ଭୁବନେଶ୍ବର: କୃଷକମାନଙ୍କ ପାଖରେ ସେମାନଙ୍କର ଆବଶ୍ୟକତା ଅନୁସାରେ ସାର ଠିକ୍ ଭାବରେ ପହଞ୍ଚୁଛୁ କି ନାହିଁ, ସେଥିପାଇଁ କ'ଣ କ'ଣ ସମସ୍ୟା ରହୁଛି, ସେ ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକରେ ସଦ୍ୟତମ ସ୍ଥିତି ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦେଶକ ଶୁଭମ୍ ସକ୍ସେନାଙ୍କ ସମେତ ସମବାୟ ଏବଂ କୃଷି ବିଭାଗର ବରିଷ୍ଠ ପଦାଧ୍ୟାକାରୀ ଉପସ୍ଥିତ ଥିଲେ। ଏ ସଂପର୍କରେ ଗତ ୧ ତାରିଖରେ ମଧ୍ୟ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ।
ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏ ବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଏ ସମୟରେ ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିତା ରହିଛି । ସାରର ଉପଲବ୍ଧତା ଅନୁସାରେ ତାହା ଯେପରି ଚାଷୀମାନଙ୍କ ନିକଟରେ ଠିକ୍ ଭାବରେ ପହଞ୍ଚେ, ସେଥିପ୍ରତି ରାଜ୍ୟ ଓ ଜିଲ୍ଲାସ୍ତରରେ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ସେପ୍ଟେମ୍ବର ମାସ ୫ ତାରିଖ ସୁଦ୍ଧା ଓଡ଼ିଶାକୁ ଖରିଫ ୨୦୨୫ ବର୍ଷ ପାଇଁ ୟୁରିଆ ସମେତ ୧୦ ଲକ୍ଷ ମେଟ୍ରିକ ଟନ୍ ବିଭିନ୍ନ ପ୍ରକାର ସାର ଉପଲବ୍ଧତା ନେଇ ଭାରତ ସରକାରଙ୍କୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହି ତାରିଖ ସୁଦ୍ଧା ମୋଟ ୧୧ ଲକ୍ଷ ୩୩ ହଜାର ୭୭୬ ମେଟ୍ରିକ ଟନ୍ ସାର ମିଳିଛି । ଏପର୍ଯ୍ୟନ୍ତ ୯.୧୬ ଲକ୍ଷ ମେଟ୍ରିକ ଟନ୍ ସାର ବିକ୍ରୟ ହୋଇସାରିଛି। ଏବେ ସୁଦ୍ଧା ଆହୁରି ୨ ଲକ୍ଷ ୭ ହଜାର ୨୨୦ ମେଟ୍ରିକ ଟନ୍ ସାର ରାଜ୍ୟ ପାଇଁ ଉପଲବ୍ଧ ଅଛି। ବିଗତ ୩ ବର୍ଷରେ ଦେଖିବାକୁ ଗଲେ ୩୦ ସେପ୍ଟେମ୍ବର ସୁଦ୍ଧା, ହାରାହାରି ୮ଲକ୍ଷ ୮୧ ହଜାର ୨୫୦ ମେଟ୍ରିକ ଟନ୍ ସାର ଯୋଗାଣ ହୋଇଥିବା ବେଳେ ଗତ ବର୍ଷ ୭ ଲକ୍ଷ ୭୭ ହଜାର ୦୦୨ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇଥିଲା ଏବଂ ଏବର୍ଷ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ୯ ଲକ୍ଷ ୧୬ ହଜାର ୯୪୯ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇଛି। ଏଣୁ ଗତବର୍ଷ ତୁଳନାରେ ଏହା ପ୍ରାୟ ୨୦ ପ୍ରତିଶତ ଅଧିକ ସାର ବିକ୍ରୟ ହୋଇଥିବା ବୈଠକରୁ ଜଣାଯାଇଛି।
ଶ୍ରୀ ପାଢୀ କହିଛନ୍ତି ଯେ, ଚାଷୀମାନଙ୍କୁ ସାରର ଉପଲବ୍ଧତା ଓ ଆବଶ୍ୟକତା ଅନୁସାରେ ଠିକ୍ ଭାବରେ ବଣ୍ଟନ ସଂକ୍ରାନ୍ତରେ କୃଷି ବିଭାଗ ନିର୍ଦ୍ଦେଶକ, ସମବାୟ ବିଭାଗ ନିର୍ଦ୍ଦେଶକ ଓ ଟିମ୍ ନିୟମିତ ଭାବେ ତଦାରଖ କରୁଛନ୍ତି। ଯେଉଁଠାରେ ସାର ମିଳିବାରେ ବିଶେଷ ଅସୁବିଧା ହେଉଛି, ସେଠାରେ ଜିଲ୍ଲାପାଳମାନେ ନିଜେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ବ୍ୟବସ୍ଥା କରୁଛନ୍ତି। ସାର ପହଞ୍ଚିବା ମାତ୍ରେ ତାହା ଚାଷୀମାନଙ୍କୁ ଆବଶ୍ୟକତା ଅନୁସାରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ସାର କମ୍ପାନିରୁ ଜିଲ୍ଲାକୁ ଆସୁଥିବା ସାର, ପାକୁ ଏବଂ ଲାମ୍ପସ୍ ନିକଟରେ ଅଧିକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଡିଲରମାନଙ୍କ ପାଖରେ ସାର ଯେପରି ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ବିକ୍ରି ନହୁଏ, ସେଥିପ୍ରତି ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଭିନ୍ନ ଜିଲ୍ଲା ପାଇଁ ସାର କେତେ ଉପଲବ୍ଧ ଅଛି, କେତେ ପହଞ୍ଚିବାର ଅଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳମାନଙ୍କୁ ନିୟମିତ ସମୀକ୍ଷା ଓ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସାର ଚୋରା ଚାଲାଣ କରାଯାଉଥିବା ଧରା ପଡ଼ିଲେ, ସେ କ୍ଷେତ୍ରରେ ଏହାକୁ କେବଳ ଜବତ କରି ସିଲ କଲେ ହେବ ନାହିଁ, ଏହାକୁ ସୁବ୍ୟବସ୍ଥିତ କରି ଯେପରି ସାର ଉଦ୍ଦିଷ୍ଟ ଚାଷୀମାନେ ପାଇବେ, ତାହାକୁ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି ଏବଂ ବେଆଇନ୍ ସାର ମହଜୁଦକାରୀ ଏବଂ ଚୋରା ଚାଲାଣକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାର କମ୍ପାନିଗୁଡ଼ିକରୁ ଓଡ଼ିଶାର ବିଭିନ୍ନ ରେକ୍ ପଏଣ୍ଟ (ରେଳ ପରିବହନ) ପଏଣ୍ଟରେ ପହଞ୍ଚିବାକୁ ଥିବା ସାରର ସ୍ଥିତି ଏବଂ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଏହାର ଉପଲବ୍ଧତା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା।
Odisha | Bhubaneswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/09/06/0c23d53b-186a-494a-949a-daf76ef2433a-2025-09-06-20-25-19.jpg)