ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୟୂରଭଂଜ ଜିଲ୍ଲା ରାସଗୋବିନ୍ଦପୁର ନିକଟ ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍‌କୁ ଡିଆରଡିଓ ପକ୍ଷରୁ ଏନ୍‌ଓସି ( ଆପତ୍ତି ବିହୀନ ପ୍ରମାଣପତ୍ର) ମିଳିପାରୁ ନାହିଁ। ଫଳରେ ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏହି ପ୍ରକଳ୍ପକୁ ‘ଡିଆରଡିଓ’ର ଏନ୍‌ଓସି ଦେବାପାଇଁ ରାଜ୍ୟ ସରକାର ଅନେକ ଥର ଚିଠି ଲେଖିଛନ୍ତି। କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେଣୁ ରାଜ୍ୟ ସରକାର ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍‌କୁ ଏନ୍‌ଓସି ଦେବା ପାଇଁ ଅନୁରୋଧ କରିଛନ୍ତି। ଏନେଇ  ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟରେ କାର୍ଯ୍ୟରତ ସଚିବ ଡ. ଅଜୟ କୁମାରଙ୍କୁ ପତ୍ର ଲେଖିଛନ୍ତି।  ଶ୍ରୀ ମହାପାତ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଆର୍‌ସିଏସ୍‌-ଉଡ଼ାନ୍‌ ଯୋଜନାରେ ଭୁବନେଶ୍ୱର-ଅମର୍ଦ୍ଦାରୋଡ ମଧ୍ୟରେ ବିମାନ ଚଳାଇବା ସାମିଲ୍ ହୋଇସାରିଛି । ଏକ ଘରୋଇ କଂପାନି ସପ୍ତାହର ସାତ ଦିନ ୯ସିଟ୍‌ ବିଶିଷ୍ଟ ଏକ ବିମାନ ପରିଚାଳନା କରିବାକୁ ମଧ୍ୟ ପ୍ରସ୍ତୁତ ଅଛି।

ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଉତ୍ତର ଓଡ଼ିଶା ସହିତ ବିମାନ ଯୋଗାଯୋଗ ନଥିବାରୁ ରାସଗୋବିନ୍ଦପୁର ନିକଟ ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍‌ର ନିର୍ମାଣ ଓ ଏହାର କାର୍ଯ୍ୟକ୍ଷମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟନ ବିଭାଗର ଉନ୍ନତି ହୋଇପାରିବ। ଶିମିଳିପାଳ ଜାତୀୟ ଉଦ୍ୟାନ, କୁଳଡିହା ଅଭୟାରଣ୍ୟ, ଚାନ୍ଦିପରୁ, ତଳସାରି ବେଳାଭୂମିକୁ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ବଢ଼ିବ। ସେହିପରି ଏହି ଅଞ୍ଚଳର ଆର୍ଥିକ ବିକାଶ, ରୋଜଗାର ଓ ରାଜସ୍ୱ ବୃଦ୍ଧି ହେବ।

ସୂଚନାଯୋଗ୍ୟ, ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ରୁ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି କୁହାଯାଉଛି। ହେଲେ ଏହି ଏୟାରଷ୍ଟ୍ରିପ୍‌ ଏବେ ବି ରାଜ୍ୟ ସରକାରଙ୍କ ଅଧୀନକୁ ଆସିନି। ବିମାନ ଉଡ଼ାଣ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ଏଥିପାଇଁ ଏରୋଡ୍ରମ ଲାଇସେନ୍‌ସ ଆଣିବା ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ କରିବାକୁ ହେବ, ଯେଉଁଥି ପାଇଁ ଅତି କମ୍‌ରେ ୨ବର୍ଷ ଲାଗିବ।

ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଆର୍‌ସିଏସ୍‌)-ଉଡ଼ାନ୍‌ ଯୋଜନା ୨୦୧୭ରୁ ଆରମ୍ଭ ହେଲାଣି। ସାରା ଦେଶରେ ୫୦ରୁ ଉର୍ଦ୍ଧ୍ୱଟି ବିମାନବନ୍ଦର ଏଥିରେ ସାମିଲ୍‌ ହୋଇଛି। କିନ୍ତୁ ୪ ବର୍ଷରେ ଓଡ଼ିଶାରୁ ମାତ୍ର ଗୋଟିଏ ବିମାନବନ୍ଦର ଏଥିରେ ସାମିଲ୍‌ ହୋଇଛି। ଓଡ଼ିଶାରୁ ପ୍ରାୟ ୧୦ଟି ଏୟାରଷ୍ଟ୍ରିପ୍‌ ଏଥିରେ ସାମିଲ୍‌ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡ଼ା ସମେତ ଜୟପୁର, ରଙ୍ଗେଇଲୁଣ୍ଡା, ଉତ୍‌କେଲା, ରାଉରକେଲା, ରାସଗୋବିନ୍ଦପୁରର ନାମ ଥିଲାଯ ହେଲେ ଝାରସୁଗୁଡ଼ା ବିମାନବନ୍ଦର ପରେ ଏହି ପାଞ୍ଚଟି ଏୟାରଷ୍ଟ୍ରିପ୍‌ର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ସମ୍ବନ୍ଧିତ ଖବର