ଭୁବନେଶ୍ୱର: ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ ଓ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଲଗ୍ନ ଅଂଚଳରେ ବେଆଇନ ନିଶାଦ୍ରବ୍ୟ ବିକ୍ରି, ସେବନ ଓ କାରବାର ଯେପରି ନହୁଏ ସେଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଆହୁଜା କହିଛନ୍ତି। ଏନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ସ୍ଥିତି ସମୀକ୍ଷା କରି ସମସ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍କୁ ନିଶାଦ୍ରବ୍ୟ ମୁକ୍ତ ପରିସର କରିବା ପାଇଁ ସଚେତନ କରାଯିବା ସହ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ପୁଲିସ ପ୍ରଶାସନ, ଅବକାରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ଅନ୍ୟ ସମ୍ପୃକ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଟାସ୍କଫୋର୍ସ ଗଠନ କରି ବ୍ୟାପକ ଚଢ଼ଉ ଓ ସଚେତନ କରିବାକୁ କୁହାଯାଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ ପରିସର ଓ ସଂଲଗ୍ନ ଅଂଚଳରେ ସଚେତନତା ପାଇଁ ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି।
ବୈଠକରୁ ଜଣାପଡ଼ିଛି ଯେ, ୨୦୨୫ ଜୁଲାଇ ମାସ ଶେଷସୁଦ୍ଧା ୩୮୫ଟି ମାମଲାରେ ୧୬୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ୧୧୬୨ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୧୪୨ଟି ମାମଲାରେ ୯ କିଲୋ ୭୯୯ ଗ୍ରାମ ବାଉନ୍ସୁଗାର ଜବତ ହେବା ସହ ୨୯୨ ଜଣଙ୍କୁ ଗିରଫ କରାଯାଇଛି। ୨୮ଟି ମାମଲାରେ ୨୬,୮୭୪ ବୋତଲ କଫ୍ ସିରଫ ଜବତ ସହ ୮୩ ଜଣଙ୍କୁ ଗିରଫ କରାଯାଇଛି। ୨୭ ହଜାର ୭୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ୬୩୨ଟି ମାମଲା ରୁଜୁ କରାଯାଇଛି। ବିଭିନ୍ନ ଜିଲ୍ଲାର ବେଆଇନ ଗଞ୍ଜେଇ ଚାଷ ଓ ସେଠାରୁ ଚୋରାଚାଲାଣ ରୋକିବା ଏବଂ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ହେରୋଇନ୍କୁ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା କରାଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଂଚଳରେ ଅବକାରୀ ବିଭାଗ ତରଫରୁ ୨୭ ଏକର ଅଫିମ ଚାଷ ନଷ୍ଟ କରାଯାଇଥିବା ବେଳେ ସଂଗଠିତ ବେଆଇନ୍ ଅଫିମ ଚାଷ ପ୍ରତି କାର୍ଯ୍ୟାନୁଷ୍ଠାନ ସଂପର୍କରେ ପଦକ୍ଷେପ ନିଆଯାଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ୨୦୨୪-୨୫ ବର୍ଷରେ ବିଭିନ୍ନ ୧୨ଟି ଜିଲ୍ଲାରେ ମୋଟ୍ ୯୪୧୮.୮୧ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇ ୧ କୋଟି ୨୭ ଲକ୍ଷ ୪୨ ହଜାର ୭୨୦ ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ତେବେ ନିକଟରେ ବିଦେଶରୁ ଉଚ୍ଚ ମୂଲ୍ୟର ମାରିଜୁଆନା ଏବଂ ହାଇଡ୍ରୋପୋନିକ୍ ମାରିଜୁଆନା ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରରେ ଜବତ ହୋଇଥିଲା। ଓଡ଼ିଶାରୁ ମଧ୍ୟ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଛି।
ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଅବକାରୀ ବିଭାଗ, ପୁଲିସ୍ ପ୍ରଶାସନ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।